ବାମରା : ବାମରା ବ୍ଲକ ଉଚ୍ଚକାପାଟ ପଞ୍ଚାୟତ କେଛୁପାଣି (ଜଗନ୍ନାଥ ମନ୍ଦିର ପଡ଼ା)ର ଅଲେଖ ସାହୁ(୮୫) ନାମକ ଜଣେ ଗରିବ ଅସହାୟ ବୃଦ୍ଧ ବ୍ୟକ୍ତି ଗତ ପ୍ରାୟ ୫/୬ ବର୍ଷ ହେଲା ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ମାସକୁ ୭ ଶହ ଟଙ୍କା ଓ ୫ କେଜି ଚାଉଳ ପାଇ ଆସୁଥିଲେ। ଗତ ୫ ବର୍ଷ ତଳେ ତାଙ୍କ ସ୍ତ୍ରୀଙ୍କ ଦେହାନ୍ତ ପରେ ଏକମାତ୍ର ଝିଅ ଓ ଜ୍ୱାଇଁ ସାଙ୍ଗରେ ରହି ତାଙ୍କର ଦେଖାଶୁଣା କରୁଛନ୍ତି। ଗତ ନଭେମ୍ବର ମାସ ୩ ତାରିଖ ଦିନ ଅଲେଖ ଘର ଅଗଣାରେ ପଡ଼ି ଯିବା ଫଳରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ସେହିଦିନଠାରୁ ସେ ଚାଲିବୁଲି ନ ପାରି ଶଯ୍ୟାଶାୟୀ ଅଛନ୍ତି। ଆଖିକୁ ଦେଖାଯାଉ ନାହିଁ କି କାନକୁ ଭଲ ଭାବରେ ଶୁଣା ଯାଉ ନାହିଁ। ଏହାପରେ ତାଙ୍କୁ ଗତ ଡିସେମ୍ବର ମାସ ପର୍ଯ୍ୟନ୍ତ ଭତ୍ତା ଓ ଚାଉଳ ପଞ୍ଚାୟତ ପକ୍ଷରୁ ମିଳିଥିଲା। ମାତ୍ର ପରବର୍ତ୍ତୀ ସମୟରେ ଅଲେଖଙ୍କୁ ବଞ୍ଚି ଥାଉଁ ଥାଉଁ ମୃତ ବୋଲି ଘୋଷିତ କରାଯାଇଛି ବୋଲି ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଏହା ପରେ ତାଙ୍କର ସମସ୍ତ ସରକାରୀ ସାହାଯ୍ୟ ସହଯୋଗ ମଧ୍ୟ ସେହି କାରଣରୁ ବନ୍ଦ ହୋଇଯାଇଥିବା କୁହାଯାଇଛି।

ଏ ନେଇ ତାଙ୍କର ଜ୍ୱାଇଁ ଲଳିତ ମୋହନ ସାହୁ ଓ କେତେକ ଗ୍ରାମବାସୀ ସରପଞ୍ଚ ଓ ପିଇଓଙ୍କୁ ଅଲେଖ ଜୀବିତ ଅଛନ୍ତି ବୋଲି ସୂଚନା ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଜଣାପଡ଼ିଛି। ଏ ନେଇ ସମ୍ବଲପୁର ଜିଲ୍ଲାପାଳଙ୍କ ନିକଟକୁ ଏକ ଲିଖିତ ଅଭିଯୋଗ କରାଯାଇଥିବା ସୂଚନା ରହିଛି। ଏ ବାବଦରେ ପଞ୍ଚାୟତ ଇଓ ପ୍ରଶାନ୍ତ କିସାନ ଅନେକଥର ଫୋନ କରିଥିଲେ ମଧ୍ୟ ସେ ଜବାବ ଦେଇ ନ ଥିଲେ। ସରପଞ୍ଚ ମଞ୍ଜୁଲତା ଲୁହାଙ୍କୁ ପଚାରିବାରୁ, ଭୁଲରେ ସେ ମୃତ ବୋଲି, ଖାତାରେ ଚଢ଼ି ଯାଇଛି। ତାଙ୍କର ଭତ୍ତା ପଇସା ହେରଫେର ହୋଇ ନାହିଁ। ତାଙ୍କୁ ଉକ୍ତ ଭତ୍ତା ବାବଦକୁ ବକେୟା ରାଶି ନେଇଯିବାକୁ କୁହାଯାଇଥିଲେ ମଧ୍ୟ ସେ ନେବା ପାଇଁ ଆସୁନାହାନ୍ତି କହିଥିଲେ। ବର୍ତ୍ତମାନ ଗୋଡ଼ ଭାଙ୍ଗି ଖଟରେ ଶୋଇ ରହିଥିବା ଅଲେଖଙ୍କୁ କେବେ ନ୍ୟାୟ ମିଳିବ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।
The post ଜୀବିତ ହିତାଧିକାରୀଙ୍କୁ ମୃତ ଘୋଷଣା, ୩ ମାସର ଭତ୍ତା, ଚାଉଳ ବନ୍ଦ first appeared on Sambad.from ରାଜ୍ୟ | Sambad https://ift.tt/3cpR7Mt
0 Comments