ମା’ ତାରାତାରିଣୀଙ୍କ ଚୈତ୍ର ତୃତୀୟ ପାଳି ମଙ୍ଗଳବାର ଯାତ୍ରା ଆଜି, କେବଳ ପୁରୁଷୋତ୍ତମପୁର ଅଞ୍ଚଳବାସୀଙ୍କୁ ଦର୍ଶନ ଅନୁମତି

ଛତ୍ରପୁର/ପୁରୁଷୋତ୍ତମପୁର : ଆଜି ମା’ ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା। କରୋନା ସଂକ୍ରମଣ ବଢ଼ିବା ସାଙ୍ଗକୁ ମା’ଙ୍କ ଯାତ୍ରାରେ ଗୋଟିଏ ପରେ ଗୋଟିଏ କଟକଣା ଲଗାଇ ଚାଲିଛି ଜିଲ୍ଲା ପ୍ରଶାସନ। ପୂର୍ବରୁ ମୁଣ୍ଡନକୁ ବନ୍ଦ କରିଥିବା ବେଳେ ଏଥର ପୁରୁଷୋତ୍ତମପୁର ବ୍ଲକ୍‌ ଓ ଏନ୍‌ଏସି ବାସିନ୍ଦାଙ୍କୁ କେବଳ ଦର୍ଶନ ଅନୁମତି ମିଳିଛି। ବାହାରୁ ଆସୁଥିବା ଭକ୍ତ, ମାନସିକଧାରୀଙ୍କ ଲାଗି ମା’ଙ୍କ ଦର୍ଶନ ବନ୍ଦ କରିଛି ପ୍ରଶାସନ। ତୃତୀୟ ପାଳି ଯାତ୍ରାରେ ସବୁଠାରୁ ଅଧିକ ଭକ୍ତ ସମାଗମ ହୋଇଥାଏ।  ଏଭଳି ଆଶଙ୍କା ଥିବାରୁ ପ୍ରଶାସନ କଟକଣା କଠୋର କରିଛି। ସ୍ଥାନୀୟ ଅଞ୍ଚଳବାସୀ ଦର୍ଶନ ପାଇଁ ଯିବା ବେଳେ ପରିଚୟ ପତ୍ର ନେବା, ମାସ୍କ୍ ପରିଧାନ ଓ ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ କରାଯାଇଛି। ଏଥିସହ ୬୦ ବର୍ଷରୁ ଊର୍ଦ୍ଧ୍ବ, ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତି, ଗର୍ଭବତୀ ଓ ୧୦ରୁ କମ୍‌ ବର୍ଷର ଶିଶୁଙ୍କୁ ନେବାକୁ ବାରଣ କରାଯାଇଛି।
ମା’ଙ୍କ ତୃତୀୟ ପାଳି ଯାତ୍ରା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ପୂର୍ବଥର ଭଳି ଏଥର ମଧ୍ୟ ପାହା‌ଚ ରାସ୍ତାକୁ ବନ୍ଦ କରାଯାଇଛି। ଭକ୍ତମାନେ ପ୍ରଶାସନ ଦ୍ବାରା ନିୟୋଜିତ ବସ୍‌ ଏବଂ ରୋପ୍‌ ୱେ ଜରିଆରେ ପାହାଡ଼ ଶିଖରକୁ ଯିବେ। ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଆଜି ରାତି ୨ଟାରୁ କଣ୍ଟ୍ରୋଲ ରୁମ୍‌ ପୂର୍ବ ଥର ଭଳି ଏଥର ବି କାର୍ଯ୍ୟ କରିବ। ପ୍ରଶାସନ ପକ୍ଷରୁ ମୁଣ୍ଡନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ଗତ ଥର ଲୋକମାନେ କଟକଣା ନମାନି ଏଣେତେଣେ ବସି ମୁଣ୍ଡନ କରୁଥିବା ଦେଖିବାକୁ ମିଳିଥିଲା। ଏହାକୁ ରୋକିବା ଲାଗି ଏଥର ପୁଲିସ ଫୋର୍ସ ସହ ୨ଟିମ୍‌ ଗଠନ ହୋଇଛି। ସିଂହଦ୍ବାର ଠାରୁ ନିରୁପମା ହୋଟେଲ ପଛ ପାର୍ଶ୍ବ ପର୍ଯ୍ୟନ୍ତ ଗୋଟିଏ ଟିମ୍‌ ପଇଁତରା ମାରି ଯାଞ୍ଚ କରିବ। ସେହିପରି ଆଉ ଏକ ଟିମ୍‌ ସିଂହଦ୍ବାର ଠାରୁ ନରସିଂହପୁର ଛକ ପର୍ଯ୍ୟନ୍ତ ଅନୁଧ୍ୟାନ କରିବ। ସମୁଦାୟ ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ମାଲବାହୀ ଯାନରେ ଯାତ୍ରୀ ପରିବହନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।
ସୂଚନା ଥାଉକି, ଚଳିତ ବର୍ଷ ମା’ଙ୍କ ୫ପାଳି ମଙ୍ଗଳବାର ଯାତ୍ରା ଅନୁଷ୍ଠିତ ହେବ।
The post ମା’ ତାରାତାରିଣୀଙ୍କ ଚୈତ୍ର ତୃତୀୟ ପାଳି ମଙ୍ଗଳବାର ଯାତ୍ରା ଆଜି, କେବଳ ପୁରୁଷୋତ୍ତମପୁର ଅଞ୍ଚଳବାସୀଙ୍କୁ ଦର୍ଶନ ଅନୁମତି first appeared on Sambad.

from ରାଜ୍ୟ | Sambad https://ift.tt/32aqWDS

Post a Comment

0 Comments