ଆଇଆଇଟି ଭୁବନେଶ୍ବରର ନୂତନ ଅଧ୍ୟୟନ: ୫ ଲେୟାର ମାସ୍କ ହିଁ ଡ୍ରପଲେଟ୍‌ ରୋକିବାରେ ସକ୍ଷମ

ଏନ୍‌-୯୫ କି ସର୍ଜିକାଲ ମାସ୍କ ସଂପୂର୍ଣ୍ଣ ସୁରକ୍ଷିତ ନୁହେଁ
ଏକା ସାଙ୍ଗରେ ଦୁଇଟି ସର୍ଜିକାଲ ମାସ୍କ ପିନ୍ଧିବାକୁ ପରାମର୍ଶ

ଭୁବନେଶ୍ବର : କରୋନାକୁ ରୋକିବା ପାଇଁ ଲୋକମାନେ ପିନ୍ଧୁଥିବା ମାସ୍କ ଓ ଫେସ୍ ସିଲ୍‌ଡ ସଂପୂର୍ଣ୍ଣ ଭାବେ ମୁହଁରୁ ବାହାରୁଥିବା ଡ୍ରପ୍‌ଲେଟ୍‌କୁ ରୋକିବାରେ ସମର୍ଥ ନୁହେଁ। ଜଣେ ବୟସ୍କ ବ୍ୟକ୍ତି ଠିଆ ହୋଇଥିବା ସମୟରେ କିମ୍ବା ଚାଲିବା ସମୟରେ ଯେଉଁ ନିଶ୍ବାସ ନେଇଥାଏ ଏଥିରେ ଛୋଟ ଡ୍ରପଲେଟ୍‌(୧୦ଏମ୍‌ୟୁରୁ କମ୍ ବ୍ୟାସାର୍ଦ୍ଧ) ୫ ସେକେଣ୍ଡରେ ୪ ଫୁଟ୍‌ ଦୂରତା ଅତିକ୍ରମ କରିବାରେ ସକ୍ଷମ ହେଉଛି। ଏହି ଡ୍ରପଲେଟ୍‌ ଯୋଗୁଁ ସଂକ୍ରମଣ ବ୍ୟାପିପାରେ। ତେଣୁ ଲୋକମାନେ କଥାବାର୍ତା ହେବା ସମୟରେ ସର୍ଜିକାଲ ମାସ୍କ କଦାପି ପିନ୍ଧିବା ଉଚିତ ନୁହେଁ। ଏପରିକି ହସ୍ପିଟାଲ ଭଳି ସ୍ଥାନରେ ସାମାଜିକ ଦୂରତ୍ବ ବଜାୟ ରଖିବା ସମ୍ଭବ ନ ଥିବାରୁ ସେସବୁ ସ୍ଥାନରେ ମାସ୍କ ଓ ଫେସ୍‌ ସିଲ୍‌ଡ ପିନ୍ଧିବା ପର୍ଯ୍ୟାପ୍ତ ନୁହେଁ ବୋଲି ଆଇଆଇଟି ଭୁବନେଶ୍ବର ପକ୍ଷରୁ ହୋଇଥିବା ନୂତନ ଅଧ୍ୟୟନରୁ ଜଣାପଡ଼ିଛି।

