ବିଶ୍ବବିଦ୍ୟାଳୟ ଶିକ୍ଷକଙ୍କ ପେନ୍‌ସନ୍‌କୁ ନେଇ କଥା କଟାକଟି

ସରକାର ପେନ୍‌ସନ୍ ବନ୍ଦ କରିବା ଧମକ ଦେବା ନିନ୍ଦନୀୟ: ବିଜେପି
ଭିତ୍ତିହୀନ ଓ କପୋଳକଳ୍ପିତ ଅଭିଯୋଗ: ବିଜେଡି

ଭୁବନେଶ୍ବର : ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକଙ୍କ ପେନ୍‌ସନ୍‌ ବନ୍ଦ କରିବା ପ୍ରସଙ୍ଗକୁ ନେଇ ବିଜେଡି ଓ ବିଜେପି କଥା କଟାକଟି ହୋଇଛନ୍ତି। ରାଜ୍ୟ ସରକାର ବେଆଇନ ଭାବେ ଅବସରପ୍ରାପ୍ତ ଶିକ୍ଷକ, କର୍ମଚାରୀଙ୍କ ପେନ୍‌ସନ ବନ୍ଦ କରିବା ଧମକ ଅତ୍ୟନ୍ତ ନିନ୍ଦନୀୟ। ସରକାର ଜୋର ଜବରଦସ୍ତି ଆଇନ ପ୍ରଣୟନ କରି ବିଶ୍ବବିଦ୍ୟାଳୟଗୁଡ଼ିକୁ ନିଜ ଅକ୍ତିଆରକୁ ଆଣି ବିଶ୍ବବିଦ୍ୟାଳୟର ସ୍ବାୟତତାକୁ ସମ୍ପୂର୍ଣ୍ଣ ଭାବେ କ୍ଷୁଣ୍ଣ କରିସାରିଲେଣି ବୋଲି ବିଜେପି ଅଭିଯୋଗ କରିଛି। ବିଜେଡି ଏହି ଅଭି‌େଯାଗକୁ ଖଣ୍ଡନ କରି କହିଛି ଯେ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ କପୋଳକଳ୍ପିତ।

ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ଯେ ଗତ ଫେବ୍ରୁଆରି ୧୨ ତାରିଖରେ ରାଜ୍ୟ ସରକାର ଚିଠି କରି ସମସ୍ତ ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀମାନେ ମାର୍ଚ୍ଚ ୨୫ ତାରିଖ ସୁଦ୍ଧା କମ୍ପଟ୍ରୋଲର୍‌ ଅଫ୍ ଫାଇନାନ୍ସଙ୍କ ନିକଟରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନଚେତ ତାଙ୍କୁ ଆଉ ପେନ୍‌ସନ ଦିଆଯିବ ନାହିଁ ବୋଲି ଚିଠିରେ ଉଲ୍ଲେଖ ହୋଇଛି। ପେନ୍‌ସନ ହେଉଛି ‌ଜଣେ ବ୍ୟକ୍ତିର ମୌଳିକ ଅଧିକାର। ଜଣେ ବ୍ୟକ୍ତି ଅବସର ଗ୍ରହଣ କଲା ପରେ ପେନ୍‌ସନ ହେଉଛି ତା’ର ଜୀବିକାର ଏକମାତ୍ର ମ‌ାଧ୍ୟମ। ତେଣୁ ପେନ୍‌ସନ୍ ଥରେ ମିଳିଲା ପରେ ତାହାକୁ କେହି ବନ୍ଦ କରିପାରିବେ ନାହିଁ। ମାତ୍ର ରାଜ୍ୟ ସରକାର ଏଠି ସାଧାରଣ ଜନତାଙ୍କ ପେନ୍‌ସନ୍‌କୁ ନିଜ ସମ୍ପତ୍ତି ପରି ଧରି ନେଇଛନ୍ତି। ପେନ୍‌ସନ୍ ଦେବା ପ୍ରକ୍ରିୟାରେ ବର୍ଷକୁ ଥରେ ଯେଉଁ ବ୍ୟାଙ୍କ ମାଧ୍ୟମରେ ପେନ୍‌ସନ୍‌ ଆସେ, ସେହି ବ୍ୟାଙ୍କରେ ହିଁ ଜୀବିତ ବୋଲି ପେନ୍‌ସନ୍‌ଧାରୀ ଗୋଟିଏ ଲାଇଫ୍‌ ସାର୍ଟିଫିକେଟ୍‌ ପ୍ରମାଣ ଦିଅନ୍ତି। ପେନ୍‌ସନ୍‌ଧାରୀଙ୍କୁ କାହା ଆଗରେ ବ୍ୟକ୍ତିଗତ ହାଜିରା ଦେବାର କୌଣସି ନିୟମ ନାହିଁ। ରାଜ୍ୟ ସରକାରଙ୍କ ଏହି ଚିଠି ସମ୍ପୂର୍ଣ୍ଣ ଅସାମ୍ବିଧାନିକ, ବେଆଇନ ଓ ଅମାନବିକ ଅଟେ।

