ରାମଙ୍କୁ ନେଇ ଜେଏମ୍‌ଏମ୍‌ରେ କନ୍ଦଳ, ଅସନ୍ତୋଷ ଝାଡ଼ିଲେ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ

ବାରିପଦା: ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦଙ୍କ ପାଇଁ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ପରିସ୍ଥିତି ଉପୁଜିଛି। ଜେଏମ୍‌ଏମ୍‌ରେ ଯୋଗ ଦେବାର ସପ୍ତାହେ ଯାଇନି, ତାଙ୍କୁ ଦଳରୁ ଖୋଲାଖୋଲି ବିରୋଧ କରାଯାଇଛି। ଗତ ଶୁକ୍ରବାର ଦିନ ପୂର୍ବତନ ମୟୂରଭଞ୍ଜ ସାଂସଦ ତଥା ବିଜେଡି ନେତା ଶ୍ରୀ ହାଁସଦା ଦଳ ଛାଡ଼ିଥିଲେ। ଶନିବାର ଦିନ ରାଇରଙ୍ଗପୁରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜେଏମ୍‌ଏମ୍‌ରେ ମିଶିଥିଲେ। ଉକ୍ତ ସଭାରେ ଦଳର କେନ୍ଦ୍ରୀୟ କମିଟି ଉପସଭାପତି ଚମ୍ପାଇ ସୋରେନ୍‌ ଉପସ୍ଥିତ ଥିଲେ। ତେବେ ଉକ୍ତ ମିଶ୍ରଣ ପର୍ବରେ କୌଣସି ରାଜ୍ୟସ୍ତରୀୟ ନେତା ଉପସ୍ଥିତ ନଥିଲେ। ‌ସେତେବେଳେ ଏହାକୁ ନେଇ ସାଧାରଣରେ ଆଲୋଚନା ହେଉଥିଲା।

ଆଉ ଆଜି ରାମଙ୍କ ବିରୋଧରେ ଆଜି ବିଷୋଦ୍‌ଗାର କରିଛନ୍ତି ଦଳର ରାଜ୍ୟ ସଭାପତି ମହେଶ ହେମ୍ବ୍ରମ୍‌। ସେ ରାଜ୍ୟ ସଭାପତି ହୋଇଥିଲେ ମଧ୍ୟ ରାମଙ୍କ ମିଶ୍ରଣ ନେଇ ତାଙ୍କ ସହିତ ବିଚାରବିମର୍ଷ ହୋଇନଥିବା ସେ କହିଛନ୍ତି। ଚିଟଫଣ୍ଡ ଅଭିଯୁକ୍ତ ଭାବେ ସାଂସଦ ଥାଇ ଜେଲ୍‌ ଯାଇଥିଲେ ରାମ। ସେ ଏବେ ବି ସିବିଆଇ ସ୍କାନର୍‌ରେ ଅଛନ୍ତି। ତାଙ୍କ ବିରୋଧରେ ଜିଲ୍ଲାରେ ଜନଆକ୍ରୋଶ ରହିଛି। ଏମିତି ସମୟରେ ତାଙ୍କୁ ଦଳରେ ମିଶିଯିବାକୁ ଜିଲ୍ଲା ଜେଏମ୍‌ଏମ୍‌ର ଅନେକ ନେତା ସହଜରେ ଗ୍ରହଣ କରିପାରୁନଥିବା ମହେଶ କହିଛନ୍ତି। ରାମ ଦଳରେ ମିଶିଥିଲେ ମଧ୍ୟ ରାଜ୍ୟ ସଭାପତି ଭାବେ ତାଙ୍କ ସହିତ ଏଯାବତ୍‌ କଥା ହୋଇନାହାନ୍ତି। ଦଳକୁ ସମସ୍ତଙ୍କୁ ସ୍ବାଗତ। ମାତ୍ର ଉପଯୁକ୍ତ ପ୍ରକ୍ରିୟାରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହେଲେ ତାହା ଦଳ ପାଇଁ ଭଲ ବୋଲି କହିଛନ୍ତି ମହେଶ।

ସୂଚନାଯୋଗ୍ୟ ଦିନେ ଜେଏମ୍‌ଏମ୍‌ରେ ଥିଲେ ରାମ। ବିଜେଡିକୁ ଯାଇ ସାଂସଦ ହେଲେ। ପୁନର୍ବାର ଜେଏମ୍‌ଏମ୍‌କୁ ଫେରିଛନ୍ତି। ମାତ୍ର ଏଥର ଦଳରେ ତାଙ୍କ ଯାତ୍ରା ଯେ ଆଦୌ ସୁଗମ ହେବନି ତାହା ସ୍ପଷ୍ଟ ଜଣାପଡ଼ିଲାଣି। ଏପରିକି ଆଜି ଦଳ ପକ୍ଷରୁ ମୟୂରଭଞ୍ଜକୁ ଦୁଇଟି ସାଂଗଠନିକ ଜିଲ୍ଲାରେ ପରିବର୍ତ୍ତନ କରିବା ନେଇ ବାରିପଦାରେ ଏକ ସାମ୍ବାଦିକ ସମ୍ମିଳନୀ ‌ଅନୁଷ୍ଠିତ ହୋଇଥିଲା। ସେଠା‌ରେ ମଧ୍ୟ ରାମଙ୍କର ଦେଖାନଥିଲା। ଆଗକୁ ରାମ କେଉଁ ରଣନୀତି ନେଇ କାମ କରୁଛନ୍ତି ତାହା ‌ଦେଖିବାକୁ ବାକି ରହିଲା।

The post ରାମଙ୍କୁ ନେଇ ଜେଏମ୍‌ଏମ୍‌ରେ କନ୍ଦଳ, ଅସନ୍ତୋଷ ଝାଡ଼ିଲେ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ first appeared on Sambad.

from ରାଜ୍ୟ | Sambad https://ift.tt/397373K

Post a Comment

0 Comments