ପାସେଞ୍ଜର ଟ୍ରେନ୍‌କୁ ନେଇ ଦ୍ୱନ୍ଦ୍ୱ : ବଢ଼ୁଛି ଯାତ୍ରୀ ଯାତନା

ରାଜ୍ୟ ସରକାରଙ୍କ ଏକାଧିକ ଚିଠି; ନିଷ୍ପତ୍ତି ନେଉନି କେନ୍ଦ୍ର
‘ରେଳ ବୋର୍ଡର ନିଷ୍ପତ୍ତି ପରେ ଯାତ୍ରୀ ସେବା ସ୍ବାଭାବିକ ହେବ’

ଭୁବନେଶ୍ବର : ଓଡ଼ିଶାରେ କୋଭିଡ୍‌ ସଂକ୍ରମଣ କେବେଠୁ କମିଲାଣି। ଜୀବନଯାତ୍ରା ସ୍ବାଭାବିକସ୍ତରକୁ ଫେରିଲାଣି। ସ୍କୁଲ, କଲେଜ, ମଲ୍‌, ସିନେମା ହଲ୍‌ ଖୋଲିଲାଣି। ଉତ୍ସବ, ମହୋତ୍ସବ, ଶୋଭାଯାତ୍ରା, ଯାତ୍ରା ପରିବେଷଣ ଲାଗି ବି ରାଜ୍ୟ ସରକାର ଅନୁମତି ଦେଇସାରିଲେଣି। ସବୁ ଦୂରଗାମୀ ବସ୍‌ରେ ନାହିଁ ନ ଥିବା ଭିଡ଼ ହେଉଛି। ତା’ପରେ ବି ସ୍ବାଭାବିକ ହେଉନି ଟ୍ରେନ୍‌ ସେବା। ହାତଗଣତି କେତୋଟି ସ୍ବତନ୍ତ୍ର ଟ୍ରେନ୍‌କୁ ଛାଡ଼ିଦେଲେ ଓଡ଼ିଶା ଭିତରେ ପାସେଞ୍ଜର ଓ ମେମୁ ଟ୍ରେନ୍‌ ଗଡ଼ୁ ନ ଥିବାରୁ ଯାତ୍ରୀମାନେ ଭୀଷଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିତିଦିନିଆ ଟ୍ରେନ୍‌ରେ ଯିବା ଆସିବା କରୁଥିବା ଛାତ୍ରଛାତ୍ରୀଠୁ ନେଇ ଚାକିରିଆ ଓ ଦିନମଜୁରିଆ ପର୍ଯ୍ୟନ୍ତ ସମସ୍ତଙ୍କୁ ନାକେଦମ ହେବାକୁ ପଡ଼ୁଛି। ବସ୍‌, ଅଟୋ ଉପରେ ନିର୍ଭର କରି ପ୍ରତିଦିନ ଖର୍ଚ୍ଚାନ୍ତ ହେବା ସହ ବହୁ ସମୟ ଅପଚୟ ହେଉଛି। ଅନ୍ୟ ରାଜ୍ୟ ବିଶେଷ କରି ପଡ଼ୋଶୀ ରାଜ୍ୟମାନଙ୍କରେ ପାସେଞ୍ଜର ଟ୍ରେନ ସେବା ପୁଣି ଆରମ୍ଭ ହୋଇଯାଇଥିଲେ ମଧ୍ୟ ଓଡ଼ିଶା ପ୍ରତି ଏତେ ଅବହେଳା କାହିଁକି ବୋଲି ପ୍ରଶ୍ନ ଉଠିଲାଣି। ରେଳ ମନ୍ତ୍ରଣାଳୟ କେଉଁ କାରଣରୁ ନିରବ ରହିଛି, ତାହା ସ୍ପଷ୍ଟ ହୋଇନାହିଁ। ଏପରିକି ରାଜ୍ୟ ସରକାର ଏକାଧିକ ଚିଠି ଲେଖିଥିଲେ ମଧ୍ୟ କେନ୍ଦ୍ର ସରକାର ଏନେଇ ନଆଗେଇବା ଦ୍ବନ୍ଦ୍ବାତ୍ମକ ପରିସ୍ଥିତି ସୃଷ୍ଟି କରିଛି।

