
ନିଶ୍ଚିନ୍ତକୋଇଲି : ମାହାଙ୍ଗା ଡବଲମର୍ଡର୍ ଘଟଣାରେ ପୁଣି ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଟାର୍ଗେଟ କରିଛି ବିଜେପି। ଡବଲମର୍ଡର୍ ଘଟଣାରେ ମନ୍ତ୍ରୀଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ୨୦ରେ ବିଧାନସଭା ଘେରାଉ କରିବ ବୋଲି ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି।
ନିଶ୍ଚିନ୍ତକୋଇଲି କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ‘ବିଧାନସଭା ଚାଲ’ ଅଭିଯାନ ସମ୍ପର୍କରେ ସୂଚନା ଦେଇଥିଲେ ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ। ଶ୍ରୀ ପ୍ରଧାନଙ୍କ ସୂଚନା ଅନୁସାରେ, ମାହାଙ୍ଗା ଡବଲମର୍ଡର୍ ଘଟଣାରେ ଆଇନମନ୍ତ୍ରୀଙ୍କ ନାମ ୧୩ ନମ୍ବର ମୁଦାଲାରେ ରଖିଥିବା ସତ୍ତ୍ବେ ପୁଲିସ ତାଙ୍କୁ ସୁରକ୍ଷା ପ୍ରଦାନ କରୁଛି। ଘଟଣାର ନିରପେକ୍ଷ ତଦନ୍ତ ଓ ମନ୍ତ୍ରୀଙ୍କ ସମେତ ସମସ୍ତ ଅଭିଯୁକ୍ତ ଗିରଫ ପ୍ରତିବାଦରେ ବିଜେପି ପକ୍ଷରୁ ବିଧାନସଭା ଘେରାଉ କରାଯିବ। ୧୭ତାରିଖରେ କୁଳିଆ ରଘୁନାଥ ଜୀୟୁ ମନ୍ଦିରରୁ ଏକ ପଦଯାତ୍ରା ଆରମ୍ଭ ହୋଇ ୨୦ ତାରିଖ ଶନିବାର ଦିନ ବିଧାନସଭା ନିକଟରେ ପହଞ୍ଚିବ ଏବଂ ସେଠାରେ ପଦଯାତ୍ରୀ ଦଳ ବିଧାନସଭା ଘେରାଉ କରିବେ ବୋଲି ଶ୍ରୀ ପ୍ରଧାନ କହିଥିଲେ।
ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଶ୍ରୀ ପ୍ରଧାନଙ୍କ ସମେତ ଆଇନଜୀବୀ ଅମରେନ୍ଦ୍ର ଦାସ, ନାରୀନେତ୍ରୀ ଯାଜ୍ଞସେନୀ ଜେନା, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କମଳା ବସ୍ତିଆ, ରଂଜନ ରାଉତ, କୈଳାସ ଚନ୍ଦ୍ର ବେହେରା, ଅଶୋକ ସାହୁ, ଭକ୍ତଚରଣ ସ୍ବାଇଁ, ନିର୍ମଳ ରାଉତ, ଋଷିକୁମାର ରାଉତ, ଅରୁଣ କୁମାର ସେଠୀ, ତ୍ରିଲୋଚନ ନାୟକ, ଭରତ ଦାସ, ରଞ୍ଜିତ ସାହୁ, ସନ୍ତୋଷ କାପ, ରକେଶ ସେଠୀ, ସନ୍ତୋଷ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
The post ମାହାଙ୍ଗା ଡବଲମର୍ଡର ଘଟଣା : ମନ୍ତ୍ରୀଙ୍କୁ ପୁଣି ବିଜେପିର ଟାର୍ଗେଟ୍, ୧୭ରୁ ପଦଯାତ୍ରା, ୨୦ରେ ବିଧାନସଭା ଘେରାଉ first appeared on Sambad.
from ରାଜ୍ୟ – Sambad https://ift.tt/30OUo1f
0 Comments