ଗାଁ ଛକରେ ବୁଲିଲା ଖଣ୍ଡା : ବାପା ମୃତ, ପୁଅ ଗୁରୁତର

ବ୍ରହ୍ମପୁର : ଗଞ୍ଜାମ ସଦର ଥାନା ଅନ୍ତର୍ଗତ ସାତକୁଟୁଣୀ ଗ୍ରାମ ଛକରେ ଆଜି ରାତି ପ୍ରାୟ ୯ଟା ବେଳେ ଖଣ୍ଡା ବୁଲିଛି। କିଛି ଦୁର୍ବୃତ୍ତ ଝାଡ଼ାଙ୍କୋଲି ଗ୍ରାମର କୋରା ସେଠୀ ଓ ପୁଅ ପ୍ରଶାନ୍ତ ସେଠୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ବାପା କୋରାଙ୍କ ମୃତ୍ୟୁ ଘଟିଛି। ପୁଅ ପ୍ରଶାନ୍ତ ଗୁରୁତର ହୋଇଥିବାବେଳେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି। ସଦର ଥାନା ଅଧିକାରୀ ସନ୍ତୋଷିନୀ ଓରାମ୍‌ ଓ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛନ୍ତି। କୌଣସି ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଆକ୍ରମଣ ହୋଇଥିବା ପୁଲିସ ଅନୁମାନ କରୁଛି।

ସୂଚନା ଅନୁସାରେ, କୋରା ଓ ତାଙ୍କ ପୁଅ ପ୍ରଶାନ୍ତ କୌଣସି କାମରେ ସାତକୁଟୁଣୀ ଗ୍ରାମକୁ ଯାଇଥିଲେ। ରାତିରେ ସେମାନେ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ପୁଅ ପ୍ରଶାନ୍ତଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ବାପା କୋରା ପୁଅକୁ ବଞ୍ଚାଇବାକୁ ଯାଇଥିବାବେଳେ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଏଥିରେ ଉଭୟ ବାପା, ପୁଅ ଗୁରୁତର ହୋଇଥିଲେ। ଉଭୟେ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡ଼ିଥିବାବେଳେ ଦୁର୍ବୃତ୍ତମାନେ ଫେରାର୍‌ ହୋଇ ଯାଇଥିଲେ। ଖବର ପାଇ କୋରାଙ୍କ ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଭୟଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର କୋରାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଜଣେ ଯୁବକକୁ ଅଟକ ରଖିଥିବା ସୂଚନା ମିଳିଛି। ଏ ଦିଗରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

The post ଗାଁ ଛକରେ ବୁଲିଲା ଖଣ୍ଡା : ବାପା ମୃତ, ପୁଅ ଗୁରୁତର first appeared on Sambad.



from ରାଜ୍ୟ – Sambad https://ift.tt/30kq66i

Post a Comment

0 Comments