ଅଭିଯୋଗର ଜବାବ ଦେଇ ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି ଯେ ଯେ ବିଶ୍ବବିଦ୍ୟାଳୟ ପେନ୍‌ସନ୍‌ଧାରୀଙ୍କ ଲାଇଫ୍‌ ସାର୍ଟିଫକେଟ୍‌ର ଯାଞ୍ଚ୍‌ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରତି ବର୍ଷ କରିଥା’ନ୍ତି। ଏପରି ପେନ୍‌ସନ୍‌ଧାରୀଙ୍କ ପାଇଁ କୌଣସି ଯାଞ୍ଚ୍‌ର ଆବଶ୍ୟକତା ନାହିଁ। ପେନ୍‌ସନଧାରୀମାନେ ଅତି ସହଜରେ ଏ ସଂକ୍ରାନ୍ତରେ ବିଭାଗକୁ ଅବଗତ କରିପାରିବେ। ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା କେବଳ ସେହିମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନଙ୍କ ଲାଇଫ୍‌ ସାର୍ଟିଫିକେଟ୍‌ ବିଶ୍ବବିଦ୍ୟାଳୟ ଦ୍ବାରା ଯାଞ୍ଚ୍‌ ହୋଇଥାଏ, ବ୍ୟାଙ୍କ ଦ୍ବାରା ନୁହେଁ। ପେନ୍‌ସନ୍‌ଧାରୀଙ୍କ ଯାଞ୍ଚ୍‌ ପାଇଁ ଭର୍ଚୁଆଲ୍‌ ବ୍ୟବସ୍ଥା ମଧ୍ୟ ହୋଇଛି। ତେବେ ଯାଞ୍ଚ୍‌ ଶେଷ ହେବା ପର୍ଯ୍ୟନ୍ତ ପେନ୍‌ସନ୍ ଅଟକାଇବା ପାଇଁ ସରକାର କୌଣସି ଠାରେ ଉଲ୍ଲେଖ କରି ନାହାନ୍ତି। ପେନ୍‌ସନ୍ ପ୍ରଦାନ ପୂର୍ବ ପରି ଜାରି ରହିବ। ଅନ୍ୟ ପକ୍ଷରେ ଯେଉଁଠାରେ ଯାଞ୍ଚ୍‌ ବିଫଳ ହେବ, ସେଠାରେ ପେନ୍‌ସନ୍ ବନ୍ଦ କିମ୍ବା ଅଟକ ରଖାଯିବ। ସରକାରଙ୍କ ଏହି ନିର୍ଦ୍ଦେଶକୁ ଠିକ୍ ଭାବେ ନ ବୁଝି କେବଳ ରାଜନୀତି କରିବା ପାଇଁ ବିଜେପି ନେତ୍ରୀ ଉଦ୍ଭଟ ଆରୋପ ଲଗାଇବାରୁ କ୍ଷାନ୍ତ ରହିବା ପାଇଁ ଶ୍ରୀ ମହାନ୍ତି ପରାମର୍ଶ ‌େଦଇଛନ୍ତି।

The post ବିଶ୍ବବିଦ୍ୟାଳୟ ଶିକ୍ଷକଙ୍କ ପେନ୍‌ସନ୍‌କୁ ନେଇ କଥା କଟାକଟି first appeared on Sambad.

from ରାଜ୍ୟ | Sambad https://ift.tt/31d6Rfw

Post a Comment

0 Comments