ସବୁଠି ନିଆଁ : ବଲାଙ୍ଗୀର ଓ ସୁବର୍ଣ୍ଣପୁର ସୀମାରେ ଜଙ୍ଗଲ ଜଳୁଛି

ଲୋଇସିଂହା : ବଲାଙ୍ଗୀର ଜିଲ୍ଲା ‌ଲୋଇସିଂହା ରେଞ୍ଜ ଛେଲିଆପାଟ ଓ ନିକଟବର୍ତ୍ତୀ ସୁବର୍ଣ୍ଣପୁର ଜିଲ୍ଲା ବାରପାହାଡ଼ ଜଙ୍ଗଲ ଜଳୁଥିବା ଦେଖ‌ିବାକୁ ମିଳିଛି। ସ୍ଥାନୀୟ ଆଦିବାସୀ ନେତା କ୍ଷମାନିଧି ଦଳପତିଙ୍କ ସୂଚନା ଅନୁଯାୟୀ, ଛେଲିଆପାଟ, ହାତୀଖୋଜ ସମେତ ଉକ୍ତ ଅଂଚଳର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ବ୍ୟାପକ ଜଙ୍ଗଲ ଧ୍ବଂସ ହେବାରେ ଲାଗିଛି। ଏ ସଂପର୍କରେ ସ୍ଥାନୀୟ ରେଞ୍ଜ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ଲୋଇସିଂହା ରେଞ୍ଜ ପକ୍ଷରୁ ଦୁଇଟି ଗାଡ଼ି ସହ ୧୦ ଜଣିଆ ଟିମ୍‌ ଗଠନ କରାଯାଇ ଫଲସାମାଲ ଓ ଛେଲିଆପାଟ ସମେତ ବିଭିନ୍ନ ଜଙ୍ଗଲକୁ ପଠଯାଇ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି କହିଥିଲେ। ସଚେତନତା ଅଭାବରୁ କେତେକ ଅସମାଜିକ ଲୋକ ନିଆଁ ଲଗାଇ ଦେଉଥିବା ସେ ସନ୍ଦେହ ପ୍ରକାଶ କରିଥିଲେ। ସେହିପରି ସୁବର୍ଣ୍ଣପୁର ଜିଲ୍ଲା ତିଲେଇମାଲ ନିକଟ ବାରପାହାଡ଼ ଜଙ୍ଗଲ ସମେତ ନିକଟସ୍ଥ ପାହାଡ଼ ଜଙ୍ଗଲରେ ଗତ କିଛି ଦିନ ହେଲା ନିଆଁ ଲାଗିଛି। ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଡୁମ୍ବେରଖୋଲ ବାରପାହାଡ଼ ଜଙ୍ଗଲରେ ନିଆଁ
ଲଛିପୁର : ସୋନପୁର ସଦର ବ୍ଲକ୍‌ ଛକୋରମାଲ ପଞ୍ଚାୟତ ଅନ୍ତର୍ଗତ ଡୁମ୍ବେରଖୋଲ ବାରପାହାଡ଼ ଜଙ୍ଗଲ ମଧ୍ୟରେ ନିଆଁ ଲାଗିଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଅନେକ ଗଛ ପୋଡ଼ିଯାଇଛି। ଲଛିପୁର ଫରେଷ୍ଟର ବାବାଜୀ ନାଏକ, ରାଧାମହନ ଭୋଇ, କୁନା ବାରିକ, ପ୍ରକାଶ ମହାକୁରଙ୍କ ସମେତ ମାଟିମୁଣ୍ଡା ବନ ସୁରକ୍ଷା କମିଟି ସଦସ୍ୟ ନିଆଁକୁ ଆୟତ୍ତ କରିଥିଲେ।

ହରିଶଙ୍କର ରାସ୍ତା କଡ଼ରେ ନିଆଁ, ଯାତ୍ରୀ ହନ୍ତସନ୍ତ
ଖପ୍ରାଖୋଲ : ଖପ୍ରାଖୋଲ- ହରିଶଙ୍କର ରାସ୍ତା କଡ଼ରେ ନିଆଁ ଲାଗିଥିବାରୁ ରବିବାର ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ। ହରିଶଙ୍କର ଯାଉଥିବା ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପ୍ରକାଶ ଯେ, ଏହି ରାସ୍ତାର ଚାଉଳବାଞ୍ଜି ନିକଟରେ ରାସ୍ତାକଡ଼ରେ ନିଆଁ ଲାଗିଥିଲା। ରାସ୍ତାସାରା ଧୂଆଁମୟ ‌ହୋଇଯାଇଥିବାରୁ ଯାତ୍ରୀମାନେ ଅଣନିଃଶ୍ବାସୀ ହୋଇ ବହୁ କଷ୍ଟରେ ଯାଉଥିଲେ। ଏ ନେଇ ବନ ବିଭାଗ ପାଖରେ ଖବର ମଧ୍ୟ ନଥିଲା। କିଛି ସମୟ ପରେ ଅବଶ୍ୟ ନିଆଁ ଆପେ ଆପେ ଲିଭି ଯାଇଥିଲା।

