ପୁରୀ : ଏମାର ମଠ ଜାଗା ପ୍ଲଟିଂ, ଦୁଇଟି ଜଳାଶୟ ଉଭାନ

ପୁରୀ : ପୁରୀ ସହର ଓ ସହରତଳି ଅଞ୍ଚଳରେ ଜମି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଆମେ ପୁରୀ ତହସିଲ ଅଧୀନ ଶଙ୍କରପୁରୀ ମୌଜାରେ ଏମାର ମଠ ଜମି ପ୍ଲଟିଂ ପ୍ରସଙ୍ଗ ଉଠାଇଥିଲୁ। ଏବେ ବି ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଇନି। ସେପଟେ ତଥ୍ୟ ଖୋଳୁ ଖୋଳୁ ଏହି ଜାଗାରେ ଆଉ ଏକ ସାଂଘାତିକ ଚିତ୍ର ପଦାକୁ ଆସିଛି। ଜମି ପ୍ଲଟିଂ ପାଇଁ ଜମି ମାଫିଆ ଏଠାରେ ଗୋଟିଏ ନୁହେଁ, ଦୁଇ ଦୁଇଟି ଜଳାଶୟକୁ ପୋତି ଦେଇଛନ୍ତି। ଜମି ମାଫିଆଙ୍କ ଦୌରାତ୍ମ୍ୟ ପୁରୀରେ କେତେ ଯେ ବଢ଼ିଯାଇଛି, ତାହା ଏହି ଚିତ୍ରରୁ ଜଳଜଳ ହୋଇ ଦିଶୁଛି।

ଶଙ୍କରପୁର ମୌଜା ଗିନାରିବନ୍ତ ବେହେରା ସାହି ଓ ଓଁକାରେଶ୍ବର ରାସ୍ତାକଡ଼ରେ ରହିଛି ପ୍ରାୟ ୮ ଏକର ଜାଗା ରହିଛି। ଯେଉଁଥିରେ କିଛି ସ୍ଥିତିବାନ, କିଛି ଅନାବାଦି ଓ ବାକି ମଠ ଜାଗା ରହିଛି। ଶଙ୍କରପୁର ମୌଜାର ଏହି ଜାଗାରେ ଖାତା ନମ୍ବର ୭୫ରେ ଏମାର ମଠର ୬ଟି ପ୍ଲଟ୍‌ ରହିଛି। ଯାହାର ଶାବକ ପ୍ଲଟ୍‌ ନମ୍ବର ହେଉଛି ୨୦୮, ୨୧୬, ୨୧୯, ୨୨୦, ୨୨୩, ୨୨୫। ୬ଟି ପ୍ଲଟକୁ ମିଶାଇଲେ ମଠର ମୋଟ ୨.୪୪ ଏକର ଜମି ଏଠାରେ ରହିଛି। ଶାବକ ପ୍ଲଟ୍‌ ନମ୍ବର ଏ ଭିତରେ ହାଲ୍‌ ପ୍ଲଟ୍‌ ନମ୍ବର-୧୨୦୭, ୧୨୧୦, ୧୨୧୨, ୧୨୧୬, ୧୨୧୮କୁ ପରିବର୍ତ୍ତନ ହୋଇଛି। କିନ୍ତୁ ଏହି ