ଉଚ୍ଚଶିକ୍ଷା ବିଭାଗ ବିରୋଧରେ ୨୨ ହଜାର ମାମଲା

ଭୁବନେଶ୍ବର : ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ବିରୋଧରେ ହାଇକୋର୍ଟରେ ୨୨୦୧୧ଟି ମାମଲା ବିଚାରାଧୀନ ଅଛି। ଏହି ମାମଲାଗୁଡ଼ିକ ବିଭିନ୍ନ ପର୍ଯ୍ୟାୟରେ ବିଗତ ଆନୁମାନିକ ୧୦ ବର୍ଷ ଧରି ବିଚାରାଧୀନ ଅଛି। ବିଧାନସଭାରେ ବିଧାୟକ ମୁକେଶ ମହାଲିଙ୍ଗଙ୍କ ଲିଖିତ ପ୍ରଶ୍ନର ଉତ୍ତର‌େର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଏହି ସୂଚନା ଦେଇଛନ୍ତି। ମାମଲାଗୁଡ଼ିକ ହାଇକୋର୍ଟଙ୍କ ବିଚାରାଧୀନ ଥିବାରୁ ଆପୋସ ବୁଝାମଣା ମାଧ୍ୟମରେ ଏଗୁଡ଼ିକର ସମାଧାନ ସମ୍ଭବ ନୁହେଁ ବୋଲି ମନ୍ତ୍ରୀ ଜଣାଇଛନ୍ତି। ଶ୍ରୀ ସାହୁଙ୍କ ତଥ୍ୟ ଅନୁଯାୟୀ ବିଚାରାଧୀନ ମାମଲାଗୁଡ଼ିକ ମଧ୍ୟରୁ ଡବ୍ଲ୍ୟୁ.ପି. (ସି) ଆକାରରେ ୧୭୭୯୮, କୋର୍ଟ ଅବମାନନାରେ ୨୮୦୨, ଅପିଲ୍‌ ୮୯୫, ରିଭ୍ୟୁ ପିଟିସନ୍ ୫୫ ଓ ମିସ୍‌ କେସ୍‌ ୪୬୧।

ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ବିଭିନ୍ନ ବିଶ୍ବବିଦ୍ୟାଳୟ, ସରକାରୀ ଓ ବେସରକାରୀ କଲେଜଗୁଡ଼ିକର ଶିକ୍ଷକ ଓ ଅଣଶିକ୍ଷକ ବର୍ଗର କର୍ମଚାରୀମାନେ ସେମାନଙ୍କ ଚାକିରି ସର୍ତ୍ତାବଳୀ, ଦରମା ଓ ପେନ୍‌ସନ୍ ସମ୍ପର୍କିତ ପ୍ରାପ୍ୟ ନିର୍ଦ୍ଦିଷ୍ଟ ସମୟରେ ପାଉ ନ ଥିବା ଅଭିଯୋଗ ଆଣି ଏହି ମାମଲାଗୁଡ଼ିକ ରୁଜୁ କରିଛନ୍ତି। ବିଭାଗ ବିରୋଧରେ ରୁଜୁ ହୋଇଥିବା ଏହି ମାମଲାଗୁଡ଼ିକ ଆଡ୍‌ଭୋକେଟ୍‌ ଜେନେରାଲ୍‌ଙ୍କ ଦପ୍ତର ଦ୍ବାରା ପରିଚାଳିତ ‌େହାଇଥାଏ। ଏହି ମାମଲାଗୁଡ଼ିକର ସୁପରିଚାଳନା ପାଇଁ ରାଜ୍ୟ ସରକାର ବିଭିନ୍ନ ସମୟରେ ଆଡ୍‌ଭୋକେଟ୍‌ ଜେନେରାଲ୍‌ଙ୍କ ସହ ପରାମର୍ଶ କରିଥା’ନ୍ତି। ତାଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାମଲାଗୁଡ଼ିକ ହାଇକୋର୍ଟଙ୍କ ଦ୍ବାରା ତ୍ବରିତ ବିଚାର ପାଇଁ ପଦକ୍ଷେପ ନେଇଥା’ନ୍ତି।

The post ଉଚ୍ଚଶିକ୍ଷା ବିଭାଗ ବିରୋଧରେ ୨୨ ହଜାର ମାମଲା first appeared on Sambad.

from ରାଜ୍ୟ | Sambad https://ift.tt/3f9GHCv

Post a Comment

0 Comments