ରାଜଧାନୀରୁ କୋଟିଏ ଟଙ୍କାର ସାପ ବିଷ ଜବତ; ୬ ଗିରଫ, ମାଷ୍ଟରମାଇଣ୍ଡ ଫେରାର୍‌

ଭୁବନେଶ୍ବର : ବନ ବିଭାଗର ୪ଟି ଟିମ୍‌ ଆଜି ରାଜଧାନୀରୁ ଏକ ସାପ ବିଷ ଚୋରା ଚାଲାଣ ରୢାକେଟ୍‌ର ପର୍ଦାଫାସ୍‌ କରିଛି। ଏହି ବେଆଇନ କାରବାରରେ ସଂପୃକ୍ତ ଜଣେ ମହିଳାଙ୍କ ସମେତ ମୋଟ ୬ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ମୋଟ ୧.୬ ଲିଟର ସାପ ବିଷ ଜବତ କରାଯାଇଛି। ଜବତ ଏହି ସାପ ବିଷର ମୂଲ୍ୟ ଦେଶରେ କୋଟିଏ ଟଙ୍କା ହୋଇଥିବା ବେଳେ ଆନ୍ତର୍ଜାତିକ ବଜାରରେ ଦଶକୋଟିରୁ ଊର୍ଧ୍ବ ଟଙ୍କା ହେବ ବୋଲି କୁହାଯାଉଛି। ଅଭିଯୁକ୍ତମାନେ ହେଲେ, ବାଲେଶ୍ବର ସଭରମ୍‌ପୁରର କୃଷ୍ଣଙ୍କର ପଢ଼ିଆରୀ(୩୦), ଜଳେଶ୍ବରର ସଂଜୟ ମହାନ୍ତି(୪୩) ଓ ବାଲିଆର ଜୟସ୍ମିତା ନାୟକ(୫୦), ବରଗଡ଼ ସୋହେଲାର ବିଶ୍ବ ପ୍ରଧାନ(୩୦), ବଲାଙ୍ଗୀରର ସୂରଜ କୁମାର ଦାଶ(୨୧) ଏବଂ ଅନୁଗୁଳ ଲିଙ୍ଗରାଜ ଯୋଡ଼ିର ଶ୍ୟାମଳେନ୍ଦୁ ନାୟକ। ତେବେ ଏହି ରୢାକେଟ୍‌‌ର ଅନ୍ୟ ଜଣେ ସଦସ୍ୟ ତଥା ମାଷ୍ଟରମାଇଣ୍ଡ ସତ୍ୟନାରାୟଣ ଦାଶ ଫେରାର୍‌ ହୋଇଯାଇଥିବା ଜଣାଯାଇଛି। ତା’ ଘର ବଲାଙ୍ଗୀରରେ ଓ ସେ ଅଭିଯୁକ୍ତ ସୂରଜର ବାପା ବୋଲି ଜଣାଯାଇଛି। ତେବେ ଏହି ସାପ ବିଷ କିଏ ଓ କାହାକୁ ବିକ୍ରି କରିବା ପାଇଁ ଆଣିଥିଲା, ତାହା ଜଣାପଡ଼ିନାହିଁ। ଏନେଇ ବନ ବିଭାଗ ଅଧିକ ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ, ଶନିବାର ଦିନ ବନ୍ୟପ୍ରାଣୀ ବିଭାଗର ୪ଟି ଟିମ୍‌ ପ୍ରାୟ ୪ ଘଣ୍ଟାର କସରତ କରିବା ପରେ ଏହି ଅଭିଯୁକ୍ତମାନଙ୍କୁ ଆଚାର୍ଯ୍ୟବିହାର, ମାଷ୍ଟରକ୍ୟାଣ୍ଟିନ୍‌, ଫରେଷ୍ଟପାର୍କ ଓ ରାଜମହଲ ଆଦି ଅଞ୍ଚଳରୁ ଗିରଫ କରିଥିଲେ।

