ବିକାଶରେ ବାଧକ ରାଜ୍ୟ ସରକାର: ବିଜେପି

ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ୩ଟି ପ୍ରସ୍ତାବ ଗୃହୀତ
ପଞ୍ଚାୟତ ଓ ପୌର ନିର୍ବାଚନ ଉପରେ ଆଲୋଚନା
ରାଜନୈତିକ ଲଢ଼େଇ ଚୂଡ଼ାନ୍ତ ସ୍ଥିତି ଯାଏ ନେବ ବିଜେପି

ଭୁବନେଶ୍ବର : ପ୍ରତ୍ୟେକ ଗଣତାନ୍ତ୍ରିକ ସରକାରର ମୁଖ୍ୟ ଲକ୍ଷ୍ୟ ହେଉଛି ଜନକଲ୍ୟାଣ। ସେହି ଅନୁଯାୟୀ ଯୋଜନା ପ୍ରସ୍ତୁତ କରିବା ଓ ତା’ର କାର୍ଯ୍ୟାନ୍ବୟନ ପ୍ରକ୍ରିୟା ସରକାରଙ୍କ ପାଇଁ ପ୍ରାଥମିକତା ରହିବା କଥା। ଓଡ଼ିଶା ସରକାର ଏଥିରେ ବ୍ୟତିକ୍ରମ ସାଜିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସମୟରେ ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଅର୍ଥ ବରାଦ ହେଉଛି। କିନ୍ତୁ ଅର୍ଥନୈତିକ ସ୍ବାତନ୍ତ୍ରୢ ଓ ସ୍ପେସାଲ୍‌ କାଟାଗୋରି ରାଜ୍ୟ ନାଁରେ ଫମ୍ପା ରାଜନୈତିକ ସ୍ଲୋଗାନ୍ ଦେଇ ଚାଲିଥିବା ରାଜ୍ୟ ସରକାର ଯୋଜନା କ୍ରିୟାନ୍ବୟନରେ ଚରମ ବିଫଳତା ପ୍ରଦର୍ଶନ କରୁଛନ୍ତି। ଓଡ଼ିଶାର ବିକାଶରେ ଖୋଦ୍ ରାଜ୍ୟ ସରକାର ହିଁ ବାଧକ ସାଜିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ଆଜି ହୋଟେଲ୍‌ ପଲ୍‌ ହାଇଟ୍‌ ମନ୍ତ୍ରାରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ବରେ ହୋଇଥିବା ଏହି ବୈଠକରେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସହ ପ୍ରଭାରୀ ବିଜୟ ପାଲ୍ ସିଂହ ତୋମାର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେତୃବୃନ୍ଦ ଟାର୍ଗେଟ୍‌ କରିଥିଲେ। ସରକାରଙ୍କ ଅପାରଗତା ଓ ଭ୍ରଷ୍ଟାଚାରକୁ ରାଜନୈତିକ ଲଢ଼େଇର ବିଷୟବସ୍ତୁ କରିବା ସହ ଏହାକୁ ଏକ ଚୂଡ଼ାନ୍ତ ସ୍ଥିତି ଯାଏ ନେବାକୁ ସ୍ଥିର ହୋଇଥିଲା। କାର୍ଯ୍ୟକାରିଣୀ ବୈଠକରେ ଓଡ଼ିଶା ବିକାଶରେ ବାଧକ ରାଜ୍ୟ ସରକାର, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ସୀମା ବିବାଦକୁ ନେଇ ୩ଟି ଚିଠା ପ୍ରସ୍ତାବ ମଧ୍ୟ ଗୃହୀତ କରାଗଲା । ଦଳର ସଂଗଠନକୁ ମଜବୁତ କରିବା ସହ ଆଗକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରାଯାଇଥିଲା।

