ସରକାରଙ୍କ ହାଇସ୍ପିଡ୍ ଡିଜିଟାଲ୍‌ ସିଷ୍ଟମ୍‌ ଏମିତି : ବାରିପଦା ମେଡିକାଲ୍‌ କଲେଜ ସମ୍ବଲପୁରରେ!

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ରହିଛି ବାରିପଦା ମେଡିକାଲ୍‌ କଲେଜ। ଶୁଣିବାକୁ ତାଜୁବ୍‌ ଲାଗିପାରେ। କିନ୍ତୁ ଏ କଥା ଆମେ କହୁନୁ, ଏକଥା କହୁଛି ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନ୍ତର୍ଗତ ସ୍ବାସ୍ଥ୍ୟସେବା ନିର୍ଦେଶାଳୟର ୱେବ୍‌ସାଇଟ୍‌।

ଏହି ସରକାରୀ ୱେବ୍‌ସାଇଟ୍‌ ତଥ୍ୟ ଅନୁଯାୟୀ ରାଜ୍ୟରେ ମୋଟ୍‌ ୭ଟି ମେଡିକାଲ୍‌ କଲେଜ ରହିଛି। ଏସବୁ ହେଲା କଟକର ଏସ୍‌ସିବି, ଗଞ୍ଜାମର ଏମ୍‌କେସିଜି, ସମ୍ବଲପୁରର ଭିଏସ୍‌ଏସ୍‌, ବାଲେଶ୍ବରର ଏଫ୍‌ଏମ୍‌, ବଲାଙ୍ଗୀରର ବିବି, କୋରାପୁଟର ଏସ୍‌ଏଲ୍‌ଏନ୍‌ ଏବଂ ବାରିପଦାର ପିଆର୍‌ଏମ୍‌ ( ପଣ୍ଡିତ ରଘୁନାଥ ମୁର୍ମୁ) ମେଡିକାଲ କଲେଜ। ତେବେ ୱେବ୍‌ସାଇଟ୍‌ରେ ପ୍ରଦତ୍ତ ଜିଲ୍ଲା ନାମ ଦେଖିଲେ ପିଆର୍‌ଏମ୍‌ ମେଡିକାଲ୍‌ କଲେଜ ସମ୍ବଲପୁର ଜିଲ୍ଲାରେ ଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ଲୋକେ ଦ୍ବନ୍ଦ୍ବରେ ପଡ଼ୁଛନ୍ତି। କାରଣ ବର୍ତ୍ତମାନ ଡିଜିଟାଲ୍‌ ପ୍ଲାଟ୍‌ଫର୍ମର ବ୍ୟବହାର ବହୁଳ ମାତ୍ରାରେ ହେଉଥିବା ସମୟରେ ସାଧାରଣ ଲୋକେ ସରକାରୀ ତଥ୍ୟ ଓ ସୂଚନା ପାଇଁ ପ୍ରାୟତଃ ସରକାରୀ ୱେବ୍‌ସାଇଟ୍‌ ଉପରେ ନିର୍ଭର କରୁଛନ୍ତି। ଗାଁ ଗାଁରେ ‘ମୋ ସେବା କେନ୍ଦ୍ର ଖୋଲୁଛି। ‘ଓଡ଼ିଶା ୱାନ୍‌ ପୋର୍ଟାଲ‘ ମଧ୍ୟ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଡିଜିଟାଲ୍‌ ବଜେଟ୍ ମଧ୍ୟ ଅଣାସରିଛି। ଡିଜିଟାଲ ମାଧ୍ୟମକୁ ସରକାର ଗୁରୁତ୍ବ ଦେବା ବେଳେ ସରକାରୀ ୱେବ୍‌ସାଇଟ୍‌ରେ ଏତେ ବଡ଼ ଭୁଲ୍‌ କିଭଳି ରହିଲା, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୱେବ୍‌ସାଇଟ୍‌ର ତ୍ରୁଟି ସୁଧାରିବାକୁ ଦାବି ହୋଇଛି।

The post ସରକାରଙ୍କ ହାଇସ୍ପିଡ୍ ଡିଜିଟାଲ୍‌ ସିଷ୍ଟମ୍‌ ଏମିତି : ବାରିପଦା ମେଡିକାଲ୍‌ କଲେଜ ସମ୍ବଲପୁରରେ! first appeared on Sambad.



from ରାଜ୍ୟ – Sambad https://ift.tt/3qo92XQ

Post a Comment

0 Comments