ଗତକାଲି ଖବର ମିଳିଥିଲା ଯେ ଶନିବାର କିଛି ଦୁର୍ବୃତ୍ତ ଭୁବନେଶ୍ୱରରେ ସାପ ବିଷ ବିକ୍ରି କରିବାକୁ ଆସୁଛନ୍ତି। ତେଣୁ ଏହି ରୢାକେଟ୍‌କୁ ଧରିବା ପାଇଁ ସିଟି ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ପାତ୍ରପଡ଼ା ରେଞ୍ଜ, ମଞ୍ଚେଶ୍ବର ରେଞ୍ଜ, ଏସ୍‌ସିଏଫ୍ ପ୍ରଶାନ୍ତ ପଣ୍ଡା ଓ ତାଙ୍କ ଟିମ୍ ଏବଂ ଡିଏଫ୍‌ଓଙ୍କ ଟିମ୍‌; ଏହିଭଳି ମୋଟ ୪ଟି ଟିମ୍ ଗଠନ ହୋଇଥିଲା। ଆଜି ସକାଳ ପ୍ରାୟ ୮ଟା ବେଳେ ୪ଟି ଯାକ ଟିମ୍‌ ନିଜର ଅପରେସନ୍ ଆରମ୍ଭ କରି ଦେଇଥିଲେ। ଦିନ ପ୍ରାୟ ୧୦ଟା ବେଳେ ପାତ୍ରପଡ଼ା ରେଞ୍ଜ୍‌ର ଟିମ୍‌ ଡେଲ୍‌ଟା ଛକରେ ଅଭିଯୁକ୍ତ ସାପ ବିଷ ବେପାରୀ ବଲାଙ୍ଗୀରର ସୂରଜକୁ ଧରିବା ପରେ ତା’ର ସୂଚନାକୁ ଆଧାର କରି ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା। ବନ ବିଭାଗର କର୍ମଚାରୀମାନେ କ୍ରେତା ବେଶରେ ଆସି ପ୍ରଥମେ ସେମାନଙ୍କ ସହ ମୂଲଚାଲ କରିଥିଲେ। ସେମାନେ ଯେ ସାପ ବିଷ ବିକ୍ରି ପାଇଁ ଆସିଛନ୍ତି, ତାହା ନିଶ୍ଚିତ ହେବା ପରେ ସେମାନଙ୍କୁ ମାଡ଼ି ବସିଥିଲେ। ଗିରଫ ଅଭିଯୁକ୍ତମା‌ନେ ବନବିଭାଗ ଆଗ‌ରେ ଦେଇଥିବା ବୟାନ ଅନୁଯାୟୀ, ଏହି ସାପ ବିଷ ବିକ୍ରି କରିବା ପାଇଁ ୧୦ଲକ୍ଷ ଟଙ୍କାର ଡିଲ୍‌ ହୋଇଥିଲା। ଏଥିପାଇଁ ବାଲେଶ୍ବରରୁ ଆସିଥିବା ଜୟସ୍ମିତା ଓ ତାଙ୍କ ୩ ସହଯୋଗୀଙ୍କୁ କମିସନ୍‌ ବାବଦକୁ ମୋଟ ୫୦ ହଜାର ଟଙ୍କା ମିଳିଥା’ନ୍ତା।

‌‌ଅପରପକ୍ଷେ ସ୍ନେକ୍‌ ହେଲ୍ପଲାଇନ୍‌ର ସଦସ୍ୟ ଶୁଭେନ୍ଦୁ ମଲ୍ଲିକଙ୍କ କହିଛନ୍ତି ଯେ ରାଜ୍ୟରେ ସାପ ବିଷ ସଂଗ୍ରହ କରିବା କିମ୍ବା କିଣାବିକା କରିବା ସଂପୂର୍ଣ୍ଣ ନିଷେଧ ତଥା ବେଆଇନ। ତେବେ ଏକା ସାଙ୍ଗରେ ଏତେ ମାତ୍ରାରେ ସାପ ବିଷ ଜବତ ହେବା ଘଟଣାରୁ ଜଣାପଡ଼ୁଛି ଯେ ଏହା ପଛରେ ଏକ ବଡ଼ ରୢାକେଟ୍‌ କାମ କରୁଛି। ହଜାରରୁ ଊର୍ଧ୍ବ ସାପଙ୍କଠାରୁ ବିଷ ସଂଗ୍ରହ କଲେ, ତାହା ପାଖାପାଖି ଦେଢ଼ ଲିଟର ହେବ ବୋଲି ସେ କହିଛନ୍ତି। ଦେଶରେ ଏକ ଲିଟର ସାପ ବିଷର ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହୋଇଥିବା ବେଳେ ଆନ୍ତର୍ଜାତିକ ବଜାରରେ ଏହାର ମୂଲ୍ୟ ଦଶକୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି।

The post ରାଜଧାନୀରୁ କୋଟିଏ ଟଙ୍କାର ସାପ ବିଷ ଜବତ; ୬ ଗିରଫ, ମାଷ୍ଟରମାଇଣ୍ଡ ଫେରାର୍‌ first appeared on Sambad.

from ରାଜ୍ୟ | Sambad https://ift.tt/3rnVxba

Post a Comment

0 Comments