ଜଳୁଛି ବୁଦ୍ଧଖୋଲ ପାହାଡ଼, ସିଦ୍ଧ ଗୁମ୍ଫାରେ ଲାଗିଲା ନିଆଁ
ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ଲାଗିଛି ନିଆଁ। ସନ୍ଧ୍ୟା ହେଲେ ପାହାଡ଼ ଉପରେ କିଲୋମିଟର କିଲୋମିଟର ବ୍ୟାପୀ ଜଙ୍ଗଲ ଜଳୁଛି। ଏହି ବନାଞ୍ଚଳର କିରିଆମ୍ବା, ନାଡ଼ିଅମ୍ବା, ତାଳସର, ମାଣିତରା, ନଗୁଡ଼ୁ ବଡ଼ପଥର ଆଦି ଜଙ୍ଗଲ ସମେତ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲ ପାହାଡ଼ ପ୍ରାୟ ୫ ଦିନ ହେଲା ଜଳୁଛି।

ଉଦ୍‌ବେଗର ଘଟଣା ହେଲା, ଆଜି ବୁଦ୍ଧଖୋଲ ପାହାଡ଼ ଶିଖରରେ ବିରାଜିତ ପ୍ରସିଦ୍ଧ ଶୈବପୀଠ ଉପରିସ୍ଥ ସିଦ୍ଧ ଗୁମ୍ଫାରେ ନିଆଁ ଲାଗି ଯାଇଛି। ଅଗ୍ନିକାଣ୍ଡ ଯୋଗୁଁ ପାହାଡ଼ ଉପରେ ଶହ ଶହ ଏକର ଜଙ୍ଗଲ ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ବହୁ ମୂଲ୍ୟବାନ ଗଛ ମଧ୍ୟ ପୋଡ଼ିଯାଇଛି। ଅନ୍ୟପକ୍ଷରେ, ନିଆଁ ଲାଗିବା ଫଳରେ ବନ୍ୟଜନ୍ତୁ ଓ ପକ୍ଷୀ ଗାଁ ମୁହାଁ ହେଉଥିବାବେଳେ ପରିବେଶ ଧୂଆଁମୟ ହୋଇ ନିଃଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ହେଉଛି। ଶ୍ବାସ ରୋଗୀ ଓ ଟିବି ରୋଗୀ ଅଧିକ ସଂକ୍ରମିତ ହେବାର ଆଶଙ୍କା ଦେଖା ଦେଇଛି। ଜଙ୍ଗଲରେ ଗତ କିଛି ଦିନ ଧରି ନିଆଁ ଜଳୁଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁଁ ଜଙ୍ଗଲ ଆଖପାଖ ଅଂଚଳର ଲୋକମାନେ ଅସ୍ତବ୍ୟସ୍ତ ହୋଇ ପଡ଼ିଲେଣି। ଏହି ନିଆଁ ମନୁଷ୍ୟକୃତ ହୋଇଥିବା ଅଭିଯୋଗ ହେଉଥିବାବେଳେ ବନ ବିଭାଗର ପ୍ରାୟ ଦୁଇ ଶହ କର୍ମଚାରୀ ବିଭିନ୍ନ ସ୍ଥାନରେ ଜଙ୍ଗଲରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ନିୟୋଜିତ ହୋଇଛନ୍ତି ବୋଲି ବୁଗୁଡ଼ା ରେଞ୍ଜର୍ ଫକୀର ଚରଣ ବେହେରା ସୁଚନା ଦେଇଛନ୍ତି।