ଅନ୍ୟପକ୍ଷରେ କୋଭିଡ୍‌ର ପୁନଃସଂକ୍ରମଣ ଆଶଙ୍କା ଯୋଗୁଁ ରାଜ୍ୟ ସରକାର ମଧ୍ୟ ଦ୍ବନ୍ଦ୍ବରେ ଥିବା ଜଣାପଡ଼ୁଛି।

କୋଭିଡ୍‌-ସଂକ୍ରମଣ ପୂର୍ବରୁ ଓଡ଼ିଶା ଭିତରେ ୧୧୦ଟି ମେଲ/ଏକସପ୍ରେସ ଚଳାଚଳ କରୁଥିବା ବେଳେ ୩୨ଟି ଇଣ୍ଟରସିଟି, ମେମୁ ଓ ପାସେଞ୍ଜର ଟ୍ରେନ୍‌ ଚଳାଚଳ କରୁଥିଲା। କରୋନା ସଂକ୍ରମଣ ଯୋଗୁଁ ଗତବର୍ଷ ମାର୍ଚ୍ଚ ୨୨ ତାରିଖରୁ ଏଥି ମଧ୍ୟରୁ ୫୦ ଭାଗରୁ ଅଧିକ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ତେବେ ବର୍ତମାନ ୧୧୦ଟି ମେଲ/ଏକ୍ସପ୍ରେସ ମଧ୍ୟରୁ ମାତ୍ର ୪୯ଟି ଚାଲୁଥିବା ବେଳେ ୧୦ଟି ପାସେଞ୍ଜର ଟ୍ରେନ ଚାଲୁୁଛି।

ଏ ସଂପର୍କରେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ କହିବ‌ା କଥା ହେଲା, କେବଳ ଭୁବନେଶ୍ବରରୁ ପ୍ରତିଦିନ ୯ ଯୋଡ଼ା ଅର୍ଥା‌ତ ୧୮ଟି ପାସେଞ୍ଜର ଟ୍ରେନ୍‌ ଚଳାଚଳ କରୁଥିଲା। ଯେଉଁଥିରେ ଇଣ୍ଟରସିଟି ଓ ପାସେଞ୍ଜର/ମେମୁ ଟ୍ରେନ୍‌ ରହିଥିଲା। କରୋନା ଯୋଗୁଁ ଏହି ‌ଟ୍ରେନ୍‌ଗୁଡ଼ିକ ବନ୍ଦ ରହିଥିବା ବେଳେ ଧୀରେ ଧୀରେ ୫ ଯୋଡ଼ା ଟ୍ରେନ୍‌ ଚଳାଚଳ କରିବାକୁ ଅନୁମତି ଦିଆଯାଇଛି।