ରାଜ୍ୟରେ ଏବେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଆରମ୍ଭ ହୋଇଛି। ଧୀରେ ଧୀରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏଭଳି ପରିସ୍ଥିତିରେ କରୋନାକୁ ନିୟନ୍ତ୍ରଣ କରିବା ଲାଗି ଠିକ୍‌ରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ବଜାୟ ରଖିବା ଉପରେ ଗୁରୁତ୍ବ ଦିଆଯାଉଛି। ମାତ୍ର ଏସବୁ ଯେ ସଂକ୍ରମଣ ରୋକିବାରେ ସମ୍ପୂର୍ଣ୍ଣ ସଫଳ ନୁହେଁ, ତାହା ଗବେଷଣାରୁ ସ୍ପଷ୍ଟ ହେବାରେ ଲାଗିଛି। ଆଇଆଇଟି ଭୁବନେଶ୍ବର ପକ୍ଷରୁ ହୋଇଥିବା ଅଧ୍ୟୟନରେ ସବୁଠାରୁ ଉନ୍ନତମାନର ମାସ୍କ ଭାବେ ବିବେଚନା କରାଯାଉଥିବା ଏନ୍‌-୯୫ ମାସ୍କ ମଧ୍ୟ ସବୁ ଦୃଷ୍ଟିରୁ ସୁରକ୍ଷିତ ନ ଥିବା କୁହାଯାଇଛି। ଏହା କେବଳ ସମ୍ମୁଖ ଭାଗରେ ଡ୍ରପଲେଟ୍‌କୁ ରୋକିବାରେ ସଫଳ ହୋଇପାରୁଛି। ମାତ୍ର ମାସ୍କ ଓ ନାକ ଭିତରେ ରହିଥିବା ବ୍ୟବଧାନ ଯୋଗୁଁ ଡ୍ରପଲେଟ୍‌ ଲିକ୍ ହେଉଥିବା ନଜରକୁ ଆସିଛି। ଏସବୁ ଦୃଷ୍ଟିରୁ ୫ ଲେୟାର ମାସ୍କ ହିଁ ନିରାପଦ ବୋଲି ଗବେଷଣାରୁ ଜଣାପଡ଼ିଛି। ଏଥିରେ କମ୍ ମାତ୍ରରେ ଡ୍ରପଲେଟ୍‌ ଲିକ୍ ହେଉଛି। ଆଇଆଇଟି ଭୁବନେଶ୍ବରର ସ୍କୁଲ ଅଫ୍‌ ମେକାନିକାଲ୍ ସାଇନ୍‌ସର ସହକାରୀ ପ୍ରଫେସର ଡ.ଭେନୁଗୋପାଳ ଆରୁମୁରୁ ଓ ତାଙ୍କ ଟିମ୍ ଏହି ଅଧ୍ୟୟନ କରିଛନ୍ତି।

ବରିଷ୍ଠ ଚିକିତ୍ସକ ଡା.ନିରୋଜ ମିଶ୍ରଙ୍କ କହିବା କଥା, ବିଦେଶରେ ହୋଇଥିବା ଗବେଷଣାରେ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌ ରୋକିବା ଲାଗି ଡବଲ ମାସ୍କ ପିନ୍ଧିବାକୁ ଗୁରୁତ୍ବ ଦିଆଯାଇଛି। ଯାହାଫଳରେ ଅନ୍ୟକୁ ସଂକ୍ରମଣ ହ୍ରାସ ପାଇଥାଏ। ପଞ୍ଜାବରେ ଏବେ ଯେଉଁ ସଂକ୍ରମଣ ଦେଖାଦେଇଛି ତହିଁରୁ ୮୦ ପ୍ରତିଶତ ହେଉଛି ୟୁକେ ଷ୍ଟ୍ରେନ୍। ଏହାସହ ଚାଷୀ ଆନ୍ଦୋଳନ, ବଡ଼ ବାହାଘର ଓ ବହୁ ସଂଖ୍ୟାରେ ଲୋକ ଏକାଠି ହେବା କାରଣରୁ ସେଠାରେ ସଂକ୍ରମଣ ବଢ଼ି ଚାଲିଛି। ଏ ସମୟରେ ଆଇଆଇଟି ଭୁବନେଶ୍ବରର ଏହି ଗବେଷଣା ମଧ୍ୟ ସମାନ କଥା କହୁଛି। ହେଲେ ୫ ଲେୟାର ମାସ୍କ ଲୋକମାନେ ପାଇବା କଷ୍ଟକର। ଏ ଦୃଷ୍ଟିରୁ ବାହାରକୁ ଯିବା ସମୟରେ ଦୁଇଟି ସର୍ଜିକାଲ ମାସ୍କ ପିନ୍ଧିଲେ ତାହା ମଧ୍ୟ ସଂକ୍ରମଣକୁ ଯଥାସମ୍ଭବ ନିୟନ୍ତ୍ରଣ କରିପାରିବ। ବାହାରେ ସାମାଜିକ ଦୂରତ୍ବରେ କଥା ହେବା ଅପେକ୍ଷା ଘର ଭିତରେ କିମ୍ବା ଇନ୍‌ଡୋରରେ ବହୁ ସଂଖ୍ୟାରେ ଲୋକ ଏକାଠି ହେଲେ ସଂକ୍ରମଣ ବଢ଼ିବା ନିଶ୍ଚିତ ବୋଲି ଡା.ମିଶ୍ର କହିଛନ୍ତି।

The post ଆଇଆଇଟି ଭୁବନେଶ୍ବରର ନୂତନ ଅଧ୍ୟୟନ: ୫ ଲେୟାର ମାସ୍କ ହିଁ ଡ୍ରପଲେଟ୍‌ ରୋକିବାରେ ସକ୍ଷମ first appeared on Sambad.

from ରାଜ୍ୟ | Sambad https://ift.tt/31ZinM8

Post a Comment

0 Comments