କ୍ୟାନସର ପୀଡ଼ିତ ପିଣ୍ଟୁକୁ ମିଳୁନି କେମୋ ଔଷଧ, ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରେ ଚିକିତ୍ସାର ବିକଳ ଚିତ୍ର

ଭୁବନେଶ୍ବର: ‘ସମ୍ବାଦ’ରେ ପ୍ରକାଶିତ ଖବର ଉପରେ ଖୋଦ୍ ମୁଖ୍ୟ ଶାସନ ସଚିବ ଟ୍ବିଟ୍‌ କରିଥିଲେ। ଭରସା ଦେଇଥିଲେ ମୁଖଗହ୍ବର କ୍ୟାନସର ପୀଡ଼ିତ ପିଣ୍ଟୁର ଚିକିତ୍ସ‌ାର ଦାୟିତ୍ବ ଏବେ ରାଜ୍ୟ ସରକାର ହାତକୁ ନେବେ। ମା‌ତ୍ର ଇତିମଧ୍ୟରେ ପ୍ରାୟ ଏକ ମାସ ବିତିଗଲାଣି। ପିଣ୍ଟୁଙ୍କୁ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଡାକ୍ତରଖାନାରେ ମାଗଣାରେ କେମୋ ଔଷଧ ମିଳୁନି । ଏଥିଯୋଗୁଁ କଟକ ଜିଲ୍ଲା ନିଆଳି ବିଳାଶୁଣି ଗାଁର କ୍ୟାନସର ପୀଡ଼ିତ ପିଣ୍ଟୁ ଭୋଇ(୨୫)ଙ୍କ କଷ୍ଟ ବଢ଼ିବାରେ ଲାଗିଛି। ପିଣ୍ଟୁ କ୍ୟାନସର ମୁକ୍ତ ହୋଇ ସ୍ବାଭାବିକ ଜୀବନ ବଞ୍ଚିବାର ଆଶା କମ୍ରଶଃ ମଉଳିବାରେ ଲାଗିଛି।

କର୍କଟ ଯୋଗୁଁ ଗାଲ କଣା ହୋଇଯାଇଥିବାରୁ ପିଣ୍ଟୁ ପ୍ରତି ମୁହୂର୍ତ୍ତରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। କର୍କଟ ଦିବସ ଅବସରରେ ପିଣ୍ଟୁର ଏଭଳି ଅବସ୍ଥା ନେଇ ‘ସମ୍ବାଦ’ରେ ଖବର ପ୍ରକାଶିତ ହେବା ପରେ ତାଙ୍କୁ ମାଗଣାରେ ଚିକିତ୍ସା‌ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ମାତ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ମାଗଣା କେମୋ ଔଷଧ ମଧ୍ୟ ତାଙ୍କୁ ମିଳୁନାହିଁ। ପିଣ୍ଟୁଙ୍କ ପରିବାରରେ ବୃଦ୍ଧା ମା’ଙ୍କ ଛଡ଼ା କେହି ନାହାନ୍ତି। ତାଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ। ଗତ କିଛି ଦିନ ମଧ୍ୟରେ ୨୦ ହଜାର ଟଙ୍କା ଖର୍ଚ କରିସାରିଲେଣି। ଏବେ ନିରାମୟରେ କେମୋ ଔଷଧ ମିଳୁନଥିବାରୁ ୨ରୁ ଅଢେଇ ହଜାର ଟଙ୍କା ଦେଇ ବାହାରୁ ଔଷଧ କିଣିବା ତାଙ୍କ ପକ୍ଷରେ ଏକପ୍ରକାର ଅସମ୍ଭବ ହୋଇପଡ଼ିଛି। ଏଥିପୂର୍ବରୁ କେତେ ଟଙ୍କା ଖର୍ଚ ହୋଇଛି, ତା’ର ହିସାବ ନାହିଁ। ଧାନ, ଚାଉଳ, ଗାଈ ବିକ୍ରି କରି କୌଣସି ପ୍ରକାର ଚିକିତ୍ସା କରୁଥିବା କହିଛନ୍ତି ପିଣ୍ଟୁ। ବର୍ତ୍ତମାନ ସ୍ଥିତିରେ ଆଚାର୍ଯ୍ୟ ହରିହର ଡାକ୍ତରଖାନାର କର୍କଟ ରୋଗ ବିଶେଷଜ୍ଞ ତାଙ୍କୁ ଔଷଧ ଦେଇଛନ୍ତି। କିନ୍ତୁ ତାଙ୍କୁ ଅସ୍ତ୍ରୋପଚାରର ଆବଶ୍ୟକତା ଥିବା ଡାକ୍ତର କହିଛନ୍ତି। ଘା’ ଶୁଖିଯିବାର ଦିନେ କିମ୍ବା ଦୁଇ ଦିନ ପରେ ଅସ୍ତ୍ରୋପଚାର ହେବ ବୋଲି କୁହାଯାଇଛି। ମାତ୍ର ଘା’ ହୋଇଥିବା ସ୍ଥାନଟି ଶୁଖୁନଥିବାରୁ ସେ କଣ କରିବେ ଜାଣି ପାରୁନାହାନ୍ତି।

ତେବେ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ପକ୍ଷରୁ କୁହାଯାଇଛି, ସମସ୍ତ କେମୋ ପର୍ଯ୍ୟାପ୍ତ ପରିମାଣରେ ରହିଛି। ଯାହା ନଥାଏ ତାହା ନିଜେ କ୍ରୟ କରି ରୋଗୀଙ୍କୁ ଦିଆଯାଏ। ଅଭିଯୋଗ ଅନୁସାରେ, ନିର୍ଦିଷ୍ଟ କେଉଁ କେମୋ ଔଷଧର ସଙ୍କଟ ରହିଛି ଏହାକୁ ନେଇ ତଦନ୍ତ କଲେ ସ୍ଥିତି ସ୍ପଷ୍ଟ ହୋଇ ପାରିବ।

The post କ୍ୟାନସର ପୀଡ଼ିତ ପିଣ୍ଟୁକୁ ମିଳୁନି କେମୋ ଔଷଧ, ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରେ ଚିକିତ୍ସାର ବିକଳ ଚିତ୍ର first appeared on Sambad.



from ରାଜ୍ୟ – Sambad https://ift.tt/3qsw149

Post a Comment

0 Comments