
କିଣା ହୋଇ ପଡ଼ିରହିଛି ୪୦୦ରୁ ଅଧିକ ସ୍କୁଟି
ଦାଖଲ ହୋଇନି ୯ କୋଟିର ବିନିଯୋଗପତ୍ର
୩ ବର୍ଷ ହେଲା ପାଣ୍ଠିରୁ ଅର୍ଥ ମିଳୁନି
କଟକ: କେନ୍ଦ୍ର ସରକାରଙ୍କ ‘ନିର୍ଭୟା’ ପାଣ୍ଠିକୁ ଖର୍ଚ୍ଚ କରିପାରୁନି ଓଡ଼ିଶା ପୁଲିସ। ମହିଳାଙ୍କ ସୁରକ୍ଷା ଦିଗରେ ଖର୍ଚ୍ଚ ହେବାକୁ ଥିବା ଏହି ଅର୍ଥରେ ପୁଲିସ ବିଭାଗ ୪ଶହରୁ ଅଧିକ ନୂଆ ସ୍କୁଟି କିଣିଛି। କିନ୍ତୁ ସେହି ସ୍କୁଟିକୁ ବାଣ୍ଟି ପାରୁନି କି ବିନିଯୋଗ ପ୍ରମାଣପତ୍ର ଦାଖଲ କରିପାରୁନି। ଏଭଳି ସ୍ଥିତିରେ ୨୦୧୬-୧୭ ଆର୍ଥିକ ବର୍ଷ ପରଠାରୁ ‘ନିର୍ଭୟା ପାଣ୍ଠି’ରୁ ଆଉ ଅର୍ଥ ବି ମିଳି ପାରୁନି। ଏଭଳି ଦୁର୍ଭାଗ୍ୟଜନକ ତଥ୍ୟ ସାମ୍ନାକୁ ଆସିଥିବା ବେଳେ ରାଜ୍ୟ ପୁଲିସ ବିଭାଗ ଏ କ୍ଷେତ୍ରରେ ଉତ୍ତରଦାୟିତ୍ବ ବି ଏଯାଏ ନିର୍ଦ୍ଧାରଣ କରିପାରୁନି।
ସୂଚନାଯୋଗ୍ୟ ଯେ ୨୦୧୨ରେ ଘଟିଥିବା ଦିଲ୍ଲୀର ନିର୍ଭୟା କାଣ୍ଡ ସମଗ୍ର ଦେଶକୁ ସ୍ତବ୍ଧ କରି ଦେଇଥିଲା। ଏହି ଘଟଣା ପରେ ମହିଳାଙ୍କ ସୁରକ୍ଷା ପାଇଁ ସରକାର ଚିନ୍ତା ପ୍ରକଟ କରିଥିଲେ। ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସ୍ବଚ୍ଛନ୍ଦ ବିଚରଣ ଓ ସେମାନଙ୍କ ସୁରକ୍ଷା କିଭଳି ହୋଇପାରିବ ସେ ନେଇ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଇଥିଲେ। ବିଶେଷକରି ମହିଳାଙ୍କ ସୁରକ୍ଷା ପାଇଁ ନିର୍ଦ୍ଦିଷ୍ଟ ଭାବେ ଏକ ପାଣ୍ଠି ମଧ୍ୟ ଗଠନ କରିଥିଲେ। ‘ନିର୍ଭୟା’ ପାଣ୍ଠି ନାମରେ ନାମିତ ଏହି ଯୋଜନାରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସହାୟତା ଦେବାକୁ ଘୋଷଣା କରିଥିଲେ। ଭାରତ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୨୦୧୫ ଅକ୍ଟୋବରରୁ ନିର୍ଭୟା ପାଣ୍ଠି ଗଠନ ହୋଇ ୨୦୧୫-୧୬ ଆର୍ଥିକ ବର୍ଷରୁ ପର୍ଯ୍ୟାୟକ୍ରମେ ବିଭିନ୍ନ ରାଜ୍ୟକୁ ଟଙ୍କା