ବୈଠକରେ ଗୃହୀତ ପ୍ରସ୍ତାବରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ। ରାଜ୍ୟ ସରକାର ତ୍ରୁଟିପୂର୍ଣ୍ଣ ଯୋଜନାକୁ ହଡ଼ପ କରିବା ପାଇଁ ବିଜୁ ପକ୍କା ଘର ନାଁରେ ଆବେଦନ ପତ୍ର ମାଗିଥିଲେ। ଓଡ଼ିଶାର ଶେଷ ଯୋଗ୍ୟ ହିତାଧିକାରୀର ମୁଣ୍ଡ ଉପରେ ପକ୍କା ଘର ହେବା ପର୍ଯ୍ୟନ୍ତ ବିଜେପି ତା’ର ଆନ୍ଦୋଳନକୁ ଜାରି ରଖିବ। ସେହିପରି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସୁଫଳ କରୋନା ସମୟରେ ଓଡ଼ିଆ ଲୋକ ଠିକ୍ ଭାବେ ପାଇ ନାହାନ୍ତି। ଓଡ଼ିଶାରେ ଧାନ କିଣିବା ପାଇଁ ସମସ୍ତ ଅର୍ଥ କେନ୍ଦ୍ର ସରକାର ଦେଇଥିଲେ ମଧ୍ୟ ସରକାର ମଣ୍ଡିଗୁଡ଼ିକୁ ବ୍ୟାପକ ଅବ୍ୟବସ୍ଥା ଭିତରେ ରଖିଛନ୍ତି। ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ୍ ଲାଗୁ ହେବା ପର ଠାରୁ ଏହା ବିବାଦୀୟ ହୋଇ ରହିଛି। କାମ୍ପା ଫଣ୍ଡ୍‌ର ଦୁରୁପଯୋଗ କରାଯାଉଛି। କୋଭିଡ୍‌ ସଂକ୍ରମଣ ସମୟରେ ବ୍ୟାପକ ଦୁର୍ନୀତି ‌େହାଇଛି।

କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ବିଗିଡ଼ିଥିବା ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା। ଦଳ ପକ୍ଷରୁ ଅଭିଯୋଗ ହୋଇଛି ଯେ ଥାନାଗୁଡ଼ିକରେ ଆଉ ସାଧାରଣ, ଗରିବ ଲୋକଙ୍କୁ ନ୍ୟାୟ ମିଳୁନି। ଥାନାଗୁଡ଼ିକୁ ବିଜେଡି ନେତାମାନେ କବ୍‌ଜା କରି ରଖିଛନ୍ତି। ରାଜନୈତିକ ପୃଷ୍ଠପୋଷକତାରେ ହତ୍ୟା ହେଉଥିଲେ ବି ପୁଲିସ୍‌ ନୀରବଦ୍ରଷ୍ଟା ସାଜିଛି। ସ୍ଥାନୀୟ ପୁଲିସ ଓ ଜିଲ୍ଲା ପୁଲିସ ପ୍ରଶାସନ ନ୍ୟାୟ ଦେବାରେ ବିଫଳ ହେଉଥିବାରୁ ପୀଡ଼ିତ ପରିବାର ବିଧାନସଭା ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କରିବା ପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି। ପରୀ ହତ୍ୟାକାଣ୍ଡ, ମାହାଙ୍ଗାରେ କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କ ହତ୍ୟା ଘଟଣାକୁ ବୈଠକରେ ତୀବ୍ର ନିନ୍ଦା କରାଯିବା ସହ ପୁଲିସ୍‌ର ଭୂମିକାକୁ ସମାଲୋଚନା କରାଯାଇଥିଲା।

ଓଡ଼ିଶାର ସୀମାକୁ ସୁରକ୍ଷିତ ରଖିବା ପାଇଁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା। ଦଳ ପକ୍ଷରୁ କୁହାଯାଇଛି ଯେ ସୀମାନ୍ତ ଇଲାକା ଓଡ଼ିଶା ସରକାର ଓ ସ୍ଥାନୀୟ ପ୍ରଶାସନ ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରୁ ନାହିଁ। କୋଟିଆରେ ବିଭିନ୍ନ ଜନମଙ୍ଗଳକାରୀ କାର୍ଯ୍ୟର ଶିଥିଳତା ଯୋଗୁ ଲୋକ ଆନ୍ଧ୍ର ସରକାରଙ୍କ ଷଡ଼ଯନ୍ତ୍ରପୂର୍ଣ୍ଣ କାର୍ଯ୍ୟକ୍ରମର ଲାଭ ନେଇ ଆନ୍ଧ୍ରମୁହାଁ ହେବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟ ସରକାର ସବୁ ରାଜ‌େନୖତିକ ଦଳ ତଥା ଓଡ଼ିଆ ଭାଷା ଓ ସାମାଜିକ ସଂଗଠନକୁ ସାମିଲ କରି ସୀମାନ୍ତ ଅଞ୍ଚଳର ଭାବଗତ ସମ୍ପର୍କ ଦୃଢ଼ କରିବାକୁ ପଦ‌େକ୍ଷପ ନେବାକୁ ଆହ୍ବାନ ଦିଆଯାଇଥିଲା।

