ସିସିଏଫ୍‌ କାର୍ଯ୍ୟାଳୟ କିରାଣିଙ୍କର ଦେଢ଼କୋଟିର ସମ୍ପତ୍ତି

ଭୁବନେଶ୍ବର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମୁଖ୍ୟ ବନ ସଂରକ୍ଷକ(କେନ୍ଦୁପତ୍ର) କଟକସ୍ଥିତ କାର୍ଯ୍ୟାଳୟର ବରିଷ୍ଠ କିରାଣି ଦିଲ୍ଲୀପ କୁମାର ଜେନା। ଭୁବନେଶ୍ବର ଭିଜିଲାନ୍ସ ଡିଭିଜନର ୪ଟି ଟିମ୍ ଆଜି ଏକା ସଙ୍ଗରେ ଚଢ଼ଉ କରିଛନ୍ତି। ଚଢ଼ଉ ବେଳେ ଦେଢ଼ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଭିଜିଲାନ୍ସ ଶ୍ରୀ ଜେନାଙ୍କୁ ଅଟକ ରଖି ଅଧିକ ପଚରାଉଚରା ଚଳାଇଛି।

ମିଳିଥିବା ସୂଚନା ଅନୁସାରେ, ଶ୍ରୀ ଜେନାଙ୍କ ଘାଟିକିଆସ୍ଥିତ ବନ ତାଲିମ କେନ୍ଦ୍ର ପରିସରରେ ଥିବା ସରକାରୀ ବାସଭବନ, ଜାଗମରାରେ ଥିବା ୪ ମହଲା କୋଠା, ଢେଙ୍କାନାଳ ଗଁଦିଆ ରତନପୁରସ୍ଥିତ ପୈତୃକ ଘର ଓ ଅଫିସରେ ଆଜି ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା। ଜାଗମରାସ୍ଥିତ ୪ ମହଲା କୋଠାର ମୂଲ୍ୟ ୧ କୋଟି ୮ ଲକ୍ଷ ୭ ହଜାର ୮୩୯ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିପରି ଭୁବନେଶ୍ବର ଓ ଗଁଦିଆରେ ସାଢେ ୧୦ ଲକ୍ଷ ଟଙ୍କା ମୂଲ୍ୟର ୩ଟି ଜମି, ୧୯ ଲକ୍ଷ ୮୩ ହଜାର ଟଙ୍କା ମୂଲ୍ୟର ଦୁଇଟି ଚାରି ଚକିଆ ଗାଡ଼ି, ଲକ୍ଷାଧିକ ଟଙ୍କାର ଆସବାବପତ୍ର, ସୁନା ଅଳଙ୍କାର, ବ୍ୟାଙ୍କ ପାସବୁକ୍ ମିଳିଛି। ମୋଟ ସମ୍ପତ୍ତିର ମୂଲ୍ୟ ୧ କୋଟି ୫୬ ଲକ୍ଷ ୪୦ ହଜାର ୧୫୭ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଶ୍ରୀ ଜେନା ଘାଟିକିଆସ୍ଥିତ ସରକାରୀ ବାସଭବନରେ ରହୁଥିବା ବେଳେ ଜାଗମରାରେ ଥିବା କୋଠାକୁ ଭଡ଼ା ଦେଇଛନ୍ତି। ସେହିପରି ହିସାବକିତାବ ପରେ ବହିର୍ଭୂତ ସମ୍ପତ୍ତି ଆୟ ଠାରୁ ୨୫୦ ପ୍ରତିଶତ ହେବ ବୋଲି ଭିଜିଲାନ୍ସ ଅତିରିକ୍ତ ଏସପି ଅକ୍ଷୟ ମିଶ୍ର ସୂଚନା ଦେଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ମାମଲା ରୁଜୁ ହେବ ବୋଲି ଜଣାପଡ଼ିଛି।

The post ସିସିଏଫ୍‌ କାର୍ଯ୍ୟାଳୟ କିରାଣିଙ୍କର ଦେଢ଼କୋଟିର ସମ୍ପତ୍ତି first appeared on Sambad.

from ରାଜ୍ୟ | Sambad https://ift.tt/2Q7dmhI

Post a Comment

0 Comments