ଜଙ୍ଗଲ ଛାଡ଼ି ଗାଁରେ ପଶିଲେ ହାତୀ
ବେତନଟୀ/ବୈଶିଙ୍ଗା : ଜଙ୍ଗଲ ନିଆଁକୁ ନେଇ ଅସମ୍ଭାଳ ହେଲାଣି ସ୍ଥିତି। ଏମିତିରେ ଜୀବନ ବିକଳରେ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଲେଣି ହାତୀପଲ। ଶିମିଳିପାଳ ସହିତ ପଡ଼ୋଶୀ ପଶ୍ଚିମବଙ୍ଗର ଅନେକ ଜଙ୍ଗଲରେ ନିଆଁ ଲାଗିଥିବାବେଳେ ଆଜି ପଶ୍ଚିମବଙ୍ଗପଟୁ ଦୁଇଟି ଦନ୍ତାହାତୀ ବେତନଟୀ ରେଞ୍ଜର ବଡ଼ାମପୁର ବନପାଳ କ୍ଷେତ୍ରରେ ପ୍ରବେଶ କରିଥିଲେ। ଜଙ୍ଗଲ ନିଆଁ ତଥା ଖାଦ୍ୟାଭାବ ଯୋଗୁ ହାତୀ ଦୁଇଟି ଆଜି ସନ୍ଧ୍ୟାରେ ବେଲଡିହା, ରଙ୍ଗଡା, ରଘୁନାଥପୁର, ଚାଞ୍ଚିପଦା ଆଦି ଗ୍ରାମରେ ପଶିଥିଲେ।

ଦିନକରେ ୩୦୦ ଜାଗାରେ ନିଆଁ
ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଏପର୍ଯ୍ୟନ୍ତ ୪୧୦ଟି ସ୍ଥାନରେ ଜଙ୍ଗଲ ନିଆଁ ଦେଖିବାକୁ ମିଳିଥିବାବେ‌ଳେ, ଆଜି ଗୋଟିଏ ଦିନରେ କେବଳ ୩୦୦ରୁ ଅଧିକ ସ୍ଥାନରେ ନିଆଁ ଲାଗିଛି। ନୟାଗଡ଼ ବନଖଣ୍ଡ କର୍ତ୍ତୃପକ୍ଷ ନିଆଁ ଲିଭାଇବା ନିମନ୍ତେ ଏକରକମ ନାକେଦମ୍‌ ହୋଇ ସାରିଲେଣି। ଜଙ୍ଗଲରେ ନିଆଁ ଲାଗିଥିବାରୁ ନୟାଗଡ଼ ସହର ସମେତ ବିଭିନ୍ନ ସ୍ଥାନରେ ଧୂଆଁରେ ଲୋକ ଅସ୍ତବ୍ୟସ୍ତ ହୋଇଗଲେଣି।

ଏଭଳିସ୍ଥତି‌ରେ ଜଙ୍ଗଲ ନିଆଁ ପ୍ରତିହତ କରିବାକୁ ଡିଏଫ୍‌ଓ ଧନରାଜ ଏଚ୍‌ଡି ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। ଜଙ୍ଗଲ ନିଆଁ ସମ୍ପର୍କରେ ଖବର ପାଇଲେ ବନବିଭାଗକୁ ଖବର ଦେବାକୁ ନିବେଦନ କରିଛନ୍ତି। ସମସ୍ତ ବନାଞ୍ଚଳକୁ ନିଆଁ ଲିଭାଇବା ନିମନ୍ତେ ଫାୟାର ‌ବ୍ଲୋର, ସ୍ବତନ୍ତ୍ର ଗାର୍ଡ ଯୋଗାଣ ହୋଇଥିବା, ସଚେତନତା ରଥ ବୁଲୁଥିବା ଡିଏଫ୍‌ଓ କହିଛନ୍ତି। କରୋନା ମହାମାରୀ ଭଳି ଜଙ୍ଗଲ ନିଆଁକୁ ଲିଭାଇବାକୁ ବିଭିନ୍ନ ବିଭାଗ, ବିଭିନ୍ନ ବର୍ଗର ଜନସାଧାରଣ ବନବିଭାଗକୁ ସହଯୋଗ କରିବାକୁ ଡିଏଫ୍‌ଓ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି।

The post ସବୁଠି ନିଆଁ : ବଲାଙ୍ଗୀର ଓ ସୁବର୍ଣ୍ଣପୁର ସୀମାରେ ଜଙ୍ଗଲ ଜଳୁଛି first appeared on Sambad.



from ରାଜ୍ୟ – Sambad https://ift.tt/3qqe46a

Post a Comment

0 Comments