ପ୍ରଶ୍ନ ଉଠୁଛି; ବସ୍‌, କାର୍‌, ଟ୍ୟାକ୍ସି, ବିମାନ, ଅଟୋରିକ୍ସା ଆଦି ସ୍ବାଭାବିକ ଭାବେ ଚଳାଚଳ କରୁଥିବା ବେଳେ ଇଣ୍ଟରସିଟି, ପାସେଞ୍ଜର/ମେମୁ ଟ୍ରେନ୍‌ ଚଳାଚଳକୁ ରୋକିଛି କିଏ? କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ କାହିଁକି ପଦକ୍ଷେପ ନେଉନାହାନ୍ତି ବୋଲି ସାଧାରଣରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ରାଜ୍ୟ ଭିତରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହେଉ ନ ଥିବାରୁ ପ୍ରତିଦିନ ଲକ୍ଷଲକ୍ଷ ଯାତ୍ରୀ ହଇରାଣ ହେଉଛନ୍ତି। ଗୋଟିଏ ପଟେ ‌ପେଟ୍ରୋଲ, ଡିଜେଲ୍‌ ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକେ କାର୍‌, ବାଇକ୍‌ ଅପେକ୍ଷା ଏବେ ସର୍ବସାଧାରଣ ପରିବହନ ଉପରେ ଅଧିକ ନିର୍ଭର କରୁଛନ୍ତି। ଏଣେ ତେଲ ଦର ସହ ତାଳ ଦେଇ ବସ୍‌ ଓ ଅଟୋ ଭଡ଼ା ବି ବଢ଼ୁଛି। ସ୍ଥିତି ଏମିତି ହେଲାଣି ଯେ ଭୁବନେଶ୍ବରରୁ କଟକକୁ ୨୫ କିମି ରାସ୍ତା ଯିବା ଲାଗି ବସ୍‌ଯାତ୍ରୀଙ୍କୁ ୫୦ ଟଙ୍କା ଦେବାକୁ ପଡ଼ୁଛି। ପ୍ରତିବାଦ କଲେ କଣ୍ଡକ୍ଟରଙ୍କ ଗୋଟିଏ ଉତ୍ତର ତେଲ ଦର ବଢ଼ିଛି। ଗଲେ ଯାଅ, ନ ଗଲେ ନାହିଁ। ରାଜ୍ୟର ପ୍ରତିଟି ସହରରେ ଏବେ ସ୍ଥିତି ଏମିତି ।

ଟ୍ରେନ୍ ନ ଚାଲିବାରୁ ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ପୁରୀ, ବାଲେଶ୍ବର, ଢେଙ୍କାନାଳ, ଅନୁଗୁଳ ପରି ସହରରେ ବିଭିନ୍ନ ସରକାରୀ ଓ ଘରୋଇ ସଂସ୍ଥା କର୍ମଚାରୀ ବହୁ ପରିମାଣରେ ପ୍ରଭାବିତ ହେଉଛନ୍ତି। ସମଲେଶ୍ବରୀ ଏକ୍ସପ୍ରେସ୍‌, ଇସ୍ପାତ୍‌ ଏକ୍ସପ୍ରେସ୍‌, ଅନୁଗୁଳ-ପୁରୀ ମେମୁ, ତାଳଚେର-ପୁରୀ ମେମୁ, ସମ୍ବଲପୁର-ପୁରୀ, କଟକ-ପାରାଦୀପ ଆଦି ପ୍ରମୁଖ ଟ୍ରେନ୍‌ ଚଳାଚଳ କରୁ ନ ଥିବାରୁ ଯାତ୍ରୀମାନେ ଏବେ ସ୍ବତନ୍ତ୍ର ଟ୍ରେନ୍‌ ଉପରେ ଭରସା କରୁଛନ୍ତି। ସ୍ବତନ୍ତ୍ର ଟ୍ରେନ୍‌ରେ ଏତେ ଭିଡ଼ ‌ହେଉଛି ଯେ ୩/୪ ଦିନ ଆଗରୁ ବୁକିଂ ନକଲେ ଟ୍ରେନ୍‌ରେ ସିଟ୍‌ ମିଳୁନି। ଯାତ୍ରୀଙ୍କୁ ୱେଟିଂ(ଅପେକ୍ଷା)ରେ ରହିବାକୁ ପଡ଼ୁଛି। ଟ୍ରେନ୍‌ର ସଂରକ୍ଷିତ ବଗି ସିଟ୍‌ ପୂର୍ଣ୍ଣ ହେବା ପରେ ଏସ୍‌ଏଲ୍‌ଆର୍‌(ଲଗେଜ୍‌ ଭ୍ୟାନ)ରେ ବି ଯାତ୍ରୀ ପରିବହନ କରାଯାଉଛି। ଯାତ୍ରୀ ଭିଡ଼କୁ ନଜରରେ ରଖି ପୂର୍ବରୁ ଜେନେରାଲ ବଗିରେ ଥିବା ସିଟ୍‌କୁ ସଂରକ୍ଷିତ ଟିକେଟ ଭାବେ ପରିବର୍ତ୍ତନ କରାଯାଇଛି।