ରାଜ୍ୟର ସମସ୍ତ ୩୭ ହଜାରରୁ ଅଧିକ ବୁଥ୍‌କୁ ଯାଇ ମୋଦୀ ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ସଭାପତି ଶ୍ରୀ ମହାନ୍ତି ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭରଶୀଳ ଭାରତ ଗଠନର ସ୍ବପ୍ନକୁ ପୂରଣ କରିବା ପାଇଁ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ନିଷ୍ଠାର ସହ କାମ କରିବାକୁ ପ୍ରଭାରୀ ଶ୍ରୀମତୀ ପୁରନ୍ଦେଶ୍ବରୀ ଆହ୍ବାନ ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଦଳ କାର୍ଯ୍ୟକର୍ତାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗ କାରଣରୁ ସାମ୍ପ୍ରତିକ ରାଜ୍ୟ ରାଜନୀତିରେ ବିଜେପି ଅଭୂତପୂର୍ବ ସଫଳତା ପ୍ରଦର୍ଶନ କରୁଛି। ଓଡ଼ିଶାରେ ବିଜେପି ନିମନ୍ତେ ରାଜ୍ୟରେ ଚାଲୁଥିବା ସରକାରଙ୍କ ଦୋଷ ଦୁର୍ବଳତା ପାଇଁ କେବଳ ନକରାତ୍ମକ ଭୋଟ୍‌ ନୁହେଁ ବରଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁରେ ସକରାତ୍ମକ ଭୋଟର ଏକ ବିରାଟ ବଡ଼ ଯୋଗଦାନ ରହିବ। ଆଗାମୀ ଦିନରେ ମୋଦୀ ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ଘରେ ଘରେ ପହଞ୍ଚାଇବାକୁ ସେ ପରାମର୍ଶ ଦେଇଥିଲେ। ସ୍ବାସ୍ଥ୍ୟ ମିସନ୍, ଏଫ୍‌ପିଓ ଓ ଜନଧନ ଯୋଜନାରେ ମୋଦୀ ସରକାରଙ୍କ ଓଡ଼ିଶା ପାଇଁ ଯୋଗଦାନ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଥିଲେ।

ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର ଓ କାଳନ୍ଦୀ ସାମଲ ପୃଥକ ପୃଥକ ଭାବେ ତିନିଟି ପ୍ରସ୍ତାବ ଆଗତ କରିଥିଲେ। ଅମର ନାୟକ, ସୀମାଞ୍ଚଳ ଖଟେଇ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହାକୁ ସମର୍ଥନ କରିଥିଲେ। ବରିଷ୍ଠ ନେତା କେ ଭି ସିଂହଦେଓ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏହାକୁ ସଂକଳନ କରିଥିଲେ। ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ରବି ନାଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ସାଂସଦ ସୁରେଶ ପୂଜାରୀ ଏହାକୁ ସଂକଳନ କରିଥିଲା ବେଳେ ସାଂସଦ ବିଶ୍ବେଶ୍ବର ଟୁଡ଼ୁ ଏହା ଉପରେ ଆଲୋଚନା କରିଥିଲେ। ଉପସଭାପତି ଭୃଗୁ ବକ୍ସିପାତ୍ର ପୌର ନିର୍ବାଚନ ସମ୍ପର୍କରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହା ଉପରେ ଆଲୋଚନା କରିଥିଲେ। ଉପସଭାନେତ୍ରୀ ସୁକେଶୀ ଓରାମ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଶେଷରେ ସମ୍ପାଦିକା ସିପ୍ରା ବାଜପେୟୀ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ଥିଲେ।

The post ବିକାଶରେ ବାଧକ ରାଜ୍ୟ ସରକାର: ବିଜେପି first appeared on Sambad.



from ରାଜ୍ୟ – Sambad https://ift.tt/3c5UtmC

Post a Comment

0 Comments