ସବୁ ଦୋଳବେଦୀରେ ଆଜି ହେବ ପାଞ୍ଜି ପାଠ

ଭୁବନେଶ୍ବର : ଆଜି ଦୋଳପୂର୍ଣ୍ଣମୀ। ଦୋଳବେଦୀମାନଙ୍କରେ ଠାକୁରଙ୍କ ସାମ୍ନାରେ ପାଞ୍ଜି ପଢାଯିବାର ପରମ୍ପରା ରହିଛି। ଭାରତ ଓ ରାଜ୍ୟ ପାଇଁ ପାଞ୍ଜିମାନେ ଯେଉଁ ବିଚାର ରଖିଛନ୍ତି, ସେସବୁ ପାଠ କରାଯାଏ।

ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ବୀକୃତ ରାଧାରମଣ ବିଶୁଦ୍ଧ ଖଡ଼ିରତ୍ନ ପାଞ୍ଜି ପୂର୍ବାନୁମାନ କରିଛି ଯେ ଦେଶରେ ଏବର୍ଷ କୃଷି ଉତ୍ପାଦନ ମଧ୍ୟମ ଧରଣର ହେବ। ଶ୍ରାବଣ ଓ ଭାଦ୍ରବ ମାସରେ ପଞ୍ଜାବ ଓ କଶ୍ମୀର ସମସ୍ୟା ସଙ୍କଟମୟ ପରିସ୍ଥିତି ସୃଷ୍ଟି କରିପାରେ। କେତେକ ରାଜ୍ୟର ମନ୍ତ୍ରୀ ପରିଷଦ ଉପରେ ବିପଦ ସୃଷ୍ଟି ହେବ। ଉପକୂଳ ଅଞ୍ଚଳରେ କୃଷି ହାନି ହୋଇପାରେ ଓ ମଧ୍ୟଭାରତ ଓ ଉତ୍ତର ଭାରତରେ ଜନ ଅଶାନ୍ତି ଓ ଆନ୍ଦୋଳନ ବ୍ୟାପକ ହୋଇପାରେ।ଅଧିକାଂଶ ସମୟରେ ବିରୋଧୀ ନାନା ସମସ୍ୟା ସୃଷ୍ଟି କଲେ ବି କେନ୍ଦ୍ର ସରକାର ତାହାକୁ ଏଡ଼ାଇ ଚାଲିବେ। ଦକ୍ଷିଣ ଭାରତରେ ଶାସକ ବିରୋଧୀ ସଙ୍ଗଠନ ମୁଣ୍ଡ ଟେକିବ। ଜୁଲାଇ-ଅଗଷ୍ଟ ମାସରେ ଦକ୍ଷିଣ ଉପକୂଳରେ ବହୁ ବୃଷ୍ଟି ଏବଂ ଝଡ଼ବାତ୍ୟା ଦ୍ବାରା ବ୍ୟାପକ କୃଷିହାନି ହେବ।

ଓଡ଼ିଶା ସଂପର୍କରେ ଏହି ପଞ୍ଜିକା ଆକଳନ କରିଛି ଯେ ରାଜ୍ୟରେ ଏବର୍ଷ କୃଷି ଉତ୍ପାଦନ ଆଗୁଆ ହେବ। ବର୍ଷର ପ୍ରଥମାର୍ଧରେ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ମୂଲ୍ୟ ବଢ଼ି ବଢ଼ି ଚାଲିବ। ଜନଜୀବନ ଅଶାନ୍ତ ବୋଧ କରିବେ। ଶାସକୀୟ ଶିଥିଳତାରୁ ଗୋଷ୍ଠୀ ସଂଘର୍ଷ ହେବ ଓ ଗ୍ରାମ୍ୟ ବିବାଦ ଦେଖାଦେବ। ଯୁବ ଉଚ୍ଛୃଙ୍ଖଳତା ବୃଦ୍ଧି ପାଇବ। ଚୋରି, ଡକାୟତି ଏବଂ ଅସମାଜିକ କାର୍ଯ୍ୟ ବ୍ୟାପକ ହେବାର ସମ୍ଭାବନା ରହିଛି। ରାଜ୍ୟ ଶାସନ କ୍ଷେତ୍ରରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ମାତ୍ର ଶାସନ ପରିଚାଳନାରେ ସମନ୍ବୟ ନ ରହିବାରୁ ଅଗ୍ରଗତି ପଛେଇ ଯିବ। ଆଷାଢ଼ ଓ ଶ୍ରାବଣ ମାସରେ ଉତ୍ତର ପୂର୍ବ ଉପକୂଳରେ ଅତିବୃଷ୍ଟି ଓ ଝଡ଼ବାତ୍ୟା ଦ୍ବାରା ବ୍ୟାପକ କ୍ଷୟକ୍ଷତି ହୋଇପାରେ। ପୌଷ ମାଘ ମାସରେ କେହି ବୟୋଜ୍ୟେଷ୍ଠ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ପାଇଁ ଅଶୁଭ ସମୟ ରହିଛି। ଅରୁଣ ଦେୟ ପ୍ରେସର ଖଡ଼ିରତ୍ନ ପଞ୍ଜିକାର ଆକଳନ କହୁଛି, ଦେଶରେ ବର୍ତମାନ ସରକାର ସୁଦୃଢ଼ ରହିଛି। ରାଜନୈତିକ ସମସ୍ୟା ଦେଖାଦେଇନପାରେ। ଅର୍ଥନୀତି କିଛି ମାତ୍ରାରେ ପଛୁଆ ରହିପାରେ। ସାମାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେବ। ଭୂକମ୍ପ, ଜଳାଭାବ ଓ ବାତ୍ୟା ଦେଖାଦେଇପାରେ। ଓଡ଼ିଶା କ୍ଷେତ୍ରରେ ପାଞ୍ଜି ପୂର୍ବାନୁମାନ କରିଛି ଯେ ରାଜ୍ୟର ଉନ୍ନତିରେ ସାମାନ୍ୟ ବାଧା ସୃଷ୍ଟି ହେବ। ରାଜନୈତିକ ଅସ୍ଥିରତା ଆଦୌ ଦେଖାଦେବ ନାହିଁ।

ଏଠାରେ ଉଲ୍ଲେଖଥାଉକି, ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ମଧ୍ୟ ଆମ ପାଞ୍ଜି ପ୍ରକାଶ ପାଇଛି। ବିଶିଷ୍ଟ ଗଣକମାନେ ଏଥିରେ ପୂର୍ବାନୁମାନ କରିଛନ୍ତି।

The post ସବୁ ଦୋଳବେଦୀରେ ଆଜି ହେବ ପାଞ୍ଜି ପାଠ first appeared on Sambad.

from ରାଜ୍ୟ | Sambad https://ift.tt/3u1qcfY

Post a Comment

0 Comments