ପଥର କାରିଗରଙ୍କ ଅନ୍ତୁଡ଼ିଶାଳ ଧକୋଠା

ରାମଚନ୍ଦ୍ରପୁର : କେନ୍ଦୁଝର ଜିଲ୍ଲାର ପଥର ଖୋଦେଇ ଶିଳ୍ପୀ ଗ୍ରାମଭାବେ ପରିଚିତ ଆନନ୍ଦପୁର ବ୍ଲକ୍‌ର ଧକୋଠା ଗ୍ରାମ। ହେଲେ କିଛିବର୍ଷ ତଳେ ଏହି ଶିଳ୍ପ ବିଲୁପ୍ତ ହେବାକୁ ବସିଥିଲା। ସରକାରୀ ପ୍ରୋତ୍ସାହନ ଅଭାବରୁ କାରିଗରମାନେ ବୃତ୍ତି ଛାଡ଼ୁଥିଲେ। ଏହି ପଥର ଖୋଦେଇ ଶିଳ୍ପକୁ ଆଧୁନିକ ଶୈଳୀରେ ପୁନର୍ଜୀବିତ କରିବାକୁ ଆରମ୍ଭ ହୋଇଛି ଅଭିନବ ପ୍ରୟାସ। କୋରୋନାପରେ ୩୦ଜଣ କାରିଗରଙ୍କୁ ପଥର ଖୋଦେଇ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଫଳରେ ସେମାନଙ୍କ ଦକ୍ଷତା ବୃଦ୍ଧି ହେବାସହ ସେମାନେ ଅଧିକ ରୋଜଗାରକ୍ଷମ ହୋଇପାରିବେ।


ଧକୋଠା ଗାଁରେ ପଥରରେ ତିଆରି ହେଉଛି କପ୍, ପେନଷ୍ଟାଣ୍ଡ୍, ଫୁଲଦାନୀ, ମୋବାଇଲ ଷ୍ଟାଣ୍ଡ, ପେପରୱେଟ୍ ପରି ଅନେକ ଛୋଟଛୋଟ ସାମଗ୍ରୀ। ଏସବୁ ଜିନିଷକୁ ପଥରରେ ତିଆରି କରିବା ପରେ ସେଥିରେ ଖୋଦେଇ କରାଯାଉଛି। ଫଳରେ ଏସବୁ ସାମଗ୍ରୀର ମାନ ବୃଦ୍ଧି ପାଇବାସହ ଏହା ଗ୍ରାହକଙ୍କଦ୍ବାରା ଆଦୃତ ହୋଇପାରୁଛି। ନିକଟସ୍ଥ ଜଙ୍ଗଲରୁ ଏହି କାରିଗରମାନେ ଖଡ଼ିପଥର ସଂଗ୍ରହ କରୁଛନ୍ତି। ସେଥିରେ ଏସବୁ ସାମଗ୍ରୀ ତିଆରି କରୁଛନ୍ତି। ପୂର୍ବରୁ ସେମାନେ ପାରମ୍ପରିକ ପଦ୍ଧତିରେ ବିଭିନ୍ନ ସାମଗ୍ରୀ ତିଆରି କରୁଥିଲେ। ଏବେ ମେସିନରେ ନୂଆ ନୂଆ ଡିଜାଇନର ସାମଗ୍ରୀ ତିଆରି କରୁଛନ୍ତି।

କାରିଗରଙ୍କୁ ପ୍ରଶିକ୍ଷଣ ଦେଉଥିବା‌ ଅଳତିର ଶରତ ଚନ୍ଦ୍ର ମହାରଣା କହିିଛନ୍ତି, ଧକୋଠା ପଥର ଖୋଦେଇ ଶିଳ୍ପର ଅନ୍ତୁଡ଼ିଶାଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ହେଲେ କିଛିବର୍ଷ ହେବ ଉପଯୁକ୍ତ ପ୍ରଶିକ୍ଷଣ, କଞ୍ଚାମାଲ ଓ ସରକାରୀ ପ୍ରୋତ୍ସାହନ ଅଭାବରୁ କାରିଗରମାନେ ବୃତ୍ତି ଛାଡ଼ୁଥିଲେ। କୋରୋନା କଟକଣା ଯୋଗୁଁ କାରିଗରଙ୍କ ହାତବାନ୍ଧି ହୋଇଯାଇଥିଲା। ଏବେ ସେମାନେ ପାରମ୍ପରିକ ପଦ୍ଧତି ପରିବର୍ତ୍ତେ ଆଧୁନିକ ଶୈଳୀରେ ପଥର ଖୋଦେଇ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାଦ୍ବାରା କାରିଗରମାନେ ଅଧିକ ଉପକୃତ ହେବା ସହ ରୋଜଗାରକ୍ଷମ ହୋଇପାରିବେ ବୋଲି ଶ୍ରୀ ମହାରଣା କହିଛନ୍ତି।

The post ପଥର କାରିଗରଙ୍କ ଅନ୍ତୁଡ଼ିଶାଳ ଧକୋଠା first appeared on Sambad.

from ରାଜ୍ୟ | Sambad https://ift.tt/3u6q1A4

Post a Comment

0 Comments