ପିପିଲି ଉପନିର୍ବାଚନ : ରୁଦ୍ର ବିଜେଡି ପ୍ରାର୍ଥୀ

ଭୁବନେଶ୍ବର : ପିପିଲିରୁ ବିଜେଡି ପ୍ରାର୍ଥୀ କିଏ ହେବେ? ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ନା ପୁତ୍ର ରୁଦ୍ର ପ୍ରତାପ ମହାରଥୀ? ଏହାକୁ ନେଇ କିଛି ଦିନ ହେଲା ଚାଲିଥିବା ଚର୍ଚ୍ଚାରେ ଆଜି ପୂର୍ଣ୍ଣଛେଦ ପଡ଼ିଛି। ପୁଅ ରୁଦ୍ର ପ୍ରତାପଙ୍କ ଉପରେ ଭରସା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତାଙ୍କୁ ବିଜେଡି ପ୍ରାର୍ଥୀ ଭାବେ ‌ଆଜି ଦଳ ବିଧିବଦ୍ଧ ଘୋଷଣା କରିଛି।

ପିପିଲି ନିର୍ବାଚନମଣ୍ଡଳୀରୁ ସ୍ବର୍ଗତ ପ୍ରଦୀପ ମହାରଥୀ ନିଜର ଗଡ଼ କରି ରଖିଥିଲେ। ସେଠାରୁ ସେ ୭ ଥର ବିଧାନସଭାକୁ ପ୍ରତିନିଧିତ୍ବ କରିଥିଲେ। ତେଣୁ ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରି ବିଜେଡି ନିଜ ଗଡ଼କୁ ବଜାୟ ରଖିବାକୁ ଯୋଜନା କରିଛି। ଆଜି ଦଳ ପ୍ରାର୍ଥୀ ଘୋଷଣା କରିଥିଲେ ବି ଗତ କିଛି ଦିନ ହେଲା ବିଜେଡି ନେତାମାନେ ପିପିଲିରେ ଡେରା ପକାଇସାରିଲେଣି। ପଞ୍ଚାୟତ ୱାରି ନେତାମା‌ନଙ୍କୁ ଦାୟିତ୍ବ ବି ବଣ୍ଟା ସରିଛି। ଗାଁ ଗାଁରେ କର୍ମୀ ସମ୍ମିଳନୀ କରି ଭୋଟର୍‌ଙ୍କୁ ମନ ଜିଣିବାକୁ ଦଳ ଜୋର୍‌ଦାର୍‌ କସରତ ଆରମ୍ଭ କରିଦେଇଛି।

ନାମ ଘୋଷଣା ହେଲା ପରେ ଗଣମାଧ୍ୟମକୁ ରୁଦ୍ର କହିଛନ୍ତି ଯେ ବାପା ପ୍ରଦୀପ ମହାରଥୀଙ୍କ ଅଧୁରା ସ୍ୱପ୍ନ ପୂରଣ କରିବି। ମୁଖ୍ୟମନ୍ତ୍ରୀ ଏହି ସୌଭାଗ୍ୟ ପ୍ରଦାନ କରିଥିବାରୁ ଧନ୍ୟବାଦ ଜଣାଉଛି। ମାଆଙ୍କ ଆଶୀର୍ବାଦ ମୋ ସହ ସବୁବେଳେ ରହିଛି। ପିପିଲି ଓ ଡେଲାଙ୍ଗର ବିକାଶ ପାଇଁ ଜୋର୍‌ଦାର୍‌ ଉଦ୍ୟମ କରିବି। ମାଟିର ଉନ୍ନତି ଓ ପ୍ରଗତି ମୋର ପ୍ରଥମ କାମ। ନିର୍ବାଚନ ଲଢ଼ିବାର ଅଭିଜ୍ଞତା ନାହିଁ। କିନ୍ତୁ ମୋତେ ଯେଉଁ ଭଲ ପାଇବା ମିଳିଛି, ତାହା ଉପ ନିର୍ବାଚନ ବିଜୟରେ ମୋତେ ଆଗକୁ ବାଟ କଢ଼ାଇନେବ। ଉପନିର୍ବା‌ଚନରେ ବିଜେଡି ନିଶ୍ଚିତ ଭଲ କରିବ। ଗଣମାଧ୍ୟମରେ ପ୍ରତିକ୍ରିୟା ଦେଉଥିଲା ବେଳେ ବେଶ୍‌ ଭାବବିହ୍ବଳ ହୋଇପଡ଼ିଥିଲେ ରୁଦ୍ର।

ଗତକାଲି ବିଜେପି ପ୍ରାର୍ଥୀ ଭାବେ ଆଶ୍ରିତ ପଟ୍ଟନାୟକଙ୍କ ନାମ ଘୋଷଣା କରାଯାଇଥିଲା। ସେ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କଂଗ୍ରେସ ଏ ଯାଏ ପ୍ରାର୍ଥୀ ଘୋଷଣା କରି ନାହିଁ। ପିସିସି ପକ୍ଷରୁ ତିନି ଜଣଙ୍କ ନାମ ଏଆଇସିସିକୁ ସୁପାରିସ୍‌ କରାଯାଇଛି। ସେମାନେ ହେଲେ ଅଜିତ ମଙ୍ଗରାଜ, ପୂର୍ଣ୍ଣ ସ୍ୱାଇଁ ଏବଂ ନିଶିକାନ୍ତ ମିଶ୍ର। ତିନି ଜଣଙ୍କ ମଧ୍ୟରୁ ଆସନ୍ତାକାଲି କଂଗ୍ରେସ ହାଇକମାଣ୍ଡ ଜଣଙ୍କ ନାମରେ ମୋହର ମାରିବାର ସମ୍ଭାବନା ରହିଛି। ଆସନ୍ତା ୧୭ରେ ପିପିଲି ପାଇଁ ମତଦାନ ହେବାକୁ ଥିବା ବେଳେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ମାର୍ଚ୍ଚ ୩୦।

The post ପିପିଲି ଉପନିର୍ବାଚନ : ରୁଦ୍ର ବିଜେଡି ପ୍ରାର୍ଥୀ first appeared on Sambad.

from ରାଜ୍ୟ | Sambad https://ift.tt/2P9OYvL

Post a Comment

0 Comments