ପୁଣି ଧାନ ତାତି, ବିଧାନସଭା ଅଚଳ

ଖରିଫ ସଂଗ୍ରହ ଅବଧି ବୃଦ୍ଧି ଦାବି କଲେ ବିରୋଧୀ ଦଳ ନେତା
ମନ୍ତ୍ରୀଙ୍କ ବିବୃତି ଦାବିରେ ବିଜେପିର ହଟ୍ଟଗୋଳ
ଆସନ୍ତାବର୍ଷଠାରୁ ଚାଷୀଙ୍କ ଧାନ ଏଫ୍‌ସିଆଇ କିଣୁ: ନରସିଂହ

ଭୁବନେଶ୍ବର : ଗତକାଲି ଭାରତ ବନ୍ଦକୁ ନେଇ କଂଗ୍ରେସ ବିଧାନସଭା ଅଚଳ କଲା। ଖରିଫ ଧାନ କିଣା ଅବଧି ଏପ୍ରିଲ ୧୫ ତାରିଖକୁ ବୃଦ୍ଧି କରିବା ଦାବିରେ ଆଜି ବିଧାନସଭାକୁ ଅଚଳ କରିଛି ବିଜେପି। ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ବିବୃତି ଦାବିରେ ଗୃହ ମଧ୍ୟଭାଗରେ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି। ଫଳରେ ପ୍ରଶ୍ନକାଳ ପରେ ଗୃହ ବାରମ୍ବାର ମୁଲତବୀ ରହିଥିଲା। ଶନିବାର ଯୋଗାଣ ଓ ସମବାୟ ବିଭାଗର ଖର୍ଚ୍ଚଦାବି ଆଲୋଚନା ଥିବାରୁ ବିରୋଧୀ ସଦସ୍ୟ ମନ୍ତ୍ରୀଙ୍କଠାରୁ ଧାନ କିଣା ଅବଧି ବୃଦ୍ଧି ନେଇ ଜବାବ ମାଗିପାରିବେ ବୋଲି ବାଚସ୍ପତି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ କହିଥିଲେ ବି ବିଜେପି ସଦସ୍ୟମାନେ ଗ୍ରହଣ କରିନଥିଲେ।

ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ, ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଚାଷୀଙ୍କର ସମସ୍ତ ଧାନ କିଣିବା ନେଇ ମନ୍ତ୍ରୀ ଏ ଗୃହରେ ପ୍ରତିଶ୍ରୁତି ରଖିଥିଲେ। ଏବେସୁଦ୍ଧା କେତେ ଚାଷୀଙ୍କର ଧାନ କିଣା ହୋଇଛି ସେ ନେଇ ମନ୍ତ୍ରୀ ଗୃହକୁ ଅବଗତ କରାନ୍ତୁ। ଦୋଳପୂର୍ଣ୍ଣମୀ ଓ ହୋଲି ପର୍ବ ଥିବାରୁ ଆସନ୍ତା ଦୁଇଦିନ ଛୁଟି ରହିବ। ଏହି ଦିନମାନଙ୍କରେ ଧାନ କିଣା ହୋଇପାରିବ ନାହିଁ। ତେଣୁ ପୂର୍ବରୁ ଧାର୍ଯ୍ୟ ହୋଇଥିବା ମାର୍ଚ୍ଚ ୩୧ ଖରିଫ ଧାନ ସଂଗ୍ରହ ଅବଧିକୁ ଆସନ୍ତାମାସ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସରକାର ବୃଦ୍ଧି କରନ୍ତୁ। ବିଭାଗୀୟ ମନ୍ତ୍ରୀ ବିବୃତି ରଖିବାକୁ ବାଚସ୍ପତି ରୁଲିଂ ଦେବାକୁ ଶ୍ରୀ ନାଏକ ଦାବି କରିଥିଲେ। ଯେ ପର୍ଯ୍ୟନ୍ତ ବାଚସ୍ପତି ନିର୍ଦ୍ଦେଶ ଦେଇନାହାନ୍ତି ଗୃହ ଚାଲିବନି ବୋଲି ବିରୋଧୀ ଦଳ ନେତା କହିଥିଲେ। ତେବେ ବାଚସ୍ପତି ଗୃହ କାର୍ଯ୍ୟ ଜାରି ରଖିବାରୁ ଗୃହ ମଧ୍ୟଭାଗକୁ ଆସି ବିଜେପି ସଦସ୍ୟମାନେ ନାରାବାଜି କରିବା ସହିତ ପାଟିତୁଣ୍ଡ କରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସଚିବଙ୍କ ଚେୟାର ଉପରେ ଚଢ଼ି ବାଚସ୍ପତିଙ୍କ ପୋଡ଼ିୟମ୍‌ କାଚ ବାଡ଼େଇଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, ଯୋଗାଣ ଓ ସମବାୟ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ବିରୋଧୀ ସଦସ୍ୟମାନେ ମନ୍ତ୍ରୀଙ୍କ ଠାରୁ ଧାନ କିଣା ସମସ୍ୟା ନେଇ ଜବାବ ମାଗିପାରିବେ। ବାଚସ୍ପତି ଶ୍ରୀ ପାତ୍ର ଓ ଶାସକ ଦଳର ସଦସ୍ୟ ଅମର ପ୍ରସାଦ ଶତପଥୀ ମଧ୍ୟ ବିଜେପି ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ନିବେଦନ କରିଥିଲେ।

ଗୃହରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେବାରୁ ପୂର୍ବାହ୍ନ ୧୧ଟା ୪୯ରୁ ଅପରାହ୍ନ ୪ଟା ପର୍ଯନ୍ତ ଗୃହକୁ ବାଚସ୍ପତି ମୁଲତବୀ ରଖିଥିଲେ। ଅପରାହ୍ନରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ବିଜେପି ସଦସ୍ୟମାଙ୍କ ନାରାବାଜି ମଧ୍ୟରେ ଓଡ଼ିଶା ଖାଉଟି ସୁରକ୍ଷା (ସାଧାରଣ) ନିୟମାବଳୀ,୨୦୨୧, ଓଡ଼ିଶା ଲୋକାୟୁକ୍ତଙ୍କ ୨୦୧୯ ମସିହାର ବାର୍ଷିକ ରିପୋର୍ଟ, ୧୫ଟି ଜିଲ୍ଲାରେ ଓଡ଼ିଶା ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗ ନେଇ ୩ ବର୍ଷର ଅଡିଟ୍‌ ରିପୋର୍ଟ, ପଞ୍ଚମ ରାଜ୍ୟ ଅର୍ଥ କମିସନରଙ୍କ ସୁପାରିସ ଆଧାରରେ ପଞ୍ଚାୟତିରାଜ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗକୁ ପାଣ୍ଠି ହସ୍ତାନ୍ତର ରିପୋର୍ଟ ଉପସ୍ଥାପିତ ହୋଇଥିଲା।

ଅଚଳାବସ୍ଥାକୁ ନେଇ ଗୃହ ବାହାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ବିଜେପି ବନ୍ଧୁମାନେ ଗୃହକୁ ଅଚଳ କରିବା ଦୁର୍ଭାଗ୍ୟଜନକ। ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ଖର୍ଚ୍ଚଦାବି ଆଲୋଚନା ଥିଲା। ଆଲୋଚନା ଜରିଆରେ ଗୃହରେ ସମାଧାନର ରାସ୍ତା ବାହାରିପାରିଥାନ୍ତା। କଂଗ୍ରେସ ଦଳ ଯେତେଥର ଗୃହରେ ଆଲୋଚନା କରିଛି ସରକାର ବାଧ୍ୟହୋଇ ୩ ଥର ବିବୃତି ରଖିଛନ୍ତି। କିଛି ପରିମାଣରେ ଚାଷୀଙ୍କ ଧାନ ମଧ୍ୟ ସରକାର କିଣିବା ପାଇଁ ବାଧ୍ୟ ହୋଇଛନ୍ତି। ୩୧ ତାରିଖ ମଧ୍ୟରେ ବାକିସବୁ ଧାନ କିଣିବା ପାଇଁ ସରକାରଙ୍କ ଉପରେ ଆହୁରି ଚାପ ସୃଷ୍ଟି କରାଯାଇପାରିଥାନ୍ତା। ଯଦି ଏହି ସମୟ ଭିତରେ ସମସ୍ତ ଧାନ ସଂଗ୍ରହ କରିବା ସମ୍ଭବ ହୋଇନଥାନ୍ତା ତାହେଲେ କେନ୍ଦ୍ର ସରକାର ଆଇନଅନୁଯାୟୀ ଖରିଫ ଧାନ ସଂଗ୍ରହ ଅବଧି ବୃଦ୍ଧି କରିବାକୁ ଅନୁମତି ଦେଇଥାନ୍ତେ। କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ସରକାରଙ୍କଠାରୁ ବିଜେପି ସଦସ୍ୟ ଏହି ଅନୁମତି ଆଣିପାରିଥାନ୍ତେ।

ଶ୍ରୀ ମିଶ୍ର କହିଥିଲେ, ଭାରତରେ ଏବେ ଚାଷୀ ଆନ୍ଦୋଳନ ତୀବ୍ରତର ହୋଇଛି। ବିଜେପି ବାଟବଣା ହୋଇ ଗୋଟିଏ ପରେ ଗୋଟିଏ ଭୁଲ କରିଚାଲିଛି। କୁମ୍ଭୀରକାନ୍ଦଣାରେ ଚାଷୀ ସନ୍ତୁଷ୍ଟ ହେବେ ନାହିଁ। ଆଗାମୀ ବର୍ଷରୁ ଏଫ୍‌ସିଆଇ ମାଧ୍ୟମରେ ଚାଷୀଙ୍କ ଧାନ ସିଧାସଳଖ ସଂଗ୍ରହ କରାଯାଉ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରି କହିଛନ୍ତି, ବିଜେଡି-ବିଜେପି ଡିଲ୍‌ କରି ଗୃହ ଅଚଳ କରୁଛନ୍ତି। ଖାଇବା ତେଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ଏ ନେଇ କଂଗ୍ରେସ ପକ୍ଷରୁ ମୁଲତବୀ ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଥିଲା। କେନ୍ଦ୍ର ସରକାର ଖାଇବା ତେଳ ଉପରେ ୪୩ ପ୍ରତିଶତ ଟିକସ ଆଦାୟ କରୁଛନ୍ତି। ଓଡ଼ିଶା ସରକାର ତୈଳବୀଜ ଉତ୍ପାଦନ ପାଇଁ କିଛି କରିନାହାନ୍ତି। ଯେଉଁଥିପାଇଁ ଦର ବଢ଼ୁଛି। ଆଲୋଚନା ହୋଇଥିଲେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ହରଡ଼ାଘଣାରେ ପଡ଼ିଥାନ୍ତେ। ସେଥିପାଇଁ ଆଲୋଚନାକୁ ଏଡ଼ାଇବା ପାଇଁ ଏପରି ବାଟ ଖୋଜିଛନ୍ତି।

The post ପୁଣି ଧାନ ତାତି, ବିଧାନସଭା ଅଚଳ first appeared on Sambad.

from ରାଜ୍ୟ | Sambad https://ift.tt/3w3btTH

Post a Comment

0 Comments