୪୭ ନୂଆ ଆମ୍ବୁଲାନ୍ସ ଲୋକାର୍ପିତ

ଭୁବନେଶ୍ବର : ଓଡ଼ିଆ ନୂଆ ବର୍ଷ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୭ଟି ଉନ୍ନତମାନର ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଲେ ଯେ ରୋଗୀଙ୍କୁ ହସ୍ପିଟାଲ୍‌ ନେବା ପାଇଁ ଆମ୍ବୁଲାନ୍ସର ଆବଶ୍ୟକତା ବଢ଼ୁଥିବାରୁ ନୂଆ ଆମ୍ବୁଲାନ୍ସଗୁଡ଼ିକ ସେ ଦିଗରେ ସହାୟକ ହୋଇପାରିବ। ଲୋକଙ୍କ ସହାୟତାରେ କରୋନାର ଦ୍ବିତୀୟ ଲହରକୁ ଆମେ ନିୟନ୍ତ୍ରଣ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଥିଲେ।

ଏହି ଆମ୍ବୁଲାନ୍ସଗୁଡ଼ିକ ଏମ୍‌ପି ଲ୍ୟାଡ୍‌, ସିଏସ୍‌ଆର୍‌ ପାଣ୍ଠି, ଡିଏମ୍‌ଏଫ୍‌ ଓ ଓମ୍‌ବାଡ୍‌ସିରୁ ଆର୍ଥିକ ସହାୟତାରେ କିଣାଯାଇଛି। ଏହା ମଧ୍ୟରୁ ୨୮ଟି ଆମ୍ବୁଲାନ୍ସ ୧୦୮ ଏମର୍ଜେନ୍ସି ଆମ୍ବୁଲାନ୍ସ ସେବା ଅଧୀନରେ ପରିଚାଳିତ ହେବ। ଅନ୍ୟ ୧୯ଟି ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ରେ ନିୟୋଜିତ ହେବ। ସୂଚନାଯୋଗ୍ୟ ଯେ ୨୦୧୩ ମାର୍ଚ୍ଚ ୫ ତାରିଖରୁ ରାଜ୍ୟରେ ଏମର୍ଜେନ୍ସି ମେଡିକାଲ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି। ବର୍ତ୍ତମାନ ୫୯୬ଟି ଆମ୍ବୁଲାନ୍ସ ରାଜ୍ୟର ବିଭିନ୍ନ ସ୍ଥାନରେ ରୋଗୀଙ୍କୁ ସେବା ଯୋଗାଇ ଦେଉଛି। ସେହିପରି ଗର୍ଭବତୀ ମହିଳା ଓ ଶିଶୁଙ୍କ ପାଇଁ ୨୦୧୪ ଜୁଲାଇ ୧୪ ତାରିଖରେ ରାଜ୍ୟରେ ଜନନୀ ଏକ୍ସପ୍ରେସ୍ ଆମ୍ବୁଲାନ୍ସ ସେବା ଜାରି ରହିଛି। ଏହା ଅଧୀନରେ ୫୦୦ଟି ଆମ୍ବୁଲାନ୍ସ ରହିଛି। ବର୍ତ୍ତମାନ ସୁଦ୍ଧା ୧୦୮ ଓ ଜନନୀ ଏକ୍ସପ୍ରେସ୍‌ରୁ ୬୨ ଲକ୍ଷ ଲୋକ ଲାଭବାନ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ କୋଭିଡ୍‌-୧୯ର ଦ୍ବିତୀୟ ଲହର ପରିପ୍ରେକ୍ଷୀରେ ଅଧିକ ଉନ୍ନତମାନର ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହା ଦ୍ବାରା ତତ୍‌କାଳ ଗୁରୁତର ରୋଗୀଙ୍କୁ ତୁରନ୍ତ ହସ୍ପିଟାଲ୍‌ ନେବା ପାଇଁ ବନ୍ଦୋବସ୍ତ କରାଯାଇପାରିବ। ସେହି ଅନୁଯାୟୀ ସରକାରଙ୍କ ପକ୍ଷରୁ ଆଜିଠାରୁ ୪୭ଟି ନୂଆ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି।

The post ୪୭ ନୂଆ ଆମ୍ବୁଲାନ୍ସ ଲୋକାର୍ପିତ first appeared on Sambad.

from ରାଜ୍ୟ | Sambad https://ift.tt/3mL3yGu

Post a Comment

0 Comments