କରୋନା କଟକଣାରେ ମାଟ୍ରିକ୍‌ ପରୀକ୍ଷା: ସଂକ୍ରମିତ ପରୀକ୍ଷାର୍ଥୀଙ୍କ ଲାଗି ବିକଳ୍ପ ବ୍ୟବସ୍ଥା

ପରୀକ୍ଷକଙ୍କ ପାଇଁ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ
୩୩୦୦ରୁ ଅଧିକ ପରୀକ୍ଷା କେନ୍ଦ୍ର କରିବାକୁ ଯୋଜନା

ଭୁବନେଶ୍ବର : ମେ’ ୩ରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ୍‌ ତଥା ଦଶମ ଶ୍ରେଣୀ ପରୀକ୍ଷା ଘୁଞ୍ଚିବ ନାହିଁ। ନିର୍ଦ୍ଧାରିତ ସମୟରେ ହିଁ କରାଯିବ। ତେବେ କୋଭିଡ୍‌-୧୯ ସଂକ୍ରମଣକୁ ନଜରରେ ରଖି ଏଥର ପରୀକ୍ଷା ପରିଚାଳନାରେ କିଛିଟା ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ହୋଇଛି। ପରୀକ୍ଷା ସମୟରେ ଯଦି କୌଣସି ପରୀକ୍ଷାର୍ଥୀ କରୋନା ଆକ୍ରାନ୍ତ ହୁଅନ୍ତି, ତେବେ ସେମାନଙ୍କ ଲାଗି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ। କେଉଁ ପ୍ରକାର ବିକଳ୍ପ ହେବ, ସେନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଯେଉଁ ନିଷ୍ପତ୍ତି ନେବ, ତାହାକୁ ଅନୁଧ୍ୟାନ କରିବା ପରେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆମେ ପଦକ୍ଷେପ ନେବୁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ଅନ୍ୟପକ୍ଷରେ ମାଟ୍ରିକ୍‌ ପରୀକ୍ଷା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କରୋନାକୁ ଦୃଷ୍ଟିରେ ରଖି ଏଥର ନିଜ ନିଜ ସ୍କୁଲରେ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ପରୀକ୍ଷା କେନ୍ଦ୍ର ହୋଇଛି। ଗତବର୍ଷ ପାଖାପାଖି ୨୮ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ତେବେ ଏଥର ୩୩୦୦ରୁ ଅଧିକ ପରୀକ୍ଷା କେନ୍ଦ୍ର ହୋଇଛି। କରୋନା ସଂକ୍ରମଣ ଉପରମୁହାଁ ଥିବାରୁ କୋଭିଡ୍‌-୧୯ ନିୟମକୁ ପାଳନ କରାଯାଇ ଏଥର ପରୀକ୍ଷା ହେବ। ପ୍ରାୟ ୬ ଲକ୍ଷ ୧୯ ହଜାର ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଥିବାରୁ ପରୀକ୍ଷା କେନ୍ଦ୍ର ଓ ହଲ୍‌ଗୁଡ଼ିକରେ ସାମାଜିକ ଦୂରତା, ମାସ୍କ ପରିଧାନ ଓ ସାନିଟାଇଜର୍‌ ବ୍ୟବହାରକୁ ବାଧ୍ୟତାମୂଳକ କରାଯିବ।

ପରୀକ୍ଷାରେ ନିୟୋଜିତ ହେବାକୁ ଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ କରୋନା ପରୀକ୍ଷା କରିବାକୁ ଯୋଜନା ହୋଇଛି। ଅବଜରଭର୍‌ ଓ ସ୍କ୍ବାଡ୍‌ରେ ଯେଉଁମାନେ ସାମିଲ ହେବେ, ସେମାନଙ୍କର ବି କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଆବଶ୍ୟକ। ପରୀକ୍ଷା ଚାଲିଥିବା ସମୟରେ ଯଦି କୌଣସି ପରୀକ୍ଷକ କରୋନା ପଜିଟିଭ୍‌ ଚିହ୍ନଟ ହୁଅନ୍ତି, ତେବେ ତାଙ୍କୁ ପରୀକ୍ଷା ପରିଚାଳନାରୁ ସମ୍ପୂର୍ଣ୍ଣ ଭାବେ ବାଦ୍‌ ଦିଆଯିବ। ପରୀକ୍ଷା ହଲ୍‌ ଭିତରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୬ ଫୁଟ୍‌ର ଦୂରତା ରହିବା ବାଧ୍ୟତାମୂଳକ। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଯେପରି କରୋନା କଟକଣା ଠିକ୍‌ ଭାବେ ପାଳନ ହୁଏ, ସେଥିପାଇଁ ଜିଲ୍ଲା ଓ ବ୍ଲକସ୍ତରରେ ଅଧିକାରୀମାନେ ନିୟୋଜିତ ହେବେ। ଯେଉଁ କେନ୍ଦ୍ରରେ ଅଧିକ ପିଲା ଥିବେ, ସେଠାରେ ପରୀକ୍ଷାର ଘଣ୍ଟାଏ/ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଭିତରକୁ ଛଡ଼ାଯିବ। ପରୀକ୍ଷା କେନ୍ଦ୍ର ନିକଟରେ କୌଣସି ଅଭିଭାବକଙ୍କୁ ରହିବାକୁ ସୁଯୋଗ ମିଳିବ ନାହିଁ। କପି ରୋକିବା ପାଇଁ ଏଥର ସବୁ କେନ୍ଦ୍ରରେ ସିସି କ୍ୟାମେରାକୁ ବାଧ୍ୟତାମୂଳକ କରାଯିବ। ପରୀକ୍ଷାର ସୁପରିଚାଳନା ଲାଗି ତ୍ରିସ୍ତରୀୟ ସ୍କ୍ବାଡ୍‌ ସହ ସବୁ ଜିଲାରେ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ମଧ୍ୟ ନିୟୋଜିତ ହେବେ। ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌, ଘଣ୍ଟା ପରି ବୈଦ୍ୟୁତିକ ସାମଗ୍ରୀ ଉପରେ କଟକଣା ଜାରି ହେବ।

ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ପୂର୍ବ ନିଷ୍ପତ୍ତି ଅନୁସାରେ ଧାର୍ଯ୍ୟ ସମୟରେ ମାଟ୍ରିକ୍‌ ପରୀକ୍ଷା ହେବ। ଏନେଇ ବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଛି। ପରୀକ୍ଷା କେନ୍ଦ୍ର ସଂଖ୍ୟା ବଢ଼ାଯାଇଥିବା ବେଳେ କରୋନା କଟକଣା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖୁବ୍‌ଶୀଘ୍ର ପରୀକ୍ଷା କେନ୍ଦ୍ର ଚୂଡ଼ାନ୍ତ ହେବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି।

The post କରୋନା କଟକଣାରେ ମାଟ୍ରିକ୍‌ ପରୀକ୍ଷା: ସଂକ୍ରମିତ ପରୀକ୍ଷାର୍ଥୀଙ୍କ ଲାଗି ବିକଳ୍ପ ବ୍ୟବସ୍ଥା first appeared on Sambad.

from ରାଜ୍ୟ | Sambad https://ift.tt/3d7kGTC

Post a Comment

0 Comments