
ବରଗଡ଼: ସର୍ବସମ୍ମୁଖରେ ପ୍ରତିଭାବାନଙ୍କୁ ସମାଜରେ ଉପସ୍ଥାପନ କରିବା ନାଗରିକର ଏକ ଦାୟିତ୍ବପୂର୍ଣ୍ଣ କାର୍ଯ୍ୟ । ସରକାରୀ ବ୍ୟବସ୍ଥାରେ ଇତିହାସ କିମ୍ବା ପ୍ରତିଭାର ଠିକ୍ ମୂଲ୍ୟାୟନ ହୁଏ ନାହିଁ। ପ୍ରତିଭାବାନ ବ୍ୟକ୍ତିଙ୍କ ସ୍ମୃତିରେ କିଛି କାର୍ଯ୍ୟକ୍ରମ କରି ତାଙ୍କୁ ସମ୍ମାନ ଦେବାକୁ ପଡ଼ିବ ବୋଲି ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ପରିସରରେ ଆୟୋଜିତ ଗୁରୁ ଭଗବାନ ସାହୁଙ୍କ ଜୀବନୀ ପୁସ୍ତକ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଭାଷାକୁ ସାଧାରଣ ଲୋକଙ୍କ ପାଖରେ ପହଂଚାଇବାକୁ ନାଟକ ହେଉଛି ଉତ୍ତମ ମାଧ୍ୟମ। ନାଟକ ମାଧ୍ୟମରେ ହିଁ ମାଟିର ଭାଷା ଘରୁ ବାହାରି ଗାଁଗହଳିରେ ପହଞ୍ଚିଥିଲା। ନାଟକ ନଥିଲେ ଜୀବନରେ ଅତିରଂଜନ ହୋଇପାରିବ ନାହିଁ। କାରଣ ନାଟକ ମଣିଷକୁ ପ୍ରସଂଗ ସହ ଯୋଡ଼ି ଥାଏ। ଏହା ଗୁରୁ ଭଗବାନ ସାହୁ ଠିକ୍ ଭାବେ ଜାଣିଥିଲେ। ଏଭଳି ମହାପୁରୁଷଙ୍କ ସଂପର୍କରେ ସମସ୍ତଙ୍କୁ ଜଣାଇବା ଆଗାମୀ ପିଢ଼ିର ଦାୟିତ୍ବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ସମ୍ମାନିତ ଅତିଥି ପଦ୍ମଶ୍ରୀ ହଳଧର ନାଗ ସୁରେନ୍ଦ୍ର ସାଏ ନାଟକର ମହତ୍ତ୍ବ ଓ ଭଗବାନ ସାହୁଙ୍କ କୃତିତ୍ବ ଉପରେ ଆଲୋକପାତ କରିଥିଲେ। ସଭା ପ୍ରାରମ୍ଭରେ ସ୍ମୃତି କମିଟି କାର୍ଯ୍ୟକାରୀ ସଭାପତି କେଦାର ମିଶ୍ର ଅତିଥି ପରିଚୟ ଦେଇଥିଲେ। ନାଟ୍ୟକାର କେଶରଂଜନ ପ୍ରଧାନଙ୍କ ସଂଯୋଜନାରେ ସୁରେନ୍ଦ୍ରବୀର ଭୁବନ ଭୋଇଙ୍କ ଗୁରୁ ବନ୍ଦନା ପରେ ଭଗବାନ ସାହୁଙ୍କ ପଟ୍ଟ ଶିଷ୍ୟ ଦଧିବାବନ ଶତପଥୀ ସୀତାଚୋରୀ ନାଟକର ଗୀତ ଗାନ କରିଥିଲେ। ଏହାପରେ ରବିନ୍ ଦାସଙ୍କ ରଚିତ ଗୁରୁ ଭଗବାନ ସାହୁଙ୍କ ଜୀବନୀ ପୁସ୍ତକକୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ। ସ୍ମୃତି କମିଟି ସଂପାଦକ ପ୍ରଦୀପ ଦେବତା ଧନ୍ୟବାଦ ଦେଇଥିଲେ।
The post ନାଟକ ହିଁ ମଣିଷକୁ ପ୍ରସଂଗ ସହ ଯୋଡ଼େ: ସୌମ୍ୟ first appeared on Sambad.from ରାଜ୍ୟ | Sambad https://ift.tt/3fsjyLL
0 Comments