କଡ଼ା ଆଭିମୁଖ୍ୟ ଗ୍ରହଣ କଲା ବିଏମ୍‌ସି; ନିୟମ ମାନ, ନହେଲେ ସିଲ୍

ଭୁବନେଶ୍ବର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ’ ହୁ’ ହୋଇ ବଢ଼ିବାରେ ଲାଗିଛି। ପୂର୍ବଭଳି ଯେପରି ଏବେ ଭୁବନେଶ୍ବରରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ନଯାଏ, ସେଥିପାଇଁ ବିଏମ୍‌ସି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସମସ୍ତ ସରକାରୀ ଓ ବେସରକାରୀ ଅଫିସ୍‌କୁ ତାଗିଦ୍‌ କରି କୁହାଯାଇଛି ଯେ ସମସ୍ତେ କୋଭିଡ୍ କଟକଣା କଡ଼ାକଡ଼ି ପାଳନ କରନ୍ତୁ; ନଚେତ୍ ସିଲ୍‌ କରାଯିବ। ଆଜି ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ବିଏମ୍‌ସି ପକ୍ଷରୁ ସମସ୍ତ କାର୍ଯ୍ୟାଳୟ ପାଇଁ ଜାରି ହୋଇଥିବା କୋଭିଡ୍‌ କଟକଣା ଠିକ୍ ଭାବେ ପାଳନ ହେଉଛି କି ନାହିଁ, ତାହା ଫ୍ଲାଇଂ ସ୍କ୍ବାଡ୍‌ ଯାଞ୍ଚ କରିବ। ଯଦି କାର୍ଯ୍ୟାଳୟରେ ୬ଫୁଟ୍‌ର ଶାରୀରିକ ଦୂରତା ନଥିବ, କର୍ମଚାରୀ ମାସ୍କ ପିନ୍ଧି ନଥିବେ, ହାତ ଧୋଇବା ପାଇଁ ପର୍ଯ୍ୟାପ୍ତ ସୁବିଧା ନଥିବ, ତେବେ ବିଏମ୍‌ସି କାର୍ଯ୍ୟାଳୟ ସିଲ୍‌ କରିବା ସହ ଜରିମାନା ଆଦାୟ କରିବ।

ଅପରପକ୍ଷେ ରାଜଧାନୀର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର୍‌ରେ କୋଭିଡ୍‌ କଟକଣା କଡ଼ାକଡ଼ି ପାଳନ ହେଉନଥିବା ବିଏମ୍‌ସି ନଜରକୁ ଆସିଛି। ଏଣିକି ପ୍ରତିଦିନ ବିଭିନ୍ନ ଜୋନ୍‌ରେ ଫ୍ଲାଇଂ ସ୍କ୍ବାଡ୍‌ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅତର୍କିତ ଚଢ଼ଉ କରିବ। ନିୟମ ଉଲ୍ଲଂଘନ ହୋ‌ଇଥିଲେ ଅନୁଷ୍ଠାନକୁ ସିଲ୍‌ କରି ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।

୬ ଆକ୍ରାନ୍ତ ଚିହ୍ନଟ ପରେ ଯୋଗାଣ ନିଗମ କାର୍ଯ୍ୟାଳୟ ସିଲ୍
ଭୁବନେଶ୍ବର : ୟୁନିଟ-୮ ସ୍ଥିତ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟର ୬ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ କାର୍ଯ୍ୟାଳୟକୁ ସିଲ୍‌ କରିଦିଆଯାଇଛି। ୪୮ଘଣ୍ଟା ପର୍ଯ୍ୟନ୍ତ ଅଫିସ୍‌ ବନ୍ଦ ରଖି ବିଶୋଧନ କରିବାକୁ କୁହାଯାଇଛି। ଏହି ସମୟରେ ଅଫିସ୍ ଭିତରକୁ କେହି ଯିବେନି। ଏହାସହ ସମସ୍ତ କର୍ମଚାରୀଙ୍କର ମଙ୍ଗଳବାର ଆର୍‌ଟିପିସିଆର୍ ପରୀକ୍ଷା କରାଯିବ ବୋଲି ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ହୋଇଛି।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଯୋଗାଣ ନିଗମର ୬ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହେବା ଜଣାପଡ଼ିବା ପରେ ପ୍ରଥମେ କିଏ କରୋନା ଆକ୍ରାନ୍ତ ହୋଇଥିଲେ, କାହା ସଂସ୍ପର୍ଶରେ ଆସିଥିଲେ ତାହା ଖୋଜୁଛୁ। ସମସ୍ତ ଆକ୍ରାନ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ କରୁଛୁ। ସମସ୍ତ ଆକ୍ରାନ୍ତଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ କୁହାଯାଇଛି।

ସେହିପରି ବିଏମ୍‌ସିର ଉତ୍ତର ଜୋନ୍ ପକ୍ଷରୁ ଆଜି ଜୟଦେବ ବିହାରସ୍ଥିତ ହାପି କୋଚିଂ ଇନଷ୍ଟିଚ୍ୟୁଟ୍‌ରେ ଚଢ଼ଉ କରାଯାଇଥିବାବେଳେ ସେଠାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ନଥିଲା କି କୋଚିଂ ସେଣ୍ଟରରେ କୋଭିଡ୍‌ କଟକଣା ପାଳନ ହେଉନଥିଲା। ତେଣୁ ଏହାକୁ ମଧ୍ୟ ସିଲ୍‌ କରାଯାଇଛି। ଏହାବ୍ୟତୀତ ସିଲିକନ୍ ଇନଷ୍ଟିଚ୍ୟୁଟ୍‌କୁ ବିଏମ୍‌ସି କର୍ତ୍ତୃପକ୍ଷ ଆଜି ପରିଦର୍ଶନରେ ଯାଇଥିବାବେଳେ ସେଠାରେ କୋଭିଡ କଟକଣା ଉଲ୍ଲଂଘନ ହୋଇଥିବା ଦେଖିଥିଲେ। ଏହାପରେ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ କରାଯାଇଛି। ମଙ୍ଗଳବାର ସିଲିକନ୍ ଇନଷ୍ଟିଚ୍ୟୁଟ୍ ସିଲ୍‌ ହେବ ବୋଲି ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି।

The post କଡ଼ା ଆଭିମୁଖ୍ୟ ଗ୍ରହଣ କଲା ବିଏମ୍‌ସି; ନିୟମ ମାନ, ନହେଲେ ସିଲ୍ first appeared on Sambad.

from ରାଜ୍ୟ | Sambad https://ift.tt/3dDsUBL

Post a Comment

0 Comments