ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୫ତମ ଜନ୍ମ ଜୟନ୍ତୀ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓଡ଼ିଆ ଜାତି ତଥା ଓଡ଼ିଶାର ଉତ୍‌ଥାନ ପାଇଁ ଆଜୀବନ ଉଦ୍ୟମ କରିଥିବା ନେତାଙ୍କ ମଧ୍ୟରେ ଅନ୍ୟତମ। ସେ ଥିଲେ ସାହସୀ, ସ୍ବାଭିମାନୀ, ଯୁଗସ୍ରଷ୍ଟା ଓ ଦୂରଦ୍ରଷ୍ଟା। ୫ ମାର୍ଚ୍ଚ ୧୯୧୬ରେ ଆସିକାରେ ସେ ଜନ୍ମ ହୋଇଥି‌େଲ। ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟରେ ପରିଣତ କରିବା ପାଇଁ ସ୍ବାଧୀନତା ପରେ ସ୍ବପ୍ନ ଦେଖିଥିଲେ ବିଜୁ। ସେ ଭୁବନେଶ୍ବରରେ ପ୍ରତିଷ୍ଠା କରିଥିଲେ ଆମ ରାଜ୍ୟର ପ୍ରଥମ ଫ୍ଲାଇଙ୍ଗ୍ କ୍ଲବ୍‌ ଏବଂ ନିଜର ସ˚ସ୍ଥା ‘କଳିଙ୍ଗ ଏଆର‌୍‌ଓ୍ୱଜ୍‌‌’। ବ୍ୟକ୍ତିଗତ ଉଦ୍ୟମରେ ସେ ଚୌଦ୍ବାରରେ ଓଡ଼ିଶା ଟେକ୍‌ସଟାଇଲ୍‌ ମିଲ୍‌, କଳିଙ୍ଗ ଟ୍ୟୁବ୍‌ସ, କଳିଙ୍ଗ ରେଫ୍ରିଜେରେସନ୍‌, କଳିଙ୍ଗ ଇଣ୍ତଷ୍ଟ୍ରିଜ୍‌ ଭଳି ବହୁ କାରଖାନା ଖୋଲିଥିଲେ। ବୈଷୟିକ ବିଜ୍ଞାନ ଉପରେ ତାଙ୍କର ବିଶ୍ବାସ ଥିଲା। ବିଜ୍ଞାନର ପ୍ରସାର ପାଇଁ ୧୯୫୧ରେ ସେ ଜାତିସ˚ଘର ଶିକ୍ଷା, ବିଜ୍ଞାନ ଓ ସ˚ସ୍କୃତି ସ˚ସ୍ଥା ମାଧ୍ୟମରେ ‘କଳିଙ୍ଗ ପୁରସ୍କାର’ ସ୍ଥାପନ କରିଥିଲେ।

ପାରାଦୀପରେ ଏକ ବୃହତ୍‌ ବନ୍ଦର ସ୍ଥାପନ ପାଇଁ ସେ ହିଁ ପ୍ରଥମେ ପଦକ୍ଷେପ ନେଇଥିଲେ। କେନ୍ଦ୍ର ଟାଳଟୁଳ ନୀତି ଅବଲମ୍ବନ କରିଚାଲିଥିଲେ ହେଁ ବିଜୁ ପ୍ରଧାନମନ୍ତ୍ରୀ ପଣ୍ତିତ ନେହରୁଙ୍କୁ ପ୍ରଭାବିତ କରି ଶୁଭ ଦିଆଇଥିଲେ। କେନ୍ଦ୍ରର ସହାୟତା ମିଳିବା ପୂର୍ବରୁ ରାଜ୍ୟ ବ୍ୟୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଇ ଲଢ଼ୁଆ ମନୋବୃତ୍ତିର ପରିଚୟ ଦେଇଥିଲେ। ଓଡ଼ିଶାର ଲୌହ-ବହୁଳ ଅଞ୍ଚଳ ସହ ପାରାଦୀପକୁ ଯୋଡ଼ିବା ପାଇଁ ଗଢ଼ାଇଥିଲେ ଦୈତାରୀ-ପାରାଦୀପ ଏକ୍‌ସପ୍ରେସ୍‌ ରାଜପଥ। ତେର ଜିଲ୍ଲା ବିଶିଷ୍ଟ ଓଡ଼ିଶାକୁ ଭାଙ୍ଗିବା ପାଇଁ ତାଙ୍କ ପୂର୍ବରୁ କୌଣସି ମୁଖ୍ୟମନ୍ତ୍ରୀ ସାହସ କରି ନ ଥିଲେ। ନିଜର ଦ୍ବିତୀୟ ଶାସନ କାଳରେ ସେ ଓଡ଼ିଶାକୁ ତିରିଶଟି ଜିଲ୍ଲାରେ ବିଭକ୍ତ କରିଥିଲେ। ପଞ୍ଚାୟତ ଓ ନଗରପାଳିକା ବ୍ୟବସ୍ଥାରେ ମହିଳାଙ୍କ ନିମନ୍ତେ ସ୍ଥାନ ସ˚ରକ୍ଷଣ ଦେଶରେ ସର୍ବ ପ୍ରଥମେ ଓଡ଼ିଶାରେ କାର୍ଯ୍ୟକାରୀ ହୋଇଥିଲା; ଯାହା ବିଜୁଙ୍କ ଅବଦାନ।

ଖଟିଖିଆ ମଜୁରିଆଙ୍କ ପାଇଁ ମଧ୍ୟ ସେ ଐତିହାସିକ ପଦକ୍ଷେପ ନେଇଥିଲେ। ସର୍ବନିମ୍ନ ମଜୁରିକୁ ଏଗାର ଟଙ୍କାରୁ ପଚିଶ ଟଙ୍କାକୁ ବଢ଼ାଇ ଚର୍ଚ୍ଚାକୁ ଆସିଥିଲେ। ତାଙ୍କର ଏହି ପଦକ୍ଷେପ ମଧ୍ୟ ଥିଲା ଦେଶରେ ପ୍ରଥମ। ୧୯୫୧ରେ ସେ ଜଗନ୍ନାଥ ପ୍ରସାଦ ଆସନରୁ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଆସନ ଅଳ˚କୃତ କରିଥିଲେ। କେନ୍ଦ୍ରରେ କିଛି କାଳ ମନ୍ତ୍ରୀ ମଧ୍ୟ ଥିଲେ। ୧୯୯୭ ଏପ୍ରିଲ ୧୭ରେ ତାଙ୍କର ପରଲୋକ ହୋଇଥିଲା।

The post ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୫ତମ ଜନ୍ମ ଜୟନ୍ତୀ first appeared on Sambad.



from ରାଜ୍ୟ – Sambad https://ift.tt/3bj9gLw

Post a Comment

0 Comments