
ବଡ଼ବିଲ: ଗତ ୧୩ ତାରିଖ ସଂଧ୍ୟା ପ୍ରାୟ ୭ ଘଟିକା ସମୟରେ ଭଦ୍ରାସାହି ଅଞ୍ଚଳରେ ରହୁଥିବା ଜଣେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି। ଏନେଇ ପୀଡ଼ିତା ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବଡ଼ବିଲ ପୁଲିସ ଦୁଇ ଦୁଷ୍କର୍ମକାରୀ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି। ମିଳିଥିବା ଖବର ଅନୁଯାୟୀ, ଭଦ୍ରାସାହିରେ ପରିବାର ସହ ରହିଆସୁଥିବା ମଧ୍ୟପ୍ରଦେଶ ରାଜ୍ୟର ବିଶ୍ୱନାଥ ସିଂ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟ ଗତ ୧୩ ତାରିଖ ସନ୍ଧ୍ୟାରେ ପାରିବାରିକ ବିଷୟକୁ ନେଇ ପାଟିତୁଣ୍ଡ ହୋଇଥିଲା। ବିଶ୍ୱନାଥଙ୍କ ଅଜାଣତରେ ତାଙ୍କ ସ୍ତ୍ରୀ ଘରୁ ପଳାଇ ଯାଇଥିଲେ।
ଅନେକ ଖୋଜାଖୋଜି କରିବା ପରେ ବିଶ୍ୱନାଥ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ତ୍ରୀ ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦରରେ ଅଛନ୍ତି। ବିଶ୍ୱନାଥ ସଂଗେ ସଂଗେ ବିଲେଇପଦରରେ ଥିବା ତାଙ୍କ ସାଙ୍ଗ ମିନର ବକ୍ସ ଅଂସାରି(ଗାଡ଼ି ଚାଳକ)ଙ୍କୁ ତାଙ୍କ ସ୍ତ୍ରୀ ଫେରାର ହୋଇଯାଇଥିବା ନେଇ ସମସ୍ତ ସୂଚନା ଦେଇଥିଲେ। ଅଂସାରି ତାଙ୍କ ସାଙ୍ଗ ବିଶ୍ୱନାଥଙ୍କ ସ୍ତ୍ରୀଙ୍କୁ ଠାବ କରିବା ପରେ ତାଙ୍କ ଓଡି୦୯ଜି-୯୩୦୩ ନମ୍ବରବିଶିଷ୍ଟ ହାଇୱା ଗାଡ଼ିରେ ତାଙ୍କୁ ବସାଇ ଭଦ୍ରାସାହିକୁ ଆଣୁଥିବା ବାଟରେ ରୋଡ ଛକ ନିକଟରେ ଉଭୟ ମିନାରବକ୍ସ ଅଂସାରି ଓ ହାଇୱା ଗାଡ଼ିର ହେଲ୍ପର ନାସିର ମହମ୍ମଦ ଉକ୍ତ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ପରେ ତାଙ୍କୁ ଭଦ୍ରାସାହି ଛକରେ ଛାଡ଼ି ପଳାଇଥିଲେ।
ବିଶ୍ୱନାଥଙ୍କ ସ୍ତ୍ରୀ ଘରକୁ ଯାଇ ସ୍ୱାମୀଙ୍କୁ ସମସ୍ତ ଘଟଣା ସମ୍ପର୍କରେ କହିବା ପରେ, ବଡ଼ବିଲ ଥାନାରେ ପୀଡ଼ିତା ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶଙ୍କ ନେତୃତ୍ୱରେ ଏକ ଟିମ୍ ଭଦ୍ରାସାହି ଅଞ୍ଚଳରେ ଚଢ଼ାଉ କରି ଦୁଇ ଦୁଷ୍କର୍ମକାରୀଙ୍କୁ ଗିରଫ କରିଥିବା ବେଳେ, ଉକ୍ତ ହାଇୱା ଗାଡ଼ିକୁ ଜବତ କରିଥିବା ଜଣାଯାଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି।
The post ପାରିବାରିକ କଳହ ଯୋଗୁ ଘର ଛାଡ଼ିଥିଲେ ବିବାହିତା ମହିଳା: ସ୍ବାମୀଙ୍କ ସାଙ୍ଗ ଓ ସହଯୋଗୀ କଲେ ଗଣଦୁଷ୍କର୍ମ, ଉଭୟ ଅଭିଯୁକ୍ତ ଗିରଫ first appeared on Sambad.
from ରାଜ୍ୟ – Sambad https://ift.tt/3tgJzBp
0 Comments