କେନ୍ଦ୍ରାପଡ଼ା: ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇ ଦୁଇ ଜଣ ଛାତ୍ରଙ୍କ ସମେତ ୪ ଜଣ ବୁଡ଼ିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ମଳିଛି। ଅନ୍ୟ ୨ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ନିଖୋଜ ହୋଇଯାଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଧୂମାତ ଶାସନ ଅଧିନ ବ୍ରାହ୍ମଣୀ ନଦୀର ଆଳପୁଆ ଘାଟରେ ଆଜି ଅପରାହ୍ଣରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି। ମୃତକ ହେଲେ କଲେଜ ଛାତ୍ର ସୌମ୍ୟରଂଜନ ଦାସ (୨୨) ଓ ନିଖୋଜ ହାଇସ୍କୁଲ ଛାତ୍ର ହେଲେ ସ୍ମୁତିରଂଜନ ଦାସ (୧୪)।
ସୂଚନା ଅନୁସାରେ ହୋଲି ଅବସରରେ ଆଜି ଧୂମାତ ଶାସନରେ ହୋଲି ଖେଳ ଥିଲା। ରଂଗଖେଳ ଶେଷ ହେବା ପରେ ଠାକୁରଙ୍କୁ ଗାଁ ପୋଖରୀରେ ବିସର୍ଜନ କରାଯାଇଥିଲା। ଏହା ପରେ କିଛି ପିଲା ଗାଁ ନିକଟ ଦେଇ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଏଥିରେ ରମେଶ ଦାସଙ୍କ ପୁଅ ସୌମ୍ୟରଂଜନ ଓ ବିଭୁତି ଭୂଷଣ ଦାସଙ୍କ ପୁଅ ସ୍ମୁତିରଂଜନଙ୍କ ସମେତ ଗାଁର ଅନ୍ୟ ୨ ସାଙ୍ଗ ଥିଲେ।
ଚାରି ଜଣ ସାଙ୍ଗ ଗାଧୋଉଥିବା ବେଳେ ହଠାତ୍ ବୁଡ଼ି ଯାଇଥିଲେ। କିନ୍ତୁ ସ୍ଥାନୀୟ ଲୋକଙ୍କ ଦ୍ବାରା ୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ଲୋକ ଦମକଳ ବାହିନୀଙ୍କୁ ସୂଚନା ଦେଇଥିଲେ। କେନ୍ଦ୍ରାପଡ଼ାରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚିଥିଲା। ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଖୋଜା ଖୋଜି କରିବା ପରେ ଘଟଣାସ୍ଥଳରୁ ୧ କିଲୋମିଟର ଦୂରରେ ସୌମ୍ୟରଂଜନଙ୍କ ମୃତଦେହ ଉଦ୍ଧାର ହୋଇଥିଲା। କିନ୍ତୁ ଶେଷ ରିପୋର୍ଟ ଲେଖାଯିବା ବେଳକୁ ସ୍ମୁତିରଂଜନ ନିଖୋଜ ଥିବା ଜଣାଯାଇଛି। ଦମକଳ ବାହିନୀର କର୍ମଚାରୀମାନେ ସ୍ମୁତିରଂଜନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି।
The post ବ୍ରାହ୍ମଣୀ ନଦୀରେ ଅଘଟଣ: ବୁଡ଼ିଗଲେ ୪ ଜଣ, ଜଣେ ମୃତ ଓ ଅନ୍ୟ ଜଣେ ନିଖୋଜ, ୨ ଉଦ୍ଧାର first appeared on Sambad.
from ରାଜ୍ୟ | Sambad https://ift.tt/2PHqcmz
0 Comments