ଗୋଟିଏ ନମ୍ବରରେ ୩ ଜରୁରୀ ସେବା : ପୁଲିସ, ଦମକଳ, ଆମ୍ବୁଲାନ୍ସ ସେବା ପାଇଁ ଡାଏଲ କରିବାକୁ ହେବ ୧୧୨

ଭୁବନେଶ୍ବର : ଏଣିକି ପୁଲିସ, ଦମକଳ, ଆମ୍ବୁଲାନ୍ସ ସେବା ପାଇଁ ସରକାର ସାରା ରାଜ୍ୟ ଲାଗି ଗୋଟିଏ ନମ୍ବର ଜାରି କରିଛନ୍ତି। ୧୧୨କୁ ଡାଏଲ୍ କଲେ ଏହି ତିନିଟି ସଂସ୍ଥାର ଜରୁରୀ ସେବା ଉପଲବ୍ଧ ହେବ। ଭିଡ଼ିଓ କନଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ କରିଛନ୍ତି।

ତେବେ ଆମ୍ବୁଲାନ୍ସ ପାଇଁ ୧୦୮, ଦମକଳ ପାଇଁ ୧୦୧ ଓ ପୁଲିସ ପାଇଁ ୧୦୦ ନମ୍ବର ପୂର୍ବ ଭଳି କାମ କରିବ। ପର୍ଯ୍ୟାୟ କ୍ରମେ ଏହି ନମ୍ବର ସବୁ ବନ୍ଦ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋବାଇଲ୍ ଡାଟା ଟର୍ମିନାଲ ଲାଗିଥିବା ଜରୁରୀକାଳୀନ ସହାୟତା ଯାନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ପ୍ରକ୍ରିୟା ପାଇଁ ୨୫୦୦ ପଦବି ସୃଷ୍ଟି କରାଯାଇଛି ଓ ୧୫୭ କୋଟି ୧୨ଲକ୍ଷ ଟଙ୍କା ବିନିଯୋଗ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ, ଏହା ୨୪ ଘଣ୍ଟିଆ ସେବା ଯୋଗାଇଦେବ। ୧୧୨ ଇଣ୍ଡିଆ ମୋବାଇଲ୍ ଆପ୍ ଡାଉନଲୋଡ୍ କରିବା ପାଇଁ ସେ ନିବେଦନ କରିଥିଲେ। କାର୍ଯ୍ୟକ୍ରମରେ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିଜର ବକ୍ତବ୍ୟ ରଖିଥିଲେ। ଡିଜି ଅଭୟ ସ୍ବାଗତ ଭାଷଣ ଦେଇଥିଲେ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ ଜେନା, ଗୃହ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ ସଂଜୀବ ଚୋପ୍ରା ପ୍ରମୁଖ ଯୋଗଦେଇଥିଲେ।

The post ଗୋଟିଏ ନମ୍ବରରେ ୩ ଜରୁରୀ ସେବା : ପୁଲିସ, ଦମକଳ, ଆମ୍ବୁଲାନ୍ସ ସେବା ପାଇଁ ଡାଏଲ କରିବାକୁ ହେବ ୧୧୨ first appeared on Sambad.

from ରାଜ୍ୟ | Sambad https://ift.tt/2NxNbjd

Post a Comment

0 Comments