
ଯାଜପୁର/ଚଣ୍ଡିଖୋଲ : ଶନିବାର ସଂଧ୍ୟାରେ ବଡ଼ଚଣା ବ୍ଲକ୍ ଭରତପୁର ପଞ୍ଚାୟତର ପଣସୁଧା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ବେଳେ ଉତ୍ତ୍ୟକ୍ତ ଲୋକେ ବାଲିଚନ୍ଦ୍ରପୁର ଥାନାର ୨ଟି ଗାଡ଼ି ଭଙ୍ଗାରୁଜା କରିବା ସହିତ ଜାଳି ଦେଇଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କ ଢେଲାମାଡ଼ରେ କେତେକ ପୁଲିସ କର୍ମଚାରୀ ସମେତ ଅନ୍ୟ ଲୋକମାନେ ଆହତ ହୋଇଛନ୍ତି। ସେହିପରି ପୁଲିସ ଉପସ୍ଥିତିରେ ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର କିଛି ଲୋକ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗି ରହିଛି। ଉଚ୍ଚ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ସହିତ ଫ୍ଲାଗ୍ ମାର୍ଚ୍ଚ କରିଛନ୍ତି। ସଂପୃକ୍ତ ଅଞ୍ଚଳକୁ ପୁଲିସ ଫୋର୍ସ ସିଲ୍ କରି ଦେଇଥିବା ବେଳେ ଗ୍ରାମ ପୁରୁଷଶୂନ୍ୟ ହୋଇପଡ଼ିଛି।
ପଣସୁଧା ଗ୍ରାମରେ ଏକ ଅଷ୍ଟପ୍ରହରି ମଣ୍ଡପକୁ ନେଇ ବହୁ ଦିନରୁ ବିବାଦ ଲାଗିରହିଛି। ଉଭୟ ଗୋଷ୍ଠୀ ମଧ୍ୟରେ ଏହାକୁୁ ନେଇ ଛକାପଞ୍ଝା ଲାଗି ରହିଥିଲା। ସପ୍ତାହେ ହେଲା ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ୨ସେକ୍ସନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଆଜି ସନ୍ଧ୍ୟାରେ ଗୋଟିଏ ଗୋଷ୍ଠୀ ସଙ୍ଘବଦ୍ଧ ହୋଇ କଟିକଟା ଛକରୁ ବାହାରି ସଂପୃକ୍ତ ଅଞ୍ଚଳରେ ପହଞ୍ଚି ମାରପିଟ୍ ଆରମ୍ଭ କରିଦେଇଥିଲେ। ପୁଲିସ ଉପସ୍ଥିତିରେ ଏଭଳି ଗୁଣ୍ଡାରାଜ ପ୍ରତିବାଦରେ ଅନ୍ୟ ଗୋଷ୍ଠୀର ଲୋକମାନେ ଏକାଠି ହୋଇ ପାଲଟା ଆକ୍ରମଣ କରିିଥିଲେ। ଉତ୍ତ୍ୟକ୍ତ ଲୋକମାନେ ଟେକା ପଥର ମାଡ଼ କରିବା ସହିତ ବାଲିଚନ୍ଦ୍ରପୁର ଥାନାର ବୋଲେରୋ ଓ ଭ୍ୟାନକୁ ଭଙ୍ଗାରୁଜା ସହିତ ନିଆଁ ଲଗାଇ ଜାଳି ଦେଇଥିଲେ। ରିପୋର୍ଟ ଲେଖା ଯିବା ସମୟରେ ଚଣ୍ତିଖୋଲ-ପାରାଦ୍ବୀପ ଜାତୀୟ ରାଜପଥର ପଞ୍ଚୁପାଣ୍ଡବଛକ ଠାରୁ ସଂପୂର୍ଣ୍ଣ ଅଞ୍ଚଳକୁ ନାକାବନ୍ଦୀ କରାଯାଇଛି ।
The post ଭରତପୁରରେ ଗୋଷ୍ଠୀ ସଂଘର୍ଷ : ଜାଳିଦେଲେ ୨ ପୁଲିସ ଗାଡ଼ି, ପଥରମାଡ଼ରେ ପୁଲିସ କର୍ମଚାରୀଙ୍କ ସମେତ ଅନେକ ଆହତ first appeared on Sambad.
from ରାଜ୍ୟ – Sambad https://ift.tt/3uZushx
0 Comments