ମଣ୍ଡି ଦୁର୍ନୀତିର ଆଉ ଏକ ଫର୍ଦ୍ଦ ଖୋଲିଲା, ଦିନ ମଜୁରିଆ ବିକିଛନ୍ତି ୨ଶହ କ୍ବିଣ୍ଟାଲ

ନବରଙ୍ଗପୁର/ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ରେ ହୋଇଥିବା ମଣ୍ଡି ମହାଦୁର୍ନୀତିର ଆଉ ଗୋଟିଏ ଫର୍ଦ୍ଦ ଖୋଲିଛି। ଜଣେ ଦିନ ମଜୁରିଆଙ୍କ ନାଁରେ ବିକ୍ରି ହୋଇଛି ୨ଶହ କ୍ବିଣ୍ଟାଲ ଧାନ। ଏପରିକି ତାଙ୍କୁ ଭାଗ ଚାଷୀ ବୋଲି ଦର୍ଶାଇ ହୋଇଛି ଏହି ଜାଲିଆତି। ଏଥିପାଇଁ ତିନି ଜଣ ଦଲାଲ ତାଙ୍କୁ ୩ହଜାର ଟଙ୍କା ଦେଇଥିଲେ। ନିଜେ ଦିନ ମଜୁରିଆ ଜଣକ ଏହି ଦୁର୍ନୀତିକୁ ସାମ୍ନାକୁ ଆଣିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, କୋଇଲିମୁଣ୍ଡା ଗାଁର ହେମାମାଳିନୀ ଟାକ୍ରି ଜଣେ ଦିନ ମଜୁରିଆ। କିନ୍ତୁ ଖରିଫ୍ ମଣ୍ଡିରେ ତାଙ୍କ ନାଁରେ ୨ଶହ କ୍ବିଣ୍ଟାଲ ଧାନ ବିକ୍ରି ହୋଇଛି। ଖୋଳତାଡ଼ କରିବାରୁ ଜମାଦାରପଡ଼ା ପଞ୍ଚାୟତ ଅନ୍ତର୍ଗତ ହଳଦୀ ଖଲିଆପଡ଼ା ଗ୍ରାମର ଡମ୍ବରୁ ମରକାମ ଓ କଲାମ ମରକାମଙ୍କ ଖାତା ନଂ ୨୫ ଓ ୨୬ରେ ଥିବା ଚାଷ ଜମିରେ ସେ ଭାଗ ଚାଷ କରିଥିବା ଦର୍ଶାଇ ଲ୍ୟାମ୍ପସ୍‌ରେ ପଞ୍ଜୀକରଣ କରାଯାଇଥିଲା। ଏ ନେଇ ହେମାମାଳିନୀଙ୍କୁ ପଚାରିବାରୁ ନିକଟସ୍ଥ ଗ୍ରାମର ହୀରାଲାଲ ହରିଜନଙ୍କ ସମେତ ୩ଜଣ ବ୍ୟକ୍ତି ତାଙ୍କ ପାଖକୁ ଆସିଥିଲେ। ଗରିବ ହୋଇଥିବାରୁ ସରକାର ୩ହଜାର ଟଙ୍କାର ସହାୟତା ଦେବାକୁ ନିଷ୍ପତ୍ତି ନେଇଥିବା କୁହାଯାଇଥିଲା। ଏଥିପାଇଁ ତାଙ୍କୁ ଆଧାର କାର୍ଡ ମାଗି ନେଇଥିଲେ। କିଛିଦିନ ପରେ ତାଙ୍କ ନାଁରେ ଆକାଉଣ୍ଟ ଖୋଲି ପାସ୍‌ବୁକ୍ ଦେଇଥିଲେ। ପରବର୍ତ୍ତୀ ସମୟରେ କିଛି ଦଲାଲ ସିନ୍ଧିମୁଣ୍ଡା ମଣ୍ଡିକୁ ବାଇକ ଯୋଗେ ନେଇଥିଲେ। ସେଠାରେ ଚକ୍ଷୁ ସ୍କାନ୍ କରାଇ ପୁଣି ଘରେ ଆଣି ଛାଡ଼ିଥିଲେ। ଗୋଟିଏ ଚେକ୍ ବୁକ୍ ଆଣି ସେଥିରେ ଦସ୍ତଖତ କରାଇ ନେଇ ଯାଇଥିଲେ। ପୁଣି କିଛିଦିନ ଯିବା ପରେ ଗୋଟିଏ ଏଟିଏମ୍ କାର୍ଡ ଆଣି ଦେଇଥିଲେ। କାର୍ଡ ଦେବାର ଦୁଇ ଦିନ ପରେ ପୁଣି ନେଇ ଯାଇଥିଲେ। ଏଥିପାଇଁ ତାଙ୍କୁ ୩ହଜାର ଟଙ୍କା ଦିଆଯାଇଥିଲା। ଏହାପରେ କ’ଣ ହେଲା କିଛି ଜାଣି ନଥିବା କହିଛନ୍ତି ହେମାମାଳିନୀ। କିନ୍ତୁ ବିଳମ୍ବରେ ଜାଣିବାକୁ ପାଇଲେ ଯେ, ସେ ଦୁଇ ଶହ କ୍ବିଣ୍ଟାଲ ଧାନ ବିକ୍ରି କରିଛନ୍ତି।

ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ହେମାମାଳିନୀଙ୍କ ନାମରେ ଉମରକୋଟ ବ୍ଲକର ଏକ ଘରୋଇ ବ୍ୟାଙ୍କରେ ଆକାଉଣ୍ଟ ଖୋଲାଯାଇଥିଲା। ସେହିପରି ଫୁଡ୍‌ ଓଡ଼ିଶା ପୋର୍ଟାଲରେ ଏଫ୨୩୦୧୦୦୦୦୧୧୬ ଅନୁଯାୟୀ ପଞ୍ଜୀକରଣ ମଧ୍ୟ କରାଯାଇଛି। ଚନ୍ଦାହାଣ୍ଡି ଲ୍ୟାମ୍ପସ୍‌ ଫାର୍ମର କୋର୍ଡ ଏସ୧୨୩୦୧୦୧ ପ୍ରକାରେ ଲ୍ୟାମ୍ପସ୍‌ରେ ପଞ୍ଜୀକରଣ କରାଯାଇଛି। ଜାଲିଆତି କରି ଧାନ ବିକ୍ରି ହୋଇଥିବା ଜାଣିବା ପରେ ହେମାମାଳିନୀଙ୍କ ପାଖକୁ ପ୍ରକୃତ ଜମି ମାଲିକ ଆସୁଛନ୍ତି। ବାରମ୍ବାର ଆସି ତାଗିଦ୍ କରୁଥିବା ସେ କହିଛନ୍ତି। ଅନ୍ୟପଟେ ଯେଉଁ ଦଲାଲ ଏହି କାରସାଦି କରିଥିଲା, ତାହାର ଏବେ ଦେଖାନାହିଁ। ଚନ୍ଦାହାଣ୍ଡି ବ୍ଲକରେ ଏମିତି ଶହ ଶହ ନକଲି ଚାଷୀ ପଞ୍ଜୀକରଣ ହୋଇଛି। କିଛି ମିଲ୍‌ ମାଲିକ ଚଞ୍ଚକତା କରି ଦଲାଲଙ୍କ ଜରିଆରେ ପଞ୍ଜୀକରଣ କରାଇଛନ୍ତି। ହଜାର ହଜାର କୁଇଣ୍ଟାଲ ଧାନ ବିକ୍ରି କରି କୋଟି‌ କୋଟି ଟଙ୍କା ହଡ଼ପ କରାଯାଇଛି। ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ପ୍ରଶାସନ କ’ଣ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା।

The post ମଣ୍ଡି ଦୁର୍ନୀତିର ଆଉ ଏକ ଫର୍ଦ୍ଦ ଖୋଲିଲା, ଦିନ ମଜୁରିଆ ବିକିଛନ୍ତି ୨ଶହ କ୍ବିଣ୍ଟାଲ first appeared on Sambad.

from ରାଜ୍ୟ | Sambad https://ift.tt/3vR9UIl

Post a Comment

0 Comments