୪୮ ଘଣ୍ଟା ଯାଏ କାଳବୈଶାଖୀ, ପରିସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ

ଭୁବନେଶ୍ବର : ଆସନ୍ତା ୨୪ ତାରିଖ ସକାଳ ତଥା ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ଆଶଙ୍କା ରହିଛି। ସ୍ଥାନେ ସ୍ଥା‌ନେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ତୁହାକୁ ତୁହା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ୨୨ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ଅର୍ଧାଧିକ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସହ ୫୦ କିମି ବେଗରେ ପବନ ବହିପାରେ। ତେବେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ବରରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି।

ପରବର୍ତୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ କାଳବୈଶାଖୀ ହୋଇପାରେ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ସହ ଘଡ଼ଘଡ଼ି ଓ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ୨୩ ତାରିଖ ବେଳକୁ ପାଗରେ ସାମାନ୍ୟ ପରିବର୍ତନ ଆସିବ। ତଥାପି ମାଲକାନଗିରି, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ହୋଇପାରେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୪ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ଉକ୍ତ ଜିଲ୍ଲାଗୁଡ଼ିକ ଲାଗି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ସ୍ବତନ୍ତ୍ର ରିଲିଫ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ସମ୍ଭାବ୍ୟ ପରିସ୍ଥିତି ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ସହ ତୁରନ୍ତ ରିପୋର୍ଟ ଦେବାକୁ ପରାମର୍ଶ ଦିଆଯାଇଛି।

The post ୪୮ ଘଣ୍ଟା ଯାଏ କାଳବୈଶାଖୀ, ପରିସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ first appeared on Sambad.

from ରାଜ୍ୟ | Sambad https://ift.tt/32CDFPK

Post a Comment

0 Comments