ଦିଆଯାଇଥିଲା। ପ୍ରତିବର୍ଷ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ପାଣ୍ଠି ଯୋଗାଇ ଦିଆଯାଉଛି। ଯେଉଁ ରାଜ୍ୟ ମହିଳାଙ୍କ ସୁରକ୍ଷା ପାଇଁ ଯେତେ ଶୀଘ୍ର ଅର୍ଥ ଖର୍ଚ୍ଚ କରି ବିନିଯୋଗ ପ୍ରମାଣପତ୍ର ଦାଖଲ କରିବେ, ସେହି ରାଜ୍ୟକୁ ପରବର୍ତ୍ତୀ ଦଫାରେ ଅର୍ଥ ପ୍ରଦାନ କରାଯାଉଛି। ଓଡ଼ିଶାକୁ ୨୦୧୬-୧୭ରେ ନିର୍ଭୟା ପାଣ୍ଠିରୁ ୯ କୋଟି ୪୮ ଲକ୍ଷ ଟଙ୍କା ମିଳିଥିବା ବେଳେ ତାହାର ବିନିଯୋଗ ପ୍ରମାଣପତ୍ର ଓଡ଼ିଶା ପୁଲିସ ଏଯାଏ ଦାଖଲ କରିପାରିନାହିଁ। ବିନିଯୋଗ ପ୍ରମାଣପତ୍ର ଦେଇ ନଥିବାରୁ ୨୦୧୭-୧୮, ୨୦୧୮-୧୯ ଓ ୨୦୧୯-୨୦ରେ ଏହି ଯୋଜନାରେ ଓଡ଼ିଶା ଆଉ ଟଙ୍କା ପାଇ ପାରି ନାହିଁ। ମହିଳାଙ୍କ ସୁରକ୍ଷା ପାଇଁ ଆସିଥିବା ଏହି ଟଙ୍କାରେ ଓଡ଼ିଶା ପୁଲିସ ରାଜ୍ୟର ବିଭିନ୍ନ ଥାନାର ମହିଳା ପୁଲିସଙ୍କ ପାଇଁ ୪୦୦ରୁ ଅଧିକ ସ୍କୁଟି କିଣିଥିବା ଜଣାପଡିଛି। ତିନି ମାସ ତଳେ ଏକ ନିର୍ଦ୍ଦିଷ୍ଟ କଂପାନିର ୪୦୦ରୁ ଅଧିକ ସ୍କୁଟି କିଣା ହୋଇଥିବା ବେଳେ ତାହା କିନ୍ତୁ ଏଯାଏ ବଣ୍ଟା ଯାଇ ପାରି ନାହିଁ। ଜାନୁଆରି ମାସରେ କିଣା ହୋଇଥିବା ଏହି ସ୍କୁଟି ଏବେ ପୁଲିସ ମୁଖ୍ୟାଳୟରେ ପଡି ରହିଛି। କଟକ କମିସନରେଟ ପୁଲିସ ପାଇଁ କିଣାଯାଇଥିବା ୪୭ଟି ସ୍କୁଟି ବି ଏକ ନିର୍ଦିଷ୍ଟ ସ୍ଥାନରେ ଜମା ହୋଇ ରହିଛି। ଏହି ଯୋଜନାର ଏଭଳି ସ୍ଥିତି ସଂପର୍କରେ ରାଜ୍ୟ ପୁଲିସ ମୁଖ୍ୟାଳୟ ସହିତ ବାରମ୍ବାର ଯୋଗାଯୋଗ ପରେ ବି କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳୁ ନାହିଁ। ମହିଳାଙ୍କ ସୁରକ୍ଷା ପାଇଁ ଆସିଥିବା ପାଣ୍ଠି ବିନିଯୋଗରେ ଏ ପ୍ରକାର ଅବହେଳା ଉଦ୍ବେଗର କାରଣ ହୋଇଛି।
The post ‘ନିର୍ଭୟା’ ପାଣ୍ଠି ବିନିଯୋଗ କରିପାରୁନି ଓଡ଼ିଶା ପୁଲିସ! first appeared on Sambad.from ରାଜ୍ୟ | Sambad https://ift.tt/31de67e
0 Comments