ଦୁଇଟି ଚର୍ଚ୍ଚିତ ବାହାଘର : ଅର୍ଚ୍ଚିତାଙ୍କ ହାତ ଧରିଲେ ସବ୍ୟ

ଭୁବନେଶ୍ବର : ରାଣୀ ବେଶରେ ସଜେଇ ହୋଇଥିଲେ ଓଲିଉଡ୍‌ର ଚୁଲ୍‌ବୁଲି ନାୟିକା ଅର୍ଚ୍ଚିତା। ତାଙ୍କ ପାଇଁ ରାଜା ହୋଇଥିଲେ ସବ୍ୟସାଚୀ। ଆଉ ପରସ୍ପରକୁ କହି ଦେଉଥିଲେ ‘ତୋର ମୋର ଯୋଡ଼ି ସୁନ୍ଦର’। ରୂପେଲି ପରଦାର ଏହି ଲୋକପ୍ରିୟ ଯୋଡ଼ି ସବ୍ୟ ଓ ଅର୍ଚ୍ଚିତା ଆଜି ବିବାହ ବେଦିରେ ଅଗ୍ନିକୁ ସାକ୍ଷୀ ରଖି ସବୁ ଦିନ ପାଇଁ ‘ମୁଁ ଏକା ତୁମର’ର ବଚନରେ ଆବଦ୍ଧ ହୋଇଥିଲେ। ଆଉ ସବ୍ୟ ଓ ଅର୍ଚ୍ଚିତାରୁ ସବ୍ୟାର୍ଚ୍ଚିତାରେ ପରିଣତ ହୋଇଯାଇଛନ୍ତି।

ଆଜି ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ରିସୋର୍ଟରେ ରାଜକୀୟ ଶୈଳୀରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି। ବିବାହ ବେଳେ ପରିବାର ବର୍ଗ ଓ କିଛି ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ। ବିରୁସ୍କା ବଲିଉଡ୍‌ରେ ବିବାହର ଟ୍ରେଣ୍ଡ୍‌ ସୃଷ୍ଟି କଲା ଭଳି ଓଲିଉଡ୍‌ରେ ସବ୍ୟାର୍ଚ୍ଚିତା ବିବାହର ନିଆରା ଶୈଳୀ ଓ ସଂଜ୍ଞା ତିଆରି କରିଛନ୍ତି। ବୋଧହୁଏ ଏଭଳି ରାଜକୀୟ ଓ ବିଶାଳ ଆକାରରେ ଓଲିଉଡ୍‌ର ଅନ୍ୟ କୌଣସି ଯୋଡ଼ିଙ୍କ ବିବାହ ହୋଇନାହିଁ। ବଧୂ ବେଶରେ ଅର୍ଚ୍ଚିତା ଏକ ଲାଲ୍‌ ରଙ୍ଗର ଲେହେଙ୍ଗାରେ କୌଣସି ରାଣୀଠାରୁ କମ୍‌ ଲାଗୁନଥିଲେ। ତାଙ୍କ ସହ ତାଳ ଦେଇ ସବ୍ୟସାଚୀ ଧଳା ରଙ୍ଗର ସେରୱାନୀ ସହ ଗୋଲାପୀ ରଙ୍ଗର ପଗଡ଼ିରେ ମହାରାଜା ଅନ୍ଦାଜରେ ନଜର ଆସିଥିଲେ। ଉଭୟଙ୍କ ବର-କନ୍ୟା ବେଶ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ ହେଇଥିଲା ଓ ପ୍ରଶଂସକମାନଙ୍କ ଶୁଭେଚ୍ଛାର ସୁଅ ଛୁଟିଥିଲା। ବିବାହ ପୂର୍ବରୁ ଅର୍ଚ୍ଚିତା ଓ ସବ୍ୟସାଚୀଙ୍କ ହଳଦୀ ଉତ୍ସବର ଫଟୋ ମଧ୍ୟ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ୍‌ କରିଥିଲା। ସୂଚନାଯୋଗ୍ୟ, ଗତକାଲି ହଠାତ୍‌ ସାମାଜିକ ଗଣମାଧ୍ୟମରେ ଏହି ଯୋଡ଼ି ନିଜ ବିବାହ ସମ୍ପର୍କରେ ଘୋଷଣା କରି ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ।

ଏକଦା ଏସିଡ୍‌ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ପ୍ରମୋଦିନୀ ରାଉଳଙ୍କ ହାତ ଧରିଛନ୍ତି ପ୍ରେମିକ ସରୋଜ ସାହୁ

