‘ଭାରତ ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ

ଭୁବନେଶ୍ବର : ଚାଷୀଙ୍କ ସମସ୍ୟା ନେଇ ତଥା କେନ୍ଦ୍ରର ତିନିଟି ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଶୁକ୍ରବାର ଦିଆଯାଇଥିବା ‘ଭାରତ ବନ୍ଦ’ ଡାକରାର ପ୍ରଭାବ ଓଡ଼ିଶାରେ ପଡ଼ିଛି। କୃଷକ ସଂଗଠନଗୁଡ଼ିକ ସମେତ ବିଭିନ୍ନ ରାଜନୈତିକ ଦଳ ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନ କର୍ମକର୍ତ୍ତା ରାସ୍ତାକୁ ଓହ୍ଲାଇ କୃଷକଙ୍କ ଦାବିକୁ ସମର୍ଥନ ଜଣାଇଥିଲେ। ଫଳରେ ସାଧାରଣ ଜନଜୀବନ ଠପ୍ ହୋଇଯାଇଥିଲା। ପ୍ରଥମାର୍ଦ୍ଧରେ ବସ୍‌, ଟ୍ରେନ୍‌, ଅଟୋ ଚଳାଚଳ ବନ୍ଦ ହୋଇଯାଇଥିବାରୁ ଯାତ୍ରୀ ପରିବହନ ପ୍ରଭାବିତ ହୋଇଥିଲା। ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ରହିଛି। ରାଜ୍ୟର କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ।

ଆଜି ସକାଳୁ ସକାଳୁ ବନ୍ଦ ପାଳନକାରୀମାନେ ରାସ୍ତାକୁ ଓହ୍ଲାଇଥିଲେ। ପ୍ରଥମେ ରାଜ୍ୟର ପ୍ରମୁଖ ଅଞ୍ଚଳରେ ରେଳ ଷ୍ଟେସନ୍‌ରେ ପିକେଟିଂ ଆରମ୍ଭ ହୋଇଯାଇଥିଲା। ଫଳରେ ବହୁ ସ୍ଥାନରେ ଟ୍ରେନ୍‌ଗୁଡ଼ିକ ଅଟକି ରହିଥିଲା। ମଧ୍ୟାହ୍ନ ୧୨ଟା ପରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଥିଲା। ବସ୍‌ ଚଳାଚଳ ବନ୍ଦ ନେଇ ବସ୍‌ ମାଲିକ ସଂଘ କିଛି ଘୋଷଣା କରି ନ ଥିଲା। କିନ୍ତୁ ବନ୍ଦ ପାଇଁ ଯାତ୍ରୀ ଆସି ନ ଥିଲେ କି ବସ୍‌ ବାହାରି ପାରି ନ ଥିଲା। ବିଭିନ୍ନ ସ୍ଥାନରେ ବନ୍ଦ ପାଳନକାରୀମାନେ ବସ୍‌ଷ୍ଟାଣ୍ଡ୍‌ରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ଅଟୋ ଚଳାଚଳ ପ୍ରାୟ ବନ୍ଦ ରହିଥିଲା। ରାଜଧାନୀ ସମେତ ରାଜ୍ୟର ପ୍ରାୟ ସବୁ ପ୍ରମୁଖ ସହରରେ ମାର୍କେଟ୍‌ଗୁଡ଼ିକ ବନ୍ଦ ରହିଥିଲା। ଅପରାହ୍ନ ପ୍ରାୟ ୨ ଟା ପରେ ସବୁ ଅଞ୍ଚଳରେ ସ୍ଥିତି ସ୍ବାଭାବିକ ହୋଇଥିଲା। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ, ଦୁଗ୍ଧ ଗାଡ଼ି, ଔଷଧ ଦୋକାନ, ଆମ୍ବୁଲାନ୍ସ ସେବା ଆଦି ଯଥାରୀତି ଚାଲିଥିଲା। ଆନ୍ଦୋଳନକାରୀମାନେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଆଗରେ ପିକେଟିଂ କରିଥିଲେ।

ପୂର୍ବ ଘୋଷଣା ମୁତାବକ କଂଗ୍ରେସ, ସିପିଆଇ, ସିପିଆଇ(ଏମ୍‌) ସ‌େମତ ବିଭିନ୍ନ ରାଜନୈତିକ ଦଳର ରାଜ୍ୟ ନେତୃବୃନ୍ଦ ବନ୍ଦକୁ ସମର୍ଥନ ଜଣାଇ ପିକେଟିଂ କରିଥିଲେ। କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ବିନା ସର୍ତ୍ତରେ କୃଷି ଆଇନ୍‌କୁ ରଦ୍ଦ କରିବାକୁ ଦାବି କରିଥିଲେ। ରାଜଧାନୀରେ ବିଭିନ୍ନ କୃଷକ ସଂଗଠନ, କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ରାଜନୈତିକ ଦଳଗୁଡ଼ିକର ମିଳିତ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହି ଶୋଭଯାତ୍ରା ଲୋୟର୍‌ ପିଏମ୍‌ଜି ଆଡ଼କୁ ଯାଉଥିଲା ବେଳେ ପୁଲିସ୍‌ ନେତୃବୃନ୍ଦଙ୍କୁ ଗିରଫ କରି ନେଇଥିଲା। ରାସ୍ତାରୋକ ଓ ରେଳରୋକ କରୁଥିବା ଆନ୍ଦୋଳନକାରୀମାନଙ୍କୁ ପୁଲିସ୍‌ ଗିରଫ କରି ନେଇ ପରେ ଛାଡ଼ି ଦେଇଥିଲା।

ଓଡ଼ିଶାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ ହୋଇଛି ଓ ରାଜ୍ୟବାସୀ କୃଷକଙ୍କୁ ସମର୍ଥନ ଦେଇଛନ୍ତି ବୋଲି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତିର ଓଡ଼ିଶା ଶାଖା ତରଫରୁ ସୁରେଶ ପାଣିଗ୍ରାହୀ ଓ ଅଖିଳ ଭାରତ କୃଷକ ସଭାର ରାଜ୍ୟ ସମ୍ପାଦକ କ୍ଷୀରୋଦ ସିଂହଦେଓ ପୃଥକ ପୃଥକ ପ୍ରେସ୍ ବିବୃତି ଜାରି କରି କହିଛନ୍ତି।

The post ‘ଭାରତ ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ first appeared on Sambad.

from ରାଜ୍ୟ | Sambad https://ift.tt/3tW6H8G

Post a Comment

0 Comments