ଟିଟିପିସିଏସ୍‌ ବନ୍ଦ ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କ ପରେ ଧର୍ମେନ୍ଦ୍ର ବି ଚିଠି ଲେଖିଲେ

ଭୁବନେଶ୍ୱର : ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର(ଟିଟିପିଏସ)କୁ ବନ୍ଦ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରି ଗତକାଲି କେନ୍ଦ୍ର ବିଦ୍ୟୁତ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ରାଓ ଇନ୍ଦରଜିତ ସିଂହଙ୍କୁ ଚିଠି ଲେଖି ତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ। ଆଜି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ପ୍ରସଙ୍ଗରେ ଶ୍ରୀ ସିଂହଙ୍କୁ ଚିଠି ଲେଖିଛନ୍ତି ଓ ଫୋନ୍‌ରେ ମଧ୍ୟ କଥାବାର୍ତ୍ତା ହୋଇଛନ୍ତି। ଟିଟିପିଏସ୍‌ ବନ୍ଦ ହେବ ନାହିଁ ଓ ଏହାର ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ତ୍ବରାନ୍ବିତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ପ୍ରତିଶ୍ରୁତି ଦେଇଥିବା ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ତାଳଚେରରେ ଆଉ ଏକ ନୂଆ ତାପଜ ବିଦ୍ୟୁତ୍ କେନ୍ଦ୍ରର ପ୍ରତିଷ୍ଠା ପାଇଁ ମଧ୍ୟ ସେ ଶ୍ରୀ ସିଂହଙ୍କୁ ଅନୁରୋଧ କରିଛନ୍ତି। ତେବେ ଓଡ଼ିଶା ସରକାର ଏଥିପାଇଁ ଆବଶ୍ୟକ ସହଯୋଗ ଯୋଗାଇଦେଲେ ନୂଆ ତାପଜ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସେ ଜଣାଇଛନ୍ତି।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ରର ତୃତୀୟ ପର୍ଯ୍ୟାୟର ସଂପ୍ରସାରଣକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ସିଂହଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି। ସେ ଲେଖିଛନ୍ତି ଯେ ଓଡ଼ିଶାକୁ ଦୀର୍ଘ ୨୫ ବର୍ଷ ପାଇଁ ଶକ୍ତି ଯୋଗାଇବା ନିମନ୍ତେ ୨୦୧୦ରେ ଟିଟିପିଏସ୍‌ର ଷ୍ଟେଜ୍ -୩ ସମ୍ପ୍ରସାରଣ ଲାଗି ଏନ୍‌ଟିପିସି ପ୍ରସ୍ତାବ ଦେଇଥିଲା। ଏଥିରେ ମୋଟ ୧୩୨୦ ମେଗାୱାଟ ବିଦ୍ୟୁତ୍‌ ଉତ୍ପାଦନ ହେବାର ରହିଛି। ଦୁଇଟି ଅତ୍ୟାଧୁନିକ ସୁପର କ୍ରିଟିକାଲ ପାୱାର ଷ୍ଟେସନ ଭାବରେ ୬୬୦ ମେଗାୱାଟର ଦୁଇଟି ୟୁନିଟ୍ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଅକ୍ଟୋବର ୨୦୧୧ରେ ଶକ୍ତି ମନ୍ତ୍ରାଳୟ ଦ୍ୱାରା ଏହାକୁ ସର୍ବବୃହତ ପ୍ରକଳ୍ପ ଭାବରେ ମାନ୍ୟତା ପ୍ରଦାନ କରାଯାଇଥିଲା। ଏଥିପାଇଁ ଏନଟିପିସି ଦ୍ୱାରା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟର ଆନୁଷଙ୍ଗିକ ଅନୁମତି ପ୍ରଦାନ କରାଯାଇଥିଲା। ୨୦୧୭ ଏପ୍ରିଲ ୧୮ରେ ଏନଟିପିସି ଦ୍ୱାରା ଓଡିଶା ସରକାରଙ୍କ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପାଇଁ ଆବେଦନ କରାଯାଇଥିଲା । ଏକ ବୃହତ ପ୍ରକଳ୍ପ ହୋଇଥିବା କାରଣରୁ ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ କମିଟିର ଅନୁମତି ଆବଶ୍ୟକତା ଥିଲା । ମାତ୍ର ଅନୁମୋଦନରେ ବିଳମ୍ବ କାରଣରୁ କେନ୍ଦ୍ରମନ୍ତ୍ରୀ ୨୦୧୮ସେପ୍ଟେମ୍ବର‌ ୧୧ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ପତ୍ର ଲେଖି ଏହି ପ୍ରକଳ୍ପକୁ ଶୀଘ୍ର ଅନୁମୋଦନ ଦେବାକୁ ତାଙ୍କର ହସ୍ତକ୍ଷେପ ‌ଲୋଡ଼ିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିପାରିଥାନ୍ତେ । ମାତ୍ର ୨୦୨୦ ଫେବ୍ରୁଆରିରେ ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଏହି ପ୍ରକଳ୍ପ ପାଇଁ ଅନୁମତି ପ୍ରଦାନ କରିଥିଲା। ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ଥାନୀୟ ଜନସାଧାରଣଙ୍କ ଜୀବନଜୀବିକା ତଥା ସ୍ଥାନୀୟ ଅର୍ଥନୀତିକୁ ମଜବୁତ କରିବା ପାଇଁ ଏହି ପ୍ରକଳ୍ପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଏହି ପ୍ରକଳ୍ପରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ସେ ଶ୍ରୀ ସିଂହଙ୍କୁ ଅନୁରୋଧ କରିଛନ୍ତି।

