କଟକଣା କୋହଳ ପରେ ଭଞ୍ଜନଗରରେ ରାଜସ୍ଥାନୀ ବ୍ୟବସାୟୀ; ତଥାପି ସୁଧୁରିପାରିନି ଆର୍ଥିକ ସ୍ଥିତି, ପୁଣି ଘାରିଲାଣି ଭୟ

ଭଞ୍ଜନଗର : କରୋନା କଟକଣା କୋହଳ ପରେ ଭଞ୍ଜନଗର ସହରର ବିଭିନ୍ନ ଇଲାକାରେ ବର୍ତ୍ତମାନ ରାଜସ୍ଥାନୀ ବ୍ୟବସାୟୀ ପୁଣି ଡେରା ପକାଇଛନ୍ତି। ପେଟପାଟଣା ଓ ରୋଜଗାର ଆଶାରେ ସେମାନେ ପିଲାଛୁଆଙ୍କୁ ଧରି ଗତ କିଛି ଦିନ ହେଲା ଏଠାକୁ ଆସି ଲୁହାରେ ତିଆରି ବିଭିନ୍ନ ଘରୋଇ ସରଞ୍ଜାମ ଓ ରୋଷେଇ ଉପକରଣ ବିକ୍ରି କରୁଛନ୍ତି। ହେଲେ ଦୁଃଖର କଥା ହେଲା, ଆଜିଯାଏ ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସି ପାରି ନଥିବା ବ୍ୟବସାୟୀ କହିଛନ୍ତି। ଏଭଳି ପରିସ୍ଥିତିରେ କରୋନା ମହାମାରୀର ପ୍ରକୋପ ବଢ଼ିଲେ ପୁଣି ପୂର୍ବ ସ୍ଥିତିକୁ ଫେରିଯିବା ଆଶଙ୍କାରେ ସେମାନେ ରହିଛନ୍ତି।

ପ୍ରତିବର୍ଷ ‌ମାର୍ଚ୍ଚ ମାସ ପ୍ରାରମ୍ଭରୁ ଏହି ବ୍ୟବସାୟୀ ମାନେ ସପରିବାର ଏଠାକୁ ଆସୁଛନ୍ତି। କିନ୍ତୁ ଗତ ବର୍ଷ କରୋନା ମହାମାରୀର ପ୍ରାଦୁର୍ଭାବ ଯୋଗୁଁ ସେମାନେ ଏଠାରେ ୮୦ ଦିନ ଧରି ଫସି ରହିଥିଲେ। ପ୍ରଶାସନ ଓ କିଛି ସ୍ବେଚ୍ଛାସେବୀଙ୍କ ସହାୟତାରେ ସେମାନେ ନିଜ ଘରକୁ ଫେରିଥିଲେ। କିନ୍ତୁ ଏବେ ପରିସ୍ଥିତି ସ୍ବାଭାବିକ ହେବା ପରେ ପୁଣି ଭଞ୍ଜନଗର ଆସିଛନ୍ତି। ଗୋଷ୍ଠୀରେ ଥିବା ୫ଟି ପରିବାରର ସମସ୍ତ ସଦସ୍ୟ କୋର୍ଟ ସାମ୍ନାରେ କିଛି ଦିନ ଧରି ଅସ୍ଥାୟୀ ଭାବେ ଖୋଲା ଆକାଶ ତଳେ ରହୁଛନ୍ତି।

ରାତି ପାହିବା କ୍ଷଣି କୋର୍ଟ ସାମ୍ନା ସମେତ ଥାନାଛକ,ଏଲ୍‌ଆଇସି ‌କଲୋନି ଛକ ଓ କଲେଜ ରୋଡ୍ ଭଳି ବିଭିନ୍ନ ସ୍ଥାନରେ ରୋଷେଇ ଉପକରଣର ପସରା ମେଲାଉଛନ୍ତି। ଲୁହାରେ ନିର୍ମିତ କଡ଼େଇ, ହେମଦସ୍ତା ଓ ପିଠାପାତିଆ ଭଳି ବିଭିନ୍ନ ସାମଗ୍ରୀ ବିକ୍ରି କରୁଛନ୍ତି। ସାରାଦିନ ବ୍ୟବସାୟ ପରେ ଅସ୍ଥାୟୀ ବସାରେ ହିଁ ତଥା ରାସ୍ତାକଡ଼ରେ ଖାଇବା ପ୍ରସ୍ତୁତ କରିବା ସହ ସେଠାରେ ହିଁ ମଶାରି ଟାଙ୍ଗି ଶୋଇପଡ଼ିଥାନ୍ତି।

