
ପ୍ରଥମ ଦିନରେ ଅନ୍ଲାଇନ୍ ପଞ୍ଜୀକରଣରେ ସମସ୍ୟା
ଅଫ୍ଲାଇନ୍ ପଞ୍ଜୀକରଣ ପାଇଁ ନିର୍ଦ୍ଦେଶ ଦେଲା ସ୍ବାସ୍ଥ୍ୟ ବିଭାଗ
ଭୁବନେଶ୍ବର : ରାଜ୍ୟରେ ବରିଷ୍ଠ ନାଗରିକମାନଙ୍କୁ ଟିକାକରଣ ଅଭିଯାନ ଆଜି ଠାରୁ ଆରମ୍ଭ ହୋଇଛି। ଆଜି ୧୫୩ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକା ଦିଆଯାଇଛି। କୌଣସି ସ୍ଥାନରୁ ପାର୍ଶ୍ବ ପ୍ରତିକ୍ରିୟାର ଖବର ଆସି ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ୬୦ ବର୍ଷରୁ ଅଧିକ ବୟସର ୧୧,୨୮୯ ଜଣ ଏବଂ ଜଟିଳ ରୋଗ ବା କୋ-ମର୍ବିଡ୍ ଥିବା ୪୫ ବର୍ଷରୁ ଅଧିକ ବୟସର ୩୦୦ ଜଣ ଲୋକ ଟିକା ନେଇଛନ୍ତି।
ତେବେ ପ୍ରଥମ ଦିନରେ କୋ-ୱିନ୍ ପୋର୍ଟାଲ୍ରେ ନାମ ପଞ୍ଜୀକରଣେର ଗୁରୁତର ସମସ୍ୟା ଦେଖାଦେଇଥିଲା। ଲିଙ୍କ୍ କାମ କରୁ ନ ଥିବା ଅଭିଯୋଗ ହୋଇଥିଲା। ଫଳରେ ବହୁ ସ୍ଥାନରେ ବରିଷ୍ଠ ନାଗରିକମାନଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ଏହାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ଏହି ସମସ୍ୟା ସମାଧାନ ହୋଇଥିଲା।

ଯଦି କୋ-ୱିନ୍ ପୋର୍ଟାଲ୍ରେ କିଛି ସମସ୍ୟା ରହୁଛି, ତେବେ ତୁରନ୍ତ ଅଫ୍ଲାଇନ୍ ପଞ୍ଜୀକରଣ କରି ଲୋକଙ୍କୁ ଟିକା ଦେବା ପାଇଁ ଜିଲ୍ଲାପାଳ ଓ ସିଡିଏମ୍ଓମାନଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଜାରି କରିଛନ୍ତି। ବରିଷ୍ଠ ନାଗରିକ ଯେପରି ଅସୁବିଧା ନ ଭୋଗିବେ, ସେଥି ପ୍ରତି ଦୃଷ୍ଟି ଦେବାକୁ ସେ କହିଛନ୍ତି। ପୋର୍ଟାଲ୍ ଠିକ୍ ଭାବେ କାମ କଲା ବେଳେ ହିତାଧିକାରୀଙ୍କୁ ସମସ୍ତ ତଥ୍ୟ ସେଥିରେ ଅପ୍ଲୋଡ୍ କରିବାକୁ କୁହାଯାଇଛି।
ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବୟସର ନାଗରିକମାନଙ୍କୁ ଟିକା ଦିଆଯାଉଛି। ଏହା ସହ ଜଟିଳ ରୋଗ ବା କୋ-ମର୍ବିଡ୍ ଥିବା ୪୫ ବର୍ଷରୁ ଅଧିକ ବୟସ୍କ ଲୋକ ମଧ୍ୟ ଟିକା ନେଉଛନ୍ତି। ଏଥି ପାଇଁ ସେମାନଙ୍କୁ ଡାକ୍ତରୀ ପ୍ରମାଣପତ୍ର ଆଣିବା ବାଧ୍ୟତାମୂଳକ କରାଯାଇଛି।
ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ପ୍ରଥମ ଦିନର ପ୍ରଥମ ଘଣ୍ଟାରେ କିଛି ସର୍ଭର୍ ସ୍ଲୋ ଥିବାରୁ ସାମୟିକ ଭାବେ ସମସ୍ୟା ଦେଖାଦେଇଥିଲା। ପରେ ଏହା ସମାଧାନ ହୋଇଥିଲା। ପ୍ରଥମ ଦିନେର ୧୫୩ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକାକରଣ କରାଯାଇଛି। ଗୋଟିଏ କେନ୍ଦ୍ରରେ ଦିନକୁ ସର୍ବାଧିକ ଶହେ ଟିକା ଦିଆଯିବ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ଥିବା ୧୮୩ ହସ୍ପିଟାଲ୍ ସହ ୧୩୨ଟି ସରକାରୀ ହସ୍ପିଟାଲ୍ରେ ଟିକାକରଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଆବଶ୍ୟକ ପଡ଼ିଲେ ଏହି ସଂଖ୍ୟା ବୃଦ୍ଧି କରାଯିବ।
ସୂଚନାଯୋଗ୍ୟ ଯେ ଜାନୁଆରି ୧୬ ତାରିଖ ଠାରୁ ଓଡ଼ିଶା ସମେତ ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିଲା।
The post ଆରମ୍ଭ ହେଲା ବରିଷ୍ଠ ନାଗରିକ ଟିକାକରଣ first appeared on Sambad.
from ରାଜ୍ୟ – Sambad https://ift.tt/3bPFkG2
0 Comments