ଶ୍ରୀ ସିଂହଙ୍କୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ଜଣାଇଥିଲେ ଯେ ଟିଟିପିଏସ୍‌ ବନ୍ଦ ହେଲେ ଏହା ଉପରେ ନିର୍ଭରଶୀଳ ଥିବା ହଜାର ହଜାର ପରିବାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ ହେବେ। ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ଏହା ଗୁରୁତର ଭାବେ ପ୍ରଭାବିତ କରିବ। ଏହି ପ୍ରସଙ୍ଗ ପ୍ରତି ତୁରନ୍ତ ଧ୍ୟାନ ଦେବାକୁ ସେ ଶ୍ରୀ ସିଂହଙ୍କୁ କହିଥିଲେ। ଟିଟିପିଏସ୍‌ ବନ୍ଦ ହେବା ଦ୍ବାରା ରାଜ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହେବ ତାହାର ତୁରନ୍ତ ସମାଧାନ କରିବା ଲାଗି ଏନ୍‌ଟିପିସିକୁ ନିର୍ଦେଶ ଦେବାକୁ ସେ କହିଥିଲେ। ଏହା ବ୍ୟତୀତ ଏହି ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦାବି କରିଥିଲେ। ସେଥିପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବେ। ଦୁଇଟି ୬୬୦ ମେଗାୱାଟ୍‌ ବିଶିଷ୍ଟ ସୁପର କ୍ରିଟିକାଲ୍ ୟୁନିଟ୍ ସ୍ଥାପନ କରି ଟିଟିପିଏସ୍‌ର କ୍ଷମତାକୁ ସମ୍ପ୍ରସାରିତ କରିବା ପାଇଁ ୨୦୧୦ରେ ଏନ୍‌ଟିପିସି ପ୍ରସ୍ତାବ ଦେଇଥିଲା। ଏଥିପାଇଁ ରାଜ୍ୟ ସରକାର ସବୁ ପ୍ରକାର ମଞ୍ଜୁରି ମଧ୍ୟ ଦେଇଛନ୍ତି। କିନ୍ତୁ ଏନ୍‌ଟିପିସି ଏପର୍ଯ୍ୟନ୍ତ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିପାରୁ ନାହିଁ।

ସୂଚନାଯୋଗ୍ୟ ଯେ ଟିଟିପିଏସ୍‌କୁ ଚାଲୁ ରଖିବା ଲାଗି ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଅନୁମତି ଥିବା ବେଳେ ଏହାର ୯ ଦିନ ପୂର୍ବରୁ ଅର୍ଥାତ ଗତ ମଙ୍ଗଳବାର ଏହାର ସମସ୍ତ ୬ ୟୁନିଟ୍‌କୁ କଂପାନି କର୍ତ୍ତୃପକ୍ଷ ବନ୍ଦ କରିଦେଇଛନ୍ତି। ଫଳରେ ରାଜ୍ୟରେ ବିଦ୍ୟୁତ ଶକ୍ତି ସଙ୍କଟ ଦେଖାଦେଇଛି। ୪୬୦ ମେଗାୱାଟ୍‌ର ଏହି ୬ ୟୁନିଟ୍‌କୁ କୋଇଲା ଯୋଗାଇବା ଲାଗି ଶ୍ରମ ଶକ୍ତିର ଅଭାବ ଥିବା କାରଣ ଦର୍ଶାଇ କଂପାନି ତରଫରୁ କାରଖାନାକୁ ବନ୍ଦ ରଖାଯାଇଛି।

The post ଟିଟିପିସିଏସ୍‌ ବନ୍ଦ ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କ ପରେ ଧର୍ମେନ୍ଦ୍ର ବି ଚିଠି ଲେଖିଲେ first appeared on Sambad.

from ରାଜ୍ୟ | Sambad https://ift.tt/39dslgU

Post a Comment

0 Comments