ତତଲା କଡ଼େଇରେ ସିଝୁଛି ଓଡ଼ିଶା : ୯ ସହରର ପାରଦ ୪୦ ଡେଇଁଲା

ଭୁବନେଶ୍ବର : ତତଲା କଡ଼େଇରେ ସିଝୁଛି ଓଡ଼ିଶା। ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ ହସ୍ତସନ୍ତ କଲାଣି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏଥିସହ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଭୁବନେଶ୍ବର ସମେତ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ। ଫଳରେ ରାଜ୍ୟରେ ଏବେ ତାତିରୁ ତ୍ରାହି ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

କେନ୍ଦ୍ରର ସୂଚନା ମୁତାବକ, ଏବେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ୨୮ ତାରିଖ ଅପରାହ୍ନ ଆଡ଼କୁ ବିଜୁଳି, ଘଡ଼ଘଡ଼ି ସହ କିଛି କିଛି ସ୍ଥାନରେ ବର୍ଷା ହୋଇପାରେ। ବିଶେଷ କରି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ପ୍ରାୟ ୩୦ରୁ ୪୦ କିମି ବେଗରେ ପବନ ବହିପାରେ ବୋଲି କେନ୍ଦ୍ର ସୂଚନା ଦେଇଛି। ଏଥିସହ ଏହି ୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୯ ତାରିଖ ଦିନ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ ଜଗତସିଂହପୁରରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ ଓ ପବନର ବେଗ ୩୦ରୁ ୪୦ କିମି ରହିବ। ଏହି ଜିଲ୍ଲାଗୁଡ଼ିକ ପାଇଁ ବି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। କାଳବୈଶାଖୀ ଫଳରେ ଜିଲ୍ଲାଗୁଡ଼ିକୁ ତାତିରୁ ଟିକେ ଆଶ୍ବସ୍ତି ମିଳିପାରେ ବୋଲି ଆଶା କରାଯାଉଛି।

The post ତତଲା କଡ଼େଇରେ ସିଝୁଛି ଓଡ଼ିଶା : ୯ ସହରର ପାରଦ ୪୦ ଡେଇଁଲା first appeared on Sambad.

from ରାଜ୍ୟ | Sambad https://ift.tt/3rjbkIl

Post a Comment

0 Comments