ପ୍ରମୋଦିନୀଙ୍କୁ ବିବାହ କଲେ ସରୋଜ
ତିର୍ତୋଲ : ଶାଶ୍ବତ ପ୍ରେମ ବନ୍ଧନରେ ବାନ୍ଧି ହୋଇଛନ୍ତି ତେଜସ୍ବିନୀ ପ୍ରମୋଦିନୀ ରାଉଳ ଓ ସରୋଜ ସାହୁ। ଜଗତ୍‌ସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍‌ ଅନ୍ତର୍ଗତ କନକପୁର ଗ୍ରାମର ସ୍ବର୍ଗତ ଅନନ୍ତ ଚରଣ ରାଉଳଙ୍କ କନ୍ୟା ତଥା ଏସିଡ୍‌ ପୀଡ଼ିତାରୁ ପୁନର୍ଜନ୍ମ ପାଇଥିବା ‘ତେଜସ୍ବିନୀ ପ୍ରମୋଦିନୀ’ ଆଜି ବାଳକାଟି ଝିଇଣ୍ଟିପାଟଣା ଗ୍ରାମର ସରୋଜଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବାଜା, ବାଣ ଓ ରୋଶଣିରେ ଗାଁ ଦାଣ୍ତ ଦୁଲୁକାଇ ସରୋଜ ବରଯାତ୍ରୀଙ୍କୁ ନେଇ ପ୍ରମୋଦିନୀଙ୍କ ବାସଭବନରେ ପହଞ୍ଚିବା ପରେ ବୈଦିକ ବିଧି ଅନୁସାରେ ବିବାହ ସମ୍ପନ୍ନ ହୋଇଛି। ବିବାହ ପରେ ଏହି ଦମ୍ପତି ବାଳକାଟି ଫେରି ଯାଇଛନ୍ତି।

୨୦୦୯ ମସିହାରେ ଆଦିକବି ସାରଳା ଦାସ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢ଼ୁଥିଲେ ପ୍ରମୋଦିନୀ। ସେତେବେଳେ ନିର୍ବାଚନ ଚାଲିଥିବାରୁ କଲେଜ ନିକଟରେ ଯବାନମାନଙ୍କର ଏକ କ୍ୟାମ୍ପ ପଡ଼ିଥିଲା। ସେହି କ୍ୟାମ୍ପ୍‌ରେ ଭଦ୍ରକ ଅଞ୍ଚଳର ସାମରିକ କର୍ମଚାରୀ ସନ୍ତୋଷ କୁମାର ବେଦାନ୍ତଙ୍କ ନଜର ପଡ଼ିଥିଲା କଲେଜ ପଢ଼ୁଆ ଝିଅ ପ୍ରମୋଦିନୀଙ୍କ ଉପରେ। ସନ୍ତୋଷ ତାଙ୍କୁ ଏକତରଫା ପ୍ରେମ କରି ବିବାହ ପ୍ରସ୍ତାବ ଦେଇ ନିରାଶ ହୋଇଥିଲେ। ପ୍ରମୋଦିନୀ ଓ ତାଙ୍କ ପରିବାର ଲୋକେ ଏଥିରେ ଅମଙ୍ଗ ହେବାରୁ ଏକତରଫା ପ୍ରେମରେ ବିଫଳ ସନ୍ତୋଷ ପ୍ରତିଶୋଧପରାୟଣ ହୋଇ ପଡ଼ିଥିଲେ। ୨୦୦୯ ମସିହା ଅପିଲ ୧୮ ତାରିଖରେ କନକପୁର ନିକଟ ବିଶ୍ବମ୍ଭର ପୋଲ ପାଖରେ ସରୋଜ ପ୍ରମୋଦିନୀଙ୍କ ମୁହଁ ଓ ଶରୀରକୁ ଏସିଡ୍‌ ମାଡ଼ କରି ଫେରାର ହୋଇଯାଇଥିଲେ। ପ୍ରମୋଦିନୀଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଇ ଚିକିତ୍ସା କରିଥିଲେ। ୨୦୧୪ ମସିହା ପର୍ଯ୍ୟନ୍ତ ଦୀର୍ଘ ୬ ବର୍ଷ ଧରି ପ୍ରମୋଦିନୀ କୋମାରେ ରହିଥିଲେ। ନିରନ୍ତର ଚିକିତ୍ସାରେ ଧୀରେଧୀରେ ଚିକିତ୍ସା ପାଇଁ ସୁସ୍ଥ ଆଡ଼କୁ ଗତି କରିଥିଲେ। ୨୦୧୬ରେ ସରୋଜଙ୍କ ସହିତ ତାଙ୍କର ଭେଟ ହୋଇଥିଲା। ସରୋଜ ପ୍ରାମୋଦିନୀଙ୍କୁ ଚିକିତ୍ସାରେ ସହଯୋଗ କରିବା ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ପରିବାରଙ୍କ ସ୍ବୀକୃତି ପାଇବା ପରେ ଆଜି ପ୍ରମୋଦିନୀ ଓ ସରୋଜ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ବିବାହ ଉତ୍ସବରେ ଯୋଗଦେଇ ସରୋଜ ଆଜି ମୁକ୍ତ କଣ୍ଠରେ କହିଛନ୍ତି ଯେ, ‘ମୁଁ ସୁନ୍ଦର ଚେହେରାକୁ ଭଲ ପାଏନା, ହୃଦୟକୁ ଭଲ ପାଏ। ଆମ ସମ୍ପର୍କକୁ ଏହା ଭିତରେ ୭ ବର୍ଷ ପୂରିଛି।’ ଏହି ବିବାହରେ ଉଭୟ ପରିବାର ଖୁସି ଥିବାରୁ ଆମ ଦାମ୍ପତ୍ୟ ଜୀବନ ନିଶ୍ଚିତ ଭାବେ ସୁଖମୟ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

The post ଦୁଇଟି ଚର୍ଚ୍ଚିତ ବାହାଘର : ଅର୍ଚ୍ଚିତାଙ୍କ ହାତ ଧରିଲେ ସବ୍ୟ first appeared on Sambad.



from ରାଜ୍ୟ – Sambad https://ift.tt/3sCoCk4

Post a Comment

0 Comments