ଆଜିଠୁ ଭୀଷଣ ତାତିବ ଆଭ୍ୟନ୍ତରୀଣ ଓଡ଼ିଶା

ଭୁବନେଶ୍ବର : ସୋମବାରଠାରୁ ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା। ପାରଦ ୪୦ ଅତିକ୍ରମ କରିବା ସହ ଗରମ କ୍ରମାଗତ ବୃଦ୍ଧି ପାଇବ। ଟିଟିଲାଗଡ଼, ଅନୁଗୁଳ ଓ ମାଲକାନଗିରି ଭଳି ଦକ୍ଷିଣ ଆଭ୍ୟନ୍ତରୀଣ ଓ କେନ୍ଦ୍ରୀୟ ଓଡ଼ିଶାର କେତେକ ସ୍ଥାନରେ ଭୀଷଣ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ତାତି ଏପରି ଲାଗି ରହିବ। ଏହି ସମୟରେ ତାପମାତ୍ରା ୪୦ରୁ ୪୨ ଡିଗ୍ରି ମଧ୍ୟରେ ରହିବ। ରାତିର ତାପମାତ୍ରାରେ ମଧ୍ୟ ବୃଦ୍ଧି ଘଟିବ; ୧୨ତାରିଖ ସୁଦ୍ଧା ୨ ଡିଗ୍ରି ବଢ଼ିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଭ୍ୟନ୍ତରୀଣ ଓଡ଼ିଶା ପାଇଁ ଏମିତି ଆକଳନ କରାଯାଇଛି।

କିନ୍ତୁ ଉପକୂଳ ଓଡ଼ିଶାରେ ତାପମାତ୍ରା‌ରେ ସେପରି ବୃଦ୍ଧି ଦେଖାଯିବ ନାହିଁ। ଏବେ ଏଠାକାର ତାପମାତ୍ରା ୪୦ ଡିଗ୍ରି ତଳେ ଥିବା ବେଳେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ବିଶେଷ କିଛି ପରିବର୍ତ୍ତନ ହେବ ନାହିଁ। ତେବେ ୧୧ ତାରିଖରୁ ତାତି ବଢ଼ିପାରେ ବୋଲି କେନ୍ଦ୍ର କହିଛି। ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନା ମୁତାବକ, ଭୁବନେଶ୍ବର ସମେତ ସମସ୍ତ ଉପକୂଳ ଓ ଦକ୍ଷିଣ ଉପକୂଳ ସଂଲଗ୍ନ ଜିଲ୍ଲାରେ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ତାପମାତ୍ରା କମ୍‌ ରହିବ। ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୩୭ରୁ ୩୮ଡିଗ୍ରି ମଧ୍ୟରେ ରହିବ। ୧୧ ତାରିଖରୁ ତାପମାତ୍ରା ବଢ଼ିବ ଓ ୧୪ ତାରିଖ ପର୍ଯ୍ୟନ୍ତ ପାଖାପାଖି ୪୦ ଡିଗ୍ରି ରହିବ। ୧୫ ତାରିଖରେ ପୁଣି ବଢ଼ି ୪୦ ଡିଗ୍ରି ଅତିକ୍ରମ କରିବ। ସାମୁଦ୍ରିକ ପବନର ଅସ୍ଥିରତା ହେତୁ ହୁଏତ କିଛି ଊଣା ଅଧିକ ହୋଇପା‌ରେ। ତେବେ ଉପକୂଳରେ ୮ ଓ ୧୨ ତାରିଖରେ କୁହୁଡ଼ି ହେବାର ସମ୍ଭାବନା ରହିଛି।

ଅପରପକ୍ଷେ ଗତକାଲି ରାଜଧାନୀରେ ତାପମାତ୍ରା ୪୦ ଛୁଇଁଥିବା ବେଳେ ଆଜି ଏହା ୨ଡିଗ୍ରି ଖସି ୩୮ରେ ପହଞ୍ଚିଛି। ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜଧାନୀର ତାପମାତ୍ରା ଆଉ ବିଶେଷ ବଢ଼ିବ ନାହିଁ। ରାଜଧାନୀକୁ ପ୍ରବାହିତ ବଙ୍ଗୋପସାଗରୀୟ ସାମୁଦ୍ରିକ ପବନରେ ଅସ୍ଥିରତା ଯୋଗୁଁ ଏଭଳି ହେଉଥିବା ପାଣିପାଗ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି।

The post ଆଜିଠୁ ଭୀଷଣ ତାତିବ ଆଭ୍ୟନ୍ତରୀଣ ଓଡ଼ିଶା first appeared on Sambad.



from ରାଜ୍ୟ – Sambad https://ift.tt/2O44OHU

Post a Comment

0 Comments