ଏକକ ପିଜି ନାମଲେଖାରେ ଆସିବ ସଂସ୍କାର

୨୦୨୧-୨୨ରୁ ସେଣ୍ଟ୍ରାଲ କାଉନସେଲିଂ
ସଂକ୍ଷିପ୍ତ ହେବ ନାମଲେଖା ପ୍ରକ୍ରିୟା
ପ୍ରବେଶିକା ଫଳ ପରେ ଚଏସ୍‌ ଲକିଂ

ଭୁବନେଶ୍ବର : ଏକକ ପିଜି ନାମଲେଖା ପ୍ରକ୍ରିୟା ସଂକ୍ଷିପ୍ତ ହେବ। ୨୦୨୦-୨୧ ଶିକ୍ଷାବର୍ଷ ଭଳି ୫ମାସ ଧରି ଚାଲିବ ନାହିଁ। ନାମଲେଖା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯିବ। ଛାତ୍ରଛାତ୍ରୀଙ୍କୁ ସବିଶେଷ ତଥ୍ୟ ଦେବାକୁ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ରୋଚର ପ୍ରକାଶ କରାଯିବ। ଏଥିରେ ନାମଲେଖା ସମ୍ପର୍କିତ ଟିକିନିଖି ତଥ୍ୟ ରହିବ। ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ସମସ୍ତ ସିଟ୍‌ ପୂରଣ ଦିଗରେ ପ୍ରାଥମିକତା ଦିଆଯିବ। ଛାତ୍ରଛାତ୍ରୀ ଚୟନକୁ ଅଧିକ ସହଜ ଓ ସରଳ କରାଯିବ। ଗୋଟିଏ ଶିକ୍ଷାନୁଷ୍ଠାନରୁ ଅନ୍ୟ ଶିକ୍ଷାନୁଷ୍ଠାନକୁ ସ୍ଥାନାନ୍ତରଣ କରିବା ସମୟରେ ବିଭାଗ ପକ୍ଷରୁ ଧାର୍ଯ୍ୟ ସମୟ ମଧ୍ୟରେ ସିଏଲ୍‌ସି ଓ ମାଇଗ୍ରେସନ୍ ସାର୍ଟିଫିକେଟ୍‌ ଦାଖଲ କରିବାକୁ ବାଧ୍ୟ କରାଯିବ ନାହିଁ। ନାମଲେଖା ସମୟରେ ହିଁ ଛାତ୍ରଛାତ୍ରୀ ଫି’ ଦାଖଲ କରିବେ। ପରବର୍ତୀ ପର୍ଯ୍ୟାୟରେ ଅନ୍ୟ ଶିକ୍ଷାନୁଷ୍ଠାନକୁ ସ୍ଥାନାନ୍ତର ହେଲେ ପୂର୍ବ ନାମଲେଖା ଅର୍ଥ ଫେରିପାଇବେ। ନାମଲେଖା ଲାଗି ସେଣ୍ଟ୍ରାଲ କାଉନସେଲିଂ ସହ ସେଣ୍ଟ୍ରାଲ ଫି’ ଆଦାୟକୁ ପ୍ରାଥମିକତା ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

