ରାଜଧାନୀରେ ମାହାଙ୍ଗା ତାତି : ‘ବିରୋଧୀଙ୍କୁ ନାଲି ଆଖି ଦେଖାଅନି’

ଭୁବନେଶ୍ୱର : ମାହାଙ୍ଗା ଡବଲ୍‌ ମର୍ଡର୍‌ ଘଟଣାରେ ବିଜେପି ତା’ର ଆଭିମୁଖ୍ୟକୁ ଆହୁରି କଡ଼ା କରିଛି। ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କ ତାଲିକାରେ ଥିବା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛି। ଶନିବାର ଏହି ପ୍ରସଙ୍ଗରେ ଦଳ ପକ୍ଷରୁ ‌ଏକ ବିଶାଳ ଶୋଭାଯାତ୍ରା ରାମମନ୍ଦିର ଛକରୁ ବାହାରି ଲୋୟର୍‌ ପିଏମ୍‌ଜି ଯାଏ ଯାଇଥିଲା। ସେଠାରେ ଦଳ ପକ୍ଷରୁ ଆୟୋଜିତ ସଭାରେ ରାଜ୍ୟ ସଭାପତିଙ୍କ ସମେତ ବରିଷ୍ଠ ନେତାମାନେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ବିରୋଧୀଙ୍କୁ ନାଲି ଆଖି ଦେଖାଇବା ବନ୍ଦ କରିବାକୁ ସରକାରଙ୍କୁ ଆହ୍ବାନ ଦେଇଥିଲେ। ମହାତ୍ମା ଗାନ୍ଧୀ ମାର୍ଗରେ ଆନ୍ଦୋଳନକାରୀ ଓ ପୁଲିସ୍‌ କିଛି ସମୟ ପାଇଁ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ପୁଲିସ୍‌ ଆନ୍ଦୋଳନକାରୀଙ୍କୁ ଗିରଫ କରି ନେଇଥିଲା।

ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ବିଜେପି ନେତା ଶାରଦା ପ୍ରଧାନ ସ୍ୱର ଉଠାଇଥିଲେ। ଏହି ଘଟଣାରେ ଶାସକ ଦଳ ନେତାଙ୍କ ପୋତ୍ସାହନରେ ବିଜେଡି କର୍ମୀମାନେ ରାଜନୈତିକ ପ୍ରତିହିଂସା ପରାୟଣ ହୋଇ ଜାନୁଆରି ୨ ତାରିଖ ଦିନ ଶ୍ରୀ ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟ ସିଂହ ବରାଳଙ୍କୁ ହତ୍ୟା କରିଥିଲେ। ପୂର୍ବରୁ ବିଜେପି ନେତା ବିକାଶ ଜେନାକୁ ମଧ୍ୟ ହତ୍ୟା କରାଯାଇଥିଲା। ଅପର ପକ୍ଷେ ଏହି ସବୁ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ପ୍ରଫୁଲ ବିଶ୍ୱାଳଙ୍କୁ ହତ୍ୟା କରି ଦୁର୍ଘଟଣାର ରୂପ ଦେବା ପଛରେ ଶାସକ ଦଳ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ରହିଛି ବୋଲି ମୃତକଙ୍କ ପରିବାର ଲୋକ ଅଭିଯୋଗ କରିବା ପରେ ବି ପୁଲିସ ଚୁପ୍ ବସିଛି। ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଏତଲାରେ ଥିବା ସତ୍ତ୍ବେ ଶାସକ ଦଳ ଚାପରେ ପୁଲିସ ତାଙ୍କୁ ତଦନ୍ତ ପରିସରଭୁକ୍ତ କରୁନାହିଁ। ଶାସକ ଦଳ ଇଙ୍ଗିତରେ ପୁଲିସ ବରିଷ୍ଠ ବିଜେପି ନେତା ଶାରଦା ପ୍ରଧାନଙ୍କୁ ମିଥ୍ୟା ମକଦ୍ଦମାରେ ଫସାଇବା ପାଇଁ ଚକ୍ରାନ୍ତ କରିଛି। ଏହାର ପ୍ରତିବାଦରେ ଗତ ୧୭ ତାରିଖ ଠାରୁ ବିଜେପିର କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ନେତୃତ୍ୱରେ ଏକ ପଦଯାତ୍ରା ମାହାଙ୍ଗାରୁ ବାହାରି ଆଜି ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ବି‌େଜପି ରାଜ୍ୟ ସଭାପତି ସମୀର ମହାନ୍ତି କହିଥିଲେ ଯେ ରାଜ୍ୟରେ ସାଧାରଣ ଲୋକ ନ୍ୟାୟ ପାଉ ନାହାନ୍ତି। ଏଥିପାଇଁ ବିଧାନସଭା ଆଗରେ ଆତ୍ମାହୁତି ଦେବାକୁ ସେମାନେ ଏକ ଉପଯୁକ୍ତ ସ୍ଥାନ ଭାବେ ଗ୍ରହଣ କରିଛନ୍ତି। ସାଧାରଣ ଜନତା ରାଜ୍ୟ ସରକାର ଓ ପୁଲିସ ପ୍ରଶାସନ ଆସ୍ଥା ହରାଇଛନ୍ତି ବୋଲି ପ୍ରମାଣିତ ହୋଇଛି। ରାଜ୍ୟ ସରକାର ନାଲି ଆଖି ଦେଖାଇ ବିରୋଧୀଙ୍କୁ ଡରାଇବା ବନ୍ଦ କରନ୍ତୁ। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଥିଲେ ଯେ ମାହାଙ୍ଗା ଡବଲ ମର୍ଡର ଘଟଣା ଓ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ପ୍ରସଙ୍ଗରେ ବିଧାନସଭାରେ ଅନେକ ଥର ଆଲୋଚନା ହୋଇଛି । ପବିତ୍ର ବିଧାନସଭା ଗୃହକୁ ହତ୍ୟା ଅଭିଯୁକ୍ତ ମନ୍ତ୍ରୀ ପ୍ରତାପ ଜେନା ଅପବିତ୍ର କରିଛନ୍ତି । ଆଗାମୀ ଦିନରେ ପ୍ରତାପ ଜେନାଙ୍କ ବିରୁଦ୍ଧରେ ଏହି ଲଢେଇ ବିଧାନସଭା ଭିତରେ ଏବଂ ବାହାରେ ଜାରି ରହିବ।

ଏହି କାର୍ଯ୍ୟକ୍ରମରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ମୁକେଶ ମହାଲିଙ୍ଗ, ଆଦିତ୍ୟ ମାଢୀ, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଓ ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ ଅମର ନାୟକ, ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ସୋନାଲୀ ସାହୁ, ବରିଷ୍ଠ ନେତା ପଦ୍ମଲୋଚନ ପଣ୍ଡା, କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂହ ଓ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ହଜାର ହଜାର ସଂଖ୍ୟାରେ ଯୁବ ମହିଳା କାର୍ଯ୍ୟକର୍ତା ସାମିଲ ଥିଲେ।

The post ରାଜଧାନୀରେ ମାହାଙ୍ଗା ତାତି : ‘ବିରୋଧୀଙ୍କୁ ନାଲି ଆଖି ଦେଖାଅନି’ first appeared on Sambad.

from ରାଜ୍ୟ | Sambad https://ift.tt/2OSNrKn

Post a Comment

0 Comments