ଏମାର ମଠର ରୁପା ଇଟାକୁ ନେଇ ଚର୍ଚ୍ଚା: ୪୫ ରୁପା ଇଟାର ଓଜନ ଦେଢ଼ ଟନ୍, ୫ ଫୁଟ ମାଟି ତଳେ ପୋତାଯାଇଥିଲା

ପୁରୀ : ଶ୍ରୀକ୍ଷେତ୍ରର ଧନୀ ମଠ ‘ଏମାର’ର ପରିଚାଳନା ଦାୟିତ୍ବ ମଠ ମହନ୍ତ ଗୋପାଳ ରାମାନୁଜ ଦାସଙ୍କଠାରୁ ଅପସାରଣ କରାଯାଇ ଏବେ ନୂଆ ଟ୍ରଷ୍ଟ ହାତକୁ ଯାଇଛି। ଏ ଭିତରେ ମଠର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ହିସାବ ସହ ତାଲିକା ପ୍ରସ୍ତୁତ ପରେ ନୂଆ ଟ୍ରଷ୍ଟକୁ ଏହି ତାଲିକା ହସ୍ତାନ୍ତର କରାଯାଇଛି। ତେବେ ଗତକାଲି ମଠ ପରିସରରୁ ମାଟି ତଳୁ ମିଳିଥିବା ରୁପା ଇଟାର ଚର୍ଚ୍ଚା ଏବେ ସୁଦ୍ଧା ଥମିବାକୁ ନାଁ ଧରିନି। ଆକଳନ ବେଳେ ଏହି ଠାବ ରୁପା ଇଟାର ଓଜନ ଦେଢ଼ ଟନ୍‌ ହେବ ବୋଲି ଟ୍ରଷ୍ଟର ମୁଖ୍ୟ ନାରାୟଣ ରାମାନୁଜ ଦାସ ମହାରାଜ କହିଛନ୍ତି। ବର୍ତ୍ତମାନର ବଜାର ଦର ଦେଖିଲେ ଉଦ୍ଧାର ରୁପା ଇଟାର ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ।

ଦୁଇଦିନ ତଳେ ମଠ ମହନ୍ତ ଗୋପାଳ ରାମାନୁଜ ଦାସଙ୍କଠାରୁ ଦାୟିତ୍ବ ଅପସାରଣ କରି ଦେବୋତ୍ତର ବିଭାଗ ନୂଆ ଟ୍ରଷ୍ଟକୁ ପରିଚାଳନା ଦାୟିତ୍ବ ଦେଇଛି। ଉତ୍ତରପାର୍ଶ୍ବ ମଠ ମହନ୍ତ ନାରାୟଣ ରାମାନୁଜ ଦାସ ନୂଆ ଟ୍ରଷ୍ଟର ମୁଖ୍ୟ ଥିବାବେଳେ ଶ୍ରୀଜଗନ୍ନାଥ ସଂସ୍କୃତି ବରିଷ୍ଠ ଗବେଷକ ଡ. ନରେଶ ଚନ୍ଦ୍ର ଦାସ, ଆଇନଜୀବୀ ବନବିହାରୀ ନାୟକ, ସମାଜସେବୀ ପ୍ରତୀମା ମିଶ୍ର ଓ ସିଟି ଡିଏସ୍‌ପି କ୍ଷୀରସାଗର ନାୟକ ଟ୍ରଷ୍ଟର ସଦସ୍ୟ ରହିଛନ୍ତି। ଗତ ଦୁଇଦିନ ଧରି ଏମାର ମଠର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ହିସାବ ଚାଲିଥିଲା। ଏ ଭିତରେ ମଠର ସମ୍ପତ୍ତି ତାଲିକା ହିସାବ ଶେଷ ହୋଇଛି। ଏ ସମ୍ପର୍କରେ ଟ୍ରଷ୍ଟ ମୁଖ୍ୟ ନାରାୟଣ ରାମାନୁଜ ଦାସ କହିଛନ୍ତି, ଯାଞ୍ଚ ସମୟରେ ମଠର ସମ୍ପତ୍ତି ତାଲିକାରେ ଥିବା ୪୫ ଖଣ୍ଡ ଇଟା ମିଳିନଥିଲା। ମଠ ମହନ୍ତଙ୍କୁ ଏ ସମ୍ପର୍କରେ ପଚରାଉଚରା ପରେ ସେ ମଠ ପରିସର ଏକ ଛୋଟିଆ କୋଠରୀ ଭିତରେ ଏହା ଲୁଚାଇ ରଖିଥିବା ସ୍ବୀକାର କରିଥିଲେ। ମାଟି ତଳେ ଏହାକୁ ପୋତି ରଖିଥିବା କହିବା ପରେ ମାଟି ଖୋଳି ରୁପା ଇଟାକୁ ବାହାର କରାଯାଇଥିଲା। ଓଜନ ବେଳେ ଗୋଟିଏ ଗୋଟିଏ ଇଟାର ଓଜନ ୩୦ରୁ ୩୩ କେଜି ଭିତରେ ରହିଥିଲା। ଏହାବାଦ୍ କିଛି ରୁପା ଅଳଙ୍କାର ବି ମିଳିଛି। ସେହିଭଳି କିଛି ପିତଳ ହଣ୍ଡାହାଣ୍ଡି ବି ମିଳିଛି। ରୁପା ଇଟା ଜିଲ୍ଲା କୋଷାଗାରରେ ରଖାଯାଇଥିବାବେଳେ ବାକି ଅଳଙ୍କାର ଓ ଆସବାବପତ୍ର ଲକରରେ ରଖିବାକୁ ଆମେ ଦେବୋତ୍ତର ବିଭାଗକୁ ଅନୁରୋଧ କରିଛୁ। ଏ ସମ୍ପର୍କରେ ଦେବୋତ୍ତର କମିସନରଙ୍କୁ ବି ଚିଠି କରିଛୁ। ଆସନ୍ତାକାଲି ସୁଦ୍ଧା ନିଶ୍ଚିତ ଏ ଦିଗରେ କିଛି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଜଣାପଡ଼ିଛି କି ମଠ ମହନ୍ତ ନିଜେ କିଛି ଇଟାକୁ ଗାତ ଖୋଳି ପୋତିଥିଲେ। ପରେ ଲୋକ ଲଗାଇ ଏହାକୁ ପୋତିଥିଲେ। ଏଥିପାଇଁ ସେ କୋଠରୀ ଭିତରେ ପ୍ରାୟ ୫ ଫୁଟ ଗଭୀର, ୫ ଫୁଟ ଲମ୍ବ ଓ ଅଢ଼େଇ ଫୁଟ ଓସାରର ଏକ ଗାତ ଖୋଳିଥିଲେ। ପ୍ରଥମେ ନିଜେ ଗାତ ଖୋଳି କିଛି ରୁପା ଇଟା ପୋତିଥିଲେ। ପରେ ଲୋକ ଲଗାଇ ଗାତ ଖୋଳି ବାକି ଇଟା ପୋତିଥିଲେ ବୋଲି ଜଣାପଡ଼ିଛି।

The post ଏମାର ମଠର ରୁପା ଇଟାକୁ ନେଇ ଚର୍ଚ୍ଚା: ୪୫ ରୁପା ଇଟାର ଓଜନ ଦେଢ଼ ଟନ୍, ୫ ଫୁଟ ମାଟି ତଳେ ପୋତାଯାଇଥିଲା first appeared on Sambad.

from ରାଜ୍ୟ | Sambad https://ift.tt/3g0Ah9p

Post a Comment

0 Comments