
ମୁଖ୍ୟମନ୍ତ୍ରୀଙ୍କୁ ୭ ପ୍ରଶ୍ନ କଲା ବିଜେପି ଯୁବମୋର୍ଚ୍ଚା
ରାଜ୍ୟବାସୀ ସତ ଜାଣିଛନ୍ତି, କାହା ସାର୍ଟିଫିକେଟ୍ ଦରକାର ନାହିଁ: ମାନସ
ଭୁବନେଶ୍ବର : ବିଜୁଯୁବ ବାହିନୀକୁ ବନ୍ଦ କରାଯିବା ପ୍ରସଙ୍ଗରେ ଆଜି ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି। ବିଜେପି ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ ଆଜି ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ସାତଟି ପ୍ରଶ୍ନ ପଚାରିଛନ୍ତି। କହିଛନ୍ତି ଯେ ଓଡିଶାବାସୀଙ୍କ ଝାଳବୁହା ପଇସା ଓ କରଦାତାଙ୍କ ୪୫୦ କୋଟି ଟଙ୍କା ବିନିମୟରେ କ’ଣ ଉପଲବ୍ଧି ହେଲା? ଓଡିଆ ଯୁବକ ଯୁବତୀମାନଙ୍କର ପ୍ରତିଭା ଏବଂ ଦକ୍ଷତାର କ’ଣ ବିକାଶ ହେଲା? ବିଜୁଯୁବ ବାହିନୀ ପାଇଁ ଗଞ୍ଜି, ସାର୍ଟ, ମୋବାଇଲ, ନାଚଗୀତର ଆସର, ସିଙ୍ଗାପୁର ଗସ୍ତ ଖର୍ଚ୍ଚର ହିସାବ ରାଜ୍ୟ ସରକାର ଦେବେ କି? ବିଜୁଯୁବ ବାହିନୀର ଅର୍ଥନୈତିକ ଏବଂ ସୋସିଆଲ ଅଡିଟ୍ କରିବେ କି ରାଜ୍ୟ ସରକାର? ରାଜ୍ୟରେ ବିଜୁ ଯୁବ ବାହିନୀ ନାଁ ରେ କୋଟି କୋଟି ଟଙ୍କା ଖର୍ଚ୍ଚ କଲାପରେ ଏହି ଯୋଜନାରୁ କେତେଜଣ ଖେଳାଳି ଉପକୃତ ହୋଇଛନ୍ତି? ସରକାର ଏସବୁର ଉତ୍ତର ଦେବା ଦରକାର।
ବିଜେପି କହିଛି ଯେ ୨୦୧୩ ରାଜ୍ୟ ଯୁବ ନୀତିକୁ ଆଧାର କରି ଯୁବ ଏବଂ କ୍ରୀଡା ମନ୍ତ୍ରାଳୟ “ବିଜୁ ଯୁବ ଶକ୍ତୀକରଣ ଯୋଜନା” ତିଆରି କରିଥିଲେ ତାକୁ ଆହୁରି କ୍ରିୟାଶୀଳ କରିବା ପାଇଁ ବିଜୁ ଯୁବ ବାହିନୀ ଗଠନ କରିଥିଲେ। ୧୪ ମାର୍ଚ୍ଚ ୨୦୧୮ ରେ କ୍ୟାବିନେଟ୍ ବୈଠକରେ ଏହା ପାରିତ ହୋଇଥିଲା। ସେତେବେଳେ କୁହାଗଲା ଯେ ଓଡିଶାରେ ୮୦୦୦ ଯୁବ ବାହିନୀ ତିଆରି ହେବେ। ୬୭୯୯ ଗ୍ରାମ ପଂଚାୟତ ତଥା ୧୧୪ ଏନଏସି ଓ ମ୍ୟୁନିସପାଲିଟି ପାଇଁ ଆଗାମୀ ତିନିବର୍ଷ ପାଇଁ ପ୍ରାୟ ୪୫୦ କୋଟି ଟଙ୍କା ବଜେଟ୍ର ବ୍ୟବସ୍ଥା ହୋଇଥିଲା। ରାଷ୍ଟ୍ର ନିର୍ମାଣ ଦିଗରେ ଯୁବକ ମାନେ କାର୍ଯ୍ୟ କରିବା, ନିଜର ବ୍ୟକ୍ତିତ୍ୱ ବିକାଶ, ବୃକ୍ଷ ରୋପଣ, ସ୍ୱେଚ୍ଛାକୃତ ରକ୍ତଦାନ, ନିଶା ନିବାରଣ ଆଦି କଥା କୁହାଯାଇଥିଲା। କିନ୍ତୁ ଏହାର ଓଲଟା ହେଲା। ଯୁବ ବାହିନୀର ଗୁଣ୍ଡାମାନେ ବାଇକ ଚୋରି କରିବା, ଥାନାରେ ପଶି ପୋଲିସଙ୍କୁ ଆକ୍ରମଣ ଆଦି କାର୍ଯ୍ୟ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ମନୋଜ ପଶ୍ଚିମକବାଟ, ପ୍ରକାଶ ଦଳେଇ, ବିକ୍ରମ ବିଶ୍ୱାଳ ଏବଂ ମିଡିଆ ସଂଯୋଜକ ସୁଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ବିଜେଡି ପକ୍ଷରୁ ଦଳର ସାଧାରଣ ସଂପାଦକ (ଗଣମାଧ୍ୟମ ବ୍ୟାପାର) ତଥା ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଂଜନ ମଙ୍ଗରାଜ କହିଛନ୍ତି ଯେ ବିଜୁ ଯୁବ ବାହିନୀ କଣ କାମ କରିଛି ତାହା ରାଜ୍ୟବାସୀ ଭଲ ଭାବେ ଜାଣନ୍ତି। ଅନ୍ତତଃ ବିଜେପିର ସାର୍ଟଫିକେଟ୍ ଦରକାର ନାହିଁ। ବିଜୁ ଯୁବ ବାହିନୀ ହୁଡ୍ ହୁଡ୍ ବାତ୍ୟାରେ ଗଜପତି ଜିଲ୍ଲାରେ ମୃତକଙ୍କ ଶବ ଉଠାଇବା ଠାରୁ ଆରମ୍ଭ କରି ପ୍ରଭାବିତ ଲୋକଙ୍କୁ ଥଇଥାନ କରିବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ସେହିପରି ଫନି, ଅମ୍ଫାନ ବାତ୍ୟାରେ ପ୍ରଭାବିତ ଜିଲ୍ଲାମାନଙ୍କରେ ଦିନରାତି ଏକାଠି କରି ଯୁବ ବାହିନୀ କର୍ମୀମାନେ ଲୋକଙ୍କର ସେବା କରିଥିଲେ। ଜଣେ ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଠାରୁ ରାଜ୍ୟ ସରକାର କୌଣସି ପ୍ରମାଣ ଆଶା ରଖନ୍ତି ନାହଁ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି।
The post ବିଜୁ ଯୁବ ବାହିନୀକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ first appeared on Sambad.
from ରାଜ୍ୟ – Sambad https://ift.tt/3eFip3g
0 Comments