ଏଭଳି ସ୍ଥିତିରେ ଓଡ଼ିଶା ଭିତରେ ପାସେଞ୍ଜର ଟ୍ରେନ୍ ଚଳାଚଳ କରିବାକୁ କେନ୍ଦ୍ର ରେଳ ମନ୍ତ୍ରଣାଳୟ କାହିଁକି ଅନୁମତି ଦେଉ ନାହାନ୍ତି, ତାହା କେହି ବୁଝିପାରୁ ନାହାନ୍ତି। ଓଡ଼ିଶାର ବିକାଶ ଲାଗି ପ୍ରତି କଥାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କୁ ଚିଠି ଲେଖୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ କ୍ଷେତ୍ରରେ କାହିଁକି ନିରବ ରହିଛନ୍ତି ତାହା ବି ଅନେକଙ୍କୁ ବିସ୍ମିତ କରିଛି।

ଅନ୍ୟପକ୍ଷରେ କରୋନା କାଳରେ ଟ୍ରେନ୍‌ ଚଳାଚଳ ଉପରେ କଟକଣା ଲାଗୁ କରିବାକୁ ଓଡ଼ିଶା ସରକାର ବିଭିନ୍ନ ସମୟରେ ରେଳ ମନ୍ତ୍ରଣାଳୟକୁ ଚିଠି ଲେଖୁଥିଲେ। ସଂକ୍ରମଣ ନିୟନ୍ତ୍ରଣକୁ ଆସିଗଲା ପରେ ବି ରାଜ୍ୟ ଭିତରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ କରିବାକୁ ରାଜ୍ୟ ସରକାର କାହିଁକି ଆନ୍ତରିକତା ଦେଖାଉ ନାହାନ୍ତି? ଏ ନେଇ ରାଜ୍ୟ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ମନୋଜ ମିଶ୍ର କହିଛନ୍ତି ଯେ ଟ୍ରେନ୍ ଚଳାଚଳ କରିବା, ନ କରିବା ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଇଚ୍ଛାଧୀନ ବ୍ୟାପାର। ତେବେ ରାଜ୍ୟ ଭିତରେ ଟ୍ରେନ୍ ଚଳାଚଳ କରିବା ଉପରେ ଆମ ତରଫରୁ କୌଣସି କଟକଣା ନାହିଁ। ଏ ସଂପର୍କରେ ରେଳବାଇ କର୍ତ୍ତୃପକ୍ଷଙ୍କ ସହ କଥା ହୋଇଛୁ। ବିଭିନ୍ନ ସମୟରେ ଟ୍ରେନ୍ ଚଳାଇବା ପାଇଁ ଚିଠି ମଧ୍ୟ ଲେଖାଯାଇଛି। ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷଙ୍କ ସହ ମାସିକ ବୈଠକରେ ଏ ବାବଦରେ ଆଲୋଚନା ମଧ୍ୟ କରାଯାଇଛି। ଆଶା ଖୁବ୍ ଶୀଘ୍ର ରାଜ୍ୟ ଭିତରେ ସବୁ ଟ୍ରେନ୍ ପୂର୍ବ ପରି ଚଳାଇବା ଲାଗି ରେଳବାଇ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେବେ।

ତେବେ ପୂର୍ବତଟ ରେଳପଥର ଜନସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ରେଲୱେ ବୋର୍ଡରୁ ଅନୁମତି ମିଳିବା ପରେ ସ୍ବାଭାବିକ ଭାବେ ଟ୍ରେନ୍‌ ଚାଲିବ। ପୂର୍ବତଟ ରେଳପଥ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛି।

The post ପାସେଞ୍ଜର ଟ୍ରେନ୍‌କୁ ନେଇ ଦ୍ୱନ୍ଦ୍ୱ : ବଢ଼ୁଛି ଯାତ୍ରୀ ଯାତନା first appeared on Sambad.



from ରାଜ୍ୟ – Sambad https://ift.tt/3qEUL9d

Post a Comment

0 Comments