ବିଗତ  କିଛି ବର୍ଷ ହେଲା ଏମାନଙ୍କ ହାତତିଆରି ବିଭିନ୍ନ ସାମଗ୍ରୀର ଚାହିଦା ବଢ଼ିବା ସହ ଭଲ ରୋଜଗାର ହେଉଥିଲା। କିନ୍ତୁ ଗତ ବର୍ଷ କରୋନା ମହାମାରୀ ସେମାନଙ୍କ ଜୀବନଜୀବିକାକୁ ପ୍ରଭାବିତ କରିଥିଲା। ତଥାପି ଚଳିତବର୍ଷ ବହୁ ଆଶା ‌ନେଇ ସେମାନେ ଏଠାକୁ ଆସିଥିବା ବେଳେ ପୂର୍ବଭଳି ଆଉ ଭଲ ରୋଜଗାର ହେଉ ନଥିବା ଏହି ଗୋଷ୍ଠୀର ଭବାନୀ ସିଂହ ନାମକ ଜଣେ ବ୍ୟକ୍ତି ପ୍ରକାଶ କରିଛନ୍ତି।

ଗତବର୍ଷ ଭଲ ବ୍ୟବସାୟ ଚାଲିଥିବା ବେଳେ ହଠାତ୍ କରୋନା ପ୍ରାଦୁର୍ଭାବ ଯୋଗୁଁ ସବୁ ବନ୍ଦ ‌ହୋଇଯାଇଥିଲା। ସେପଟେ ଯାନବାହନ ଚଳାଚଳ ବନ୍ଦ ଯୋଗୁଁ ସେମାନେ ଆଉ ‌ଭିଟାମାଟିକୁ ଯାଇ ପାରି ନଥିଲେ। କିଛି ପରିବାର ମୁଜାଗଡ଼ ନିକଟ ନିଧିଆପଲ୍ଲୀ ଓ ଆଉ କିଛି ପରିବାର କୁଲାଡ଼ ଠାରେ ଆଶ୍ରୟ ନେଇଥିଲେ। ପ୍ରଶାସନ ଓ କିଛି ସ୍ଥାନୀୟ ସ୍ବେଚ୍ଛାସେବୀଙ୍କ ସହାୟତାରେ ଖାଇବା ପିଇବା ବ୍ୟବସ୍ଥା ହୋଇଥିଲା। ଏହାପରେ ସ୍ଥାନୀୟ ପ୍ରଶାସନର ସହା‌ୟତାରେ ରାଜସ୍ଥାନରୁ ମାଲ୍‌‌ ନେଇ ଆସିଥିବା ଏକ ଟ୍ରକ୍‌ରେ କିଛି ଭଡ଼ା ଦେଇ ସମସ୍ତ ବ୍ୟବସାୟୀ ନିଜ ଭିଟାମାଟିକୁ ଫେରିଥିଲେ। ସ୍ଥିତି ସ୍ବାଭାବିକ ହେବା ପରେ ପୁନଶ୍ଚ ସେମାନେ ରୋଜଗାର ଆଶାରେ ଭଞ୍ଜନଗରକୁ ଆସିଛନ୍ତି। କିନ୍ତୁ ଭଲ ବ୍ୟବସାୟ ହେଉ ନଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି। ଏଠାରୁ ମଧ୍ୟ ସେମାନେ ଅନ୍ୟତ୍ର ପଳାଇବାକୁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି।

The post କଟକଣା କୋହଳ ପରେ ଭଞ୍ଜନଗରରେ ରାଜସ୍ଥାନୀ ବ୍ୟବସାୟୀ; ତଥାପି ସୁଧୁରିପାରିନି ଆର୍ଥିକ ସ୍ଥିତି, ପୁଣି ଘାରିଲାଣି ଭୟ first appeared on Sambad.

from ରାଜ୍ୟ | Sambad https://ift.tt/3spxauY

Post a Comment

0 Comments