ତିନି ଛୁଆଙ୍କ ସହ ଫ୍ଲାଏଓଭର୍‌ରୁ ଡେଇଁଲା ବେଳେ ମହିଳା ଉଦ୍ଧାର

ଘରୁ ବାହାର କରିଦେଲା ସ୍ବାମୀ, ସାବତ ମା’ ବି ଘରେ ପୂରାଇ ଦେଲାନି

ଭୁବନେଶ୍ବର : ଆଉ ମୁହୂର୍ତ୍ତେ ଡେରି ହୋଇଥିଲେ ଘଟି ଯାଇଥାନ୍ତା ବଡ଼ ଅଘଟଣ। ସମସ୍ତଙ୍କ ଆଗରେ ଚାଲି ଯାଇଥାନ୍ତା ଚାରି ଚାରିଟି ଜୀବନ। ତେବେ ସୌଭାଗ୍ୟକୁ ଦେବଦୂତ ଭଳି ଉଭା ହୋଇ ଜଣେ ପଥଚାରୀ ସେମାନଙ୍କୁ ବଞ୍ଚାଇଦେଲେ। ତିନି ଛୁଆଙ୍କୁ ଧରି ବରମୁଣ୍ଡା ଫ୍ଲାଏଓଭର୍‌ରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ ସ୍ଥାନୀୟ ଜଣେ ବ୍ୟକ୍ତି ଉଦ୍ଧାର କରିବା ଘଟଣା ଆଜି ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି। ମହିଳା ଜଣଙ୍କ ହେଲେ, ଗଂଜାମ ବୁଗୁଡ଼ାସ୍ଥିତ ବଡ଼ପଙ୍କଳାବାଡ଼ିର ମାମାଜିନୀ ଗୌଡ଼। ୩ ଛୁଆଙ୍କ ସହ ମହିଳାଙ୍କୁ ପୁଲିସ୍‌ ନିକଟସ୍ଥ ସର୍ଟ ଷ୍ଟେ’ ହୋମ୍‌ରେ ଛାଡ଼ିବା ସହ ତାଙ୍କ ପରିବାରଲୋକଙ୍କୁ ଖବର ଦେଇଛି।

ସୂଚନା ଅନୁଯାୟୀ, ମହିଳା ଜଣଙ୍କ ୩ ଛୋଟ ଛୋଟ ଛୁଆଙ୍କ ସହ ରବିବାର ସଂଧ୍ୟାରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଏକ ବସ୍‌ରୁ ଓହ୍ଲାଇବା ପରେ ଚାଲି ଚାଲି ଫ୍ଲାଏଓଭର୍‌ ଉପରକୁ ପଳାଇ ଆସିଥିଲେ। ସେ ଖୁବ ବିଚଳିତ ଜଣାପଡ଼ୁଥିଲେ। ତାଙ୍କ ମାନସିକ ଅବସ୍ଥା ଠିକ୍ ନ ଥିଲା।

ସେ ୩ ଛୁଆଙ୍କୁ ଧରି କେତେବେଳେ ଗାଡ଼ି ଆଗକୁ ମାଡ଼ି ଆସୁଥିଲେ ତ କେତେବେଳେ ଫ୍ଲାଏଓଭର କଡ଼କୁ ଚାଲି ଆସୁଥିଲେ। ହଠାତ୍‌ ମହିଳା ଜଣକ ଫ୍ଲାଏଓଭର ବାଡ଼ାକୁ ଚଢ଼ିଯାଇ ତିନି ଛୁଆଙ୍କ ସହ ତଳକୁ ଡେଇଁବାକୁ ଯାଉଥିଲେ। ଏହା ଦେଖି ସ୍ଥାନୀୟ ଜଣେ ବ୍ୟକ୍ତି ତାଙ୍କୁ ଅଟକାଇବା ସହ ଉଦ୍ଧାର କରି ଖଣ୍ଡଗିରି ଥାନାକୁ ନେଇ ଆସିଥିଲେ ଏବଂ ପୁଲିସକୁ ସବୁ କଥା କହିଥିଲେ। ପୁଲିସ୍‌ ମହିଳାଙ୍କୁ ପଚରାଉଚରା କରିବା ପରେ ମହିଳ ଜଣକ ତାଙ୍କ ନାଁ ମାମାଜିନୀ ଗୌଡ଼ ବୋଲି କହିବା ସହ ସ୍ବାମୀ ଦ୍ବାରା ନିର୍ଯାତିତା ହୋଇ ଆତ୍ମହତ୍ୟା କରିବାକୁ ଯାଉଥିବା ସ୍ବୀକାର କରିଥିଲେ।

ମାମାଜିନୀଙ୍କ କହିବା ଅନୁଯାୟୀ ଗତ କିଛି ମାସ ହେଲା ତାଙ୍କ ସ୍ବାମୀ ଦ୍ବିତୀୟ ବିବାହ କରିଛନ୍ତି। ଏହାକୁ ନେଇ ପରିବାରରେ ଅଶାନ୍ତି ଦେଖାଦେଇଥିଲା। ରବିବାର ଦିନ ତାଙ୍କ ସ୍ବାମୀ ତାଙ୍କୁ ଘରୁ ତଡ଼ି ଦେଇଥିଲେ। ଫଳରେ ୩ ଛୁଆଙ୍କୁ ଧରି ମାମାଜିନୀ ନିଜ ବାପଘରୁ ଚାଲି ଯାଇଥିଲେ। କିନ୍ତୁ ସେଠାରେ ସାବତ ମା’ ବଇରି ସାଜିଥିଲା। ସେ ମାମାଜିନୀଙ୍କୁ ଘରେ ପୂରାଇ ଦେଇନଥିଲା। ତେଣୁ ମାମାଜିନୀ ବସ୍‌ରେ ବସି ଭୁବନେଶ୍ୱର ଚାଲି ଆସିଥିଲେ। ଏଠାରେ ସଂଧ୍ୟାରେ ପହଞ୍ଚି ଏଣେତେଣେ ଘୂରି ବୁଲିବା ପରେ ୩ ଛୁଆଙ୍କ ସହ ଆତ୍ମହତ୍ୟା କରିବାର ଚରମ ନିଷ୍ପତ୍ତି ନେଇଥିଲେ। ତେବେ ଏକ ବଡ଼ଧରଣର ଅଘଟଣ ଘଟିବା ପୂର୍ବରୁ ସ୍ଥାନୀୟ ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରିନେଇଥିଲେ। ଏହି ଘଟଣାରେ ପୁଲିସ ମାମାଜିନୀଙ୍କୁ ସର୍ଟ ଷ୍ଟେ’ ହୋମ୍‌ରେ ଛାଡ଼ିଥିଲେ ହେଁ ପରେ ଘରକୁ ପଠାଇବା ପାଇଁ ବ୍ୟବସ୍ଥା କରିବ ବୋଲି କହିଛି।

The post ତିନି ଛୁଆଙ୍କ ସହ ଫ୍ଲାଏଓଭର୍‌ରୁ ଡେଇଁଲା ବେଳେ ମହିଳା ଉଦ୍ଧାର first appeared on Sambad.

from ରାଜ୍ୟ | Sambad https://ift.tt/2QCkvqF

Post a Comment

0 Comments