ଆଜି ବିଜୁ ଜୟନ୍ତୀ: କଟକ ଆନନ୍ଦ ଭବନରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅଭିମୁଖେ ସାଇକେଲ୍ ରାଲି

କଟକ: ଆଜି ପ୍ରବାଦ ପୁରୁଷ, ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ସାରା ରାଜ୍ୟରେ ଏହାକୁ ପଞ୍ଚାୟତିରାଜ ଓ ଲୋକସେବା ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଜୁ ଜନତା ଦଳ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଦିବସକୁ ଖୁବ୍ ଉତ୍ସାହର ସହ ପାଳନ କରୁଛି। କଟକ ଆନନ୍ଦ ଭବନରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରାଯାଇଛି।

ଏହି ଅବସରରେ ବିଜେଡି ପକ୍ଷରୁ ଏକ ବିଶାଳ ସାଇକେଲ ରାଲିର ଆୟୋଜନ କରାଯାଇଛି। କଟକ ଆନନ୍ଦ ଭବନ ନିକଟରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅଭିମୁଖେ ସାଇକେଲ୍ ରାଲି ବାହାରି ଭୁବନେଶ୍ବର ପାଖରେ ପହଞ୍ଚିଛି। ଏଥିରେ ହଜାର ହଜାର ସଂଖ୍ୟକ ଯୁବକ-ଯୁବତୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ଦଳର ବହୁ ଛାମୁଆ ନେତା ଏହାର ନେତୃତ୍ୱ ନେଉଥିବା ବେଳେ ଯୁବ ବିଜେଡି, ଛାତ୍ର ବିଜେଡିର ଶହଶହ କର୍ମୀ ସାମିଲ ହୋଇଛନ୍ତି ।

କଟକରୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ଛାତ୍ର ବିଜେଡି ସଭାପତି ଦେବୀ ରଂଜନ ତ୍ରିପାଠୀ, ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ, ବିଜେଡି ନେତା ଦେବାଶିଷ ସାମନ୍ତରାୟ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିଜେଡି ଉପସଭାପତି ଦେବୀ ମିଶ୍ର ପ୍ରମୁଖ ଏହି ସାଇକେଲ ରାଲିର ନେତୃତ୍ୱ ନେଇଛନ୍ତି। ବିଜୁବାବୁ ଜନ୍ମଜୟନ୍ତୀ ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣାର ଉତ୍ସବ ବୋଲି ନେତାମାନେ କହିଛନ୍ତି। ପ୍ରବାଦ ପୁରୁଷ ତାଙ୍କ ଜୀବନରେ କରିଥିବା କାର୍ଯ୍ୟକ୍ରମ ଆଜିର ଯୁବପିଢିଙ୍କୁ ଆଗକୁ ବଢ଼ିବାକୁ ସାହସ ଯୋଗାଏ ବୋଲି ବିଜୁ ଜନତା ଦଳର ନେତା ଓ କର୍ମୀ ଏହି ଅବସରରେ ମତ ରଖିଛନ୍ତି।

ରେଭେନ୍ସା ମହାବିଦ୍ୟାଳୟରୁ  ପାକିସ୍ତାନର ପେଶୱାର ପର୍ଯ୍ୟନ୍ତ ବିଜୁ ବାବୁ ଛାତ୍ର ଜୀବନରେ ୪୫ ଶହ ମାଇଲ ସାଇକେଲ ଯାତ୍ରା କରିଥିଲେ। ସେହି ଐତିହାସିକ ଯାତ୍ରାକୁ ଆଜି ମନେ ପକାଇ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ଏଭଳି ସାଇକେଲ ରାଲି କରାଯାଇଥିବା ଯୁବ ଓ ଛାତ୍ର କର୍ମୀମାନେ ପ୍ରକାଶ କରିଛନ୍ତି।

The post ଆଜି ବିଜୁ ଜୟନ୍ତୀ: କଟକ ଆନନ୍ଦ ଭବନରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅଭିମୁଖେ ସାଇକେଲ୍ ରାଲି first appeared on Sambad.



from ରାଜ୍ୟ – Sambad https://ift.tt/3sQ3VBh

Post a Comment

0 Comments