ଉତ୍କଳରେ ରାଉରକେଲା ଆସୁଥିଲେ ନନ୍, ଝାନ୍‌ସି ରେଳଷ୍ଟେସନରେ ଅସମ୍ମାନ ପ୍ରଦର୍ଶନ

ରାଉରକେଲା : ଉତ୍କଳ ଏକ୍ସପ୍ରେସ୍‌ରେ ରାଉରକେଲା ଆସୁଥିବା ୨ ଜଣ ନନ୍‌ ଓ ତାଙ୍କର ଦୁଇ ୨ ସହଯୋଗୀଙ୍କୁ ଉତ୍ତରପ୍ରଦେଶର ଝାନ୍‌ସି ରେଳଷ୍ଟେସନରେ ଅସମ୍ମାନ ପ୍ରଦର୍ଶନ ଘଟଣା ଏବେ ଜାତୀୟ ସ୍ତରରେ ହଟଚମଟ ସୃଷ୍ଟି କରିଛି। ଏହି ପ୍ରସଙ୍ଗରେ କେରଳ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିବାପରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ କଡ଼ା ଓ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେବା ଏହାକୁ ଆହୁରି ଚର୍ଚ୍ଚିତ କରିଛି।

ଗତ ୧୯ ତାରିଖରେ କେରଳର ଦୁଇ ଜଣ ନନ୍‌ ଓ ତାଙ୍କର ଦୁଇ ସହଯୋଗୀ ଉତ୍କଳ ଏକ୍ସପ୍ରେସ୍‌ରେ ଆସୁଥିଲେ। ଧର୍ମାନ୍ତରୀକରଣ ପାଇଁ ଦୁଇ ଯୁବତୀଙ୍କୁ ନିଆଯାଉଥିବା ଅଭିଯୋଗକରି କିଛି ଏବିଭିପି କର୍ମୀ ସେମାନଙ୍କୁ ଝାନ୍ସି ରେଳ ଷ୍ଟେସନରେ ଅଟକାଇଥିଲେ ଓ ଷ୍ଟେସନରେ ହଙ୍ଗାମା କରିଥିଲେ। ତେଣୁ ଝାନ୍ସି ରେଳବାଇ ପୁଲିସ ହସ୍ତକ୍ଷେପ କରିବା ସହ ମାମଲାର ଯାଞ୍ଚ କରିଥିଲା। ତେବେ ଅଭିଯୋଗ ଭିତ୍ତିହୀନ ଓ ଅମୂଳକ ଥିବା ପ୍ରମାଣିତ ହେବାପରେ ସେଠାକାର ପୁଲିସ ସମସ୍ତ ୪ ଜଣଙ୍କୁ ଛାଡ଼ି ଦେଇଥିଲା। ପରେ ସେମାନେ ଅନ୍ୟ ଟ୍ରେନ୍‌ରେ ନିଜର ଗନ୍ତବ୍ୟ ପଥରେ ବାହାରିଯାଇଥିଲେ।

ତେବେ ଏହି ଦୁଇ ନନ୍‌ ଯେଉଁ ଦୁଇ ସହଯୋଗୀଙ୍କୁ ଧରି ଉତ୍କଳ ଏକ୍ସପ୍ରେସ୍‌ରେ ଫେରୁଥିଲେ, ଉଭୟ ସୁନ୍ଦରଗଡ଼ ଜିଲ୍ଲାର ଓ ସେମାନେ ରାଉରକେଲା ଆସୁଥିଲେ ବୋଲି ଚର୍ଚ୍ଚା ହେଉଛି। ସେମାନେ ରାଉରକେଲା ଆସୁଥିଲେ ବୋଲି ଆଜି ହିନ୍ଦୀ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶିତ ହୋଇଛି। ଏହାସହିତ ରାଞ୍ଚି ରେଳବାଇ ଷ୍ଟେସନରେ କଏଦ ହୋଇଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ କିଛି ବ୍ୟକ୍ତି ଯୁବତୀଙ୍କୁ ପଚରାଉଚରା କରିବାସହ ଆଧାର କାର୍ଡ ଯାଞ୍ଚ କରୁଛନ୍ତି। ଉକ୍ତ ଆଧାର କାର୍ଡ‌ରେ ଜଣେ ଯୁବତୀଙ୍କ ଠିକଣା ରାଉରକେଲା ନିକଟସ୍ଥ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଏକ ଅଞ୍ଚଳ ବୋଲି ଉଲ୍ଲେଖ ରହିଛି। ତେବେ ପ୍ରକୃତରେ ଉକ୍ତ ଯୁବତୀ ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳର ନା ନୁହନ୍ତି, ତାହା ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ିନି। ଏନେଇ ରାଉରକେଲା ରେଳବାଇ ପୁଲିସକୁ ପଚାରିବାରେ, ଏଠାରେ କୌଣସି ଅଭିଯୋଗ ହୋଇନଥିବା ଉତ୍ତର ମିଳିଛି।

The post ଉତ୍କଳରେ ରାଉରକେଲା ଆସୁଥିଲେ ନନ୍, ଝାନ୍‌ସି ରେଳଷ୍ଟେସନରେ ଅସମ୍ମାନ ପ୍ରଦର୍ଶନ first appeared on Sambad.

from ରାଜ୍ୟ | Sambad https://ift.tt/3cn8AoX

Post a Comment

0 Comments