
କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଚିରସ୍ରୋତା ଭାବେ ପରିଚିତ କଲ୍ୟାଣୀ ନଦୀ। କିନ୍ତୁ ଉନ୍ନୟନ ପ୍ରକଳ୍ପ ପାଇଁ ଏବେ ଏହି ନଦୀ ଶୁଖିବାରେ ଲାଗିଛି। ଯାହାର ସିଧାସଳଖ ପ୍ରଭାବ ଜଳଚର ପ୍ରାଣୀଙ୍କ ସହ ନଦୀ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଆଖାପାଖ ଗାଁର ଲୋକଙ୍କ ଉପରେ ପଡ଼ିଛି। ଏପରିକି ବହୁ ଲୋକଙ୍କ ଜୀବିକା ଉଜୁଡ଼ି ଯିବାର ଆଶଙ୍କା ପ୍ରକାଶ ପାଇଛି।
ପ୍ରଚଣ୍ଡ ଗ୍ରୀଷ୍ମରେ ବି କଲ୍ୟାଣୀ ନଦୀ କେବେ ଶୁଖିବା ସ୍ଥାନୀୟ ଲୋକ ଦେଖି ନଥିବା ପ୍ରକାଶ କରିଛନ୍ତି। ଶହେ ବର୍ଷରୁ ଊର୍ଦ୍ଧ୍ବ ହେଲା ଏହି ନଦୀର ବୀସ୍ତିର୍ଣ୍ଣ ଜଳରାଶୀ ଲୋକଙ୍କୁ ଜୀବନ ସହ ଜୀବିକା ଦେଇ ଆସିଛି। କିନ୍ତୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ନଦୀ ଶୁଖିଯିବା ସହ ତଳମୁଣ୍ଡ ସ୍ଥିତି ସାଂଘାତିକ ବୋଲି ସ୍ଥାନୀୟ ବରିଷ୍ଠ ନାଗରିକ ପ୍ରକାଶ କରିଛନ୍ତି। ଏହା ପଛର ମୁଖ୍ୟ କାରଣ ହେଲା ବର୍ତ୍ତମାନ ଏହି ନଦୀରେ ପୋଲ ନିର୍ମାଣ କାମ ଚାଲିଛି। ପୂର୍ବରୁ କୌଣସି ସୂଚନା ନ ଦେଇ ନିର୍ମାଣ କାମ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ବାଟରେ ଜଳ ନିଷ୍କାସନ କରି ନଦୀକୁ ଶୁଖାଇ ଦିଆଯାଇଛି। ତେଣୁ ଗାଈଗୋରୁ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଥିବା ଦେଖିବାକୁ ମିଳିଛି। ସେହିପରି ମତ୍ସ୍ୟଜୀବୀ ବି ପ୍ରଭାବିତ ହୋଇଥିବା ଜଣାପଡ଼ିଛି।
ଗୁଣ୍ଡୁରିଗୁଡ଼ା ଓ ବଡ଼ଦ୍ବାର ସାହି ନିକଟରେ ନଦୀ ଉପରେ ପୋଲ ନିର୍ମାଣ କରାଯାଉଛି। ଏଥିପାଇଁ ଠିକାଦାର ନଦୀର ଗତିପଥକୁ ବନ୍ଦ କରି ଦେଇଛନ୍ତି। ତେବେ ଠିକାଦାର ନଦୀର ସ୍ରୋତକୁ ବନ୍ଦ କରିବା ପୂର୍ବରୁ ପାର୍ଶ୍ବରେ ପାଣି ଯିବା ପାଇଁ ରାସ୍ତା ଦେବା ନିୟମ ରହିଛି। କିନ୍ତୁ ନିୟମର ଉଲ୍ଲଂଘନ କରାଯାଇଛି ବୋଲି କଁରଗୁଡା, ଅଡାବାଡି, କଲ୍ୟାଣସିଂହପୁର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
The post ପୋଲ ପାଇଁ କଲ୍ୟାଣୀ ନଦୀକୁ ଶୁଖାଇଦେଲେ; ପ୍ରଭାବିତ ହେଲା ଜୀବନ ଓ ଜୀବିକା first appeared on Sambad.from ରାଜ୍ୟ | Sambad https://ift.tt/3ddK4G1
0 Comments