ପିଇଓଙ୍କୁ ଜୋତାରେ ପିଟିଲେ ବିଡିଓ

କିଶୋରନଗର : ଭୋଟର ତାଲିକା ଦାଖଲରେ ବିଳମ୍ବ ହେବାରୁ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ଚପଲରେ ବାଡ଼େଇଛନ୍ତି କିଶୋରନଗର ବିଡିଓ ଶ୍ୟାମଳ ସୁନ୍ଦର ରାୟ। ଖାଲି ବାଡ଼େଇ ନାହାନ୍ତି, ମା’ ଭଉଣୀ ନେଇ ଗାଳି ବି ଦେଇଛନ୍ତି। ପଞ୍ଚାୟତ ସମିତି କାର୍ଯ୍ୟାଳୟ ଭିତରେ ବିଡିଓଙ୍କ ଏମିତି ଦବଙ୍ଗଗିରିକୁ ନେଇ ଏବେ ସାରାଜିଲ୍ଲାରେ ଚର୍ଚ୍ଚା ଆରମ୍ଭ ହୋଇଥିଲାବେଳେ ପିଇଓ ସଂଘ ଏହାକୁ ଜୋରଦାର ବିରୋଧ କରିଛି। ଏପରିକି ଆଜି କଲମଛାଡ଼ ଆନ୍ଦୋଳନ କରି ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଘ।

ପିଇଓଙ୍କୁ ମାଡ଼ ଘଟଣା ନେଇ କିଶୋରନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ବବିତା ପ୍ରଧାନଙ୍କ ନିକଟରେ ଆଜି ମିଳିତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ସଂଘ ପକ୍ଷରୁ ବିଡିଓଙ୍କ ବିରୋଧରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁସାରେ, ରଣିଆକଟା ପିଇଓ ଅରବିନ୍ଦ ଭୋକ୍ତା ଭୋଟର ତାଲିକା ଦାଖଲ କରିବାକୁ ଗତ ୯ ତାରିଖ ସନ୍ଧ୍ୟାରେ ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ। କିଛି କାମ ବାକି ଥିବାରୁ ସେ କାର୍ଯ୍ୟାଳୟର ଗୋଟିଏ ପାର୍ଶ୍ବରେ ବସି ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରିଥିଲେ। ଏହି ସମୟରେ ବିଡିଓ ତାଙ୍କୁ ଡକାଇ ଗାଳିଗୁଲଜ କରିଥିଲେ। ତଥାପି ତାଙ୍କର ରାଗ ଶାନ୍ତ ହୋଇ ନ ଥିଲା। ବରଂ, ମୁଣ୍ଡକୁ ପିତ୍ତ ଚଢି ଯାଇଥିଲା। ଆଉ ବିଡିଓ ଗୋଡ଼ରୁ ଚପଲ ଖୋଲି ପିଇଓଙ୍କୁ ନିର୍ଧୂମ ବାଡ଼େଇଥିଲେ। ଏହି ସମୟରେ ପଞ୍ଚାୟତ ସମିତିର ବହୁ ଅଧିକାରୀ ଓ କେତେଜଣ ପିଇଓ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ବିଡିଓଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେ କିଛି ଶୁଣି ନ ଥିଲେ।

ସମସ୍ତଙ୍କ ସାମ୍ନାରେ ବିଡିଓ ଏମିତି ଚପଲରେ ବାଡ଼େଇବା ପରେ ଘୋର ମାନସିକ ଅଶାନ୍ତିରେ ଦିନ କାଟୁଥିବା କହିଛନ୍ତି ପିଇଓ ଅରବିନ୍ଦ। ପରେ ଏଥିନେଇ ମିଳିତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ସଂଘକୁ ଲିଖିତ ଭାବେ ସେ ଜଣାଇଥିଲେ। ଏହାପରେ ଆଜି ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କିଶୋରନଗର ପଞ୍ଚାୟତ ସମିତି ଅଧୀନରେ କାମ କରୁଥିବା ସମସ୍ତ ପିଇଓ ଏବଂ ଜିଆରଏସ୍‌ ଆଜି କଲମଛାଡ଼ ଆନ୍ଦୋଳନ କରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ମାମଲାର ସମାଧାନ ନ ହେବା ପର୍ଯ୍ୟନ୍ତ କୌଣସି କାମ କରିବେ ନାହିଁ ବୋଲି ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କୁ ଲିଖିତ ଭାବେ ଜଣାଇଥିଲେ।

ଏ ସଂପର୍କରେ ବିଡିଓଙ୍କୁ ପଚାରିବାରେ ସେ କହିଲେ, ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ। ତେବେ ମିଳିତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ସଂଘର ଆନ୍ଦୋଳନ ନେଇ ତାଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ସେ ‘ସବୁ ସମାଧାନ ହୋଇଯାଇଛି’ ବୋଲି କହିଥିଲେ। ଅନ୍ୟପକ୍ଷରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ଏ ସଂପର୍କରେ ପଚାରିବାରେ ତାଙ୍କ ନିକଟରେ ଏବେସୁଦ୍ଧା କୌଣସି ବିଧିବଦ୍ଧ ଅଭିଯୋଗ ହୋଇନାହିଁ ବୋଲି ସେ କହିଛନ୍ତି।

The post ପିଇଓଙ୍କୁ ଜୋତାରେ ପିଟିଲେ ବିଡିଓ first appeared on Sambad.



from ରାଜ୍ୟ – Sambad https://ift.tt/3rRdXSP

Post a Comment

0 Comments