କରୋନା କାଳରେ ଏକକ ପିଜି ପ୍ରବେଶିକା ପରୀକ୍ଷା ମାଧ୍ୟମରେ ନାମଲେଖା କରାଯିବା ଦ୍ବାରା ଛାତ୍ରଛାତ୍ରୀ ବହୁ ପରିମାଣରେ ହଇରାଣ ହେବା ସହ ଖର୍ଚ୍ଚାନ୍ତ ହୋଇଥିଲେ। ଏନେଇ ବିଭିନ୍ନ ଆଡ଼ୁ ଅଭିଯୋଗ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ଓ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ମାନସମନ୍ଥନ କରାଯାଇଛି। ପ୍ରବେଶିକା ପରୀକ୍ଷା ଓ ନାମଲେଖାରେ ଦେଖାଦେଇଥିବା ଦୋଷତ୍ରୁଟି ଯେପରି ୨୦୨୧-୨୨ ନାମଲେଖା ବେଳେ ପୁନଃରାବୃତ୍ତି ନ ହୁଏ, ସେ ଦିଗରେ ପଦକ୍ଷେପ ନିଆଯିବ। ପ୍ରବେଶିକା ପରୀକ୍ଷା ସରିବାର ଅଳ୍ପ ଦିନ ମଧ୍ୟରେ ଫଳ ପ୍ରକାଶ କରାଯିବ। ଛାତ୍ରଛାତ୍ରୀ କେଉଁ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାକୁ ଚାହୁଛନ୍ତି, ସେଥିପାଇଁ ଚଏସ୍‌ ଫିଲିଂ କରିବେ। ୨୦୨୦-୨୧ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀ ପରୀକ୍ଷା ପୂର୍ବରୁ ଚଏସ୍‌ ଫିଲିଂ କରୁଥିଲେ। ଯେଉଁଥିପାଇଁ ସେମାନଙ୍କୁ ପରବର୍ତ୍ତୀ ସମୟରେ ହଇରାଣ ହେବାକୁ ପଡ଼ିଲା। କାଉନସେଲିଂ ପୂର୍ବରୁ ଶିକ୍ଷାନୁଷ୍ଠାନର ଗତବର୍ଷର କଟ୍‌ ଅଫ୍‌ ମାର୍କ କେତେ ଥିଲା, ସେନେଇ ୱେବ୍‌ସାଇଟ୍‌ରେ ଉଲ୍ଲେଖ କରାଯିବ। ତାହାକୁ ଦେଖି ଛାତ୍ରଛାତ୍ରୀ ଆବେଦନ କରିବେ। ଏହି ସମସ୍ତ ପ୍ରକ୍ରିୟାକୁ ଚୂଡ଼ାନ୍ତ ମୋହର ମାରିବା ଲାଗି ଖୁବ୍‌ଶୀଘ୍ର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବୈଠକ ଡକାଯିବ।

ଏକକ ପିଜି ନାମଲେଖାରେ ଥିବା ତ୍ରୁଟି ସୁଧାରିବା ଲାଗି ଗତ ୧୨ ତାରିଖରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ବିଶ୍ବବିଦ୍ୟାଳୟ (ସମ୍ବଲପୁରସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ବ୍ୟତୀତ)ର ପିଜି କାଉନସିଲ୍‌ ଅଧ୍ୟକ୍ଷ ଓ ପରୀକ୍ଷା ନିୟନ୍ତ୍ରକ ଏବଂ ୧୭ଟି ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନେଇ ଜୁମ୍‌ରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପୂର୍ବରୁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧିକାରୀମାନେ ୧୦ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟାର ତ୍ରୁଟି ଓ ସମାଧାନ ସମ୍ପର୍କରେ ଜଣାଇଥିଲେ। ଚଳିତବର୍ଷ ରାଜ୍ୟର ୭୦ ଶିକ୍ଷାନୁଷ୍ଠାନ(ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ)ରେ ସ୍ନାତକୋତ୍ତର(ପିଜି) ନାମଲେଖା ପାଇଁ ପ୍ରଥମଥର ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୩ଟି ପର୍ଯ୍ୟାୟ ନାମଲେଖା ଓ ଦୁଇଟି ପର୍ଯ୍ୟାୟ ସ୍ପଟ୍‌ ନାମଲେଖା ଏହିପରି ୫ଥର ନାମଲେଖା ପରେ ବି ସମସ୍ତ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ସିଟ୍‌ ପୂରଣ ହୋଇ ନଥିଲା। କେଉଁଠି ଆବଶ୍ୟକ ଅନୁଯାୟୀ ପିଲା ହୋଇନାହାନ୍ତି ତ ଆଉ କେଉଁଠି ଅଧା ସିଟ୍‌ ଖାଲି ପଡ଼ିଥିଲା।

The post ଏକକ ପିଜି ନାମଲେଖାରେ ଆସିବ ସଂସ୍କାର first appeared on Sambad.



from ରାଜ୍ୟ – Sambad https://ift.tt/3csx9zO

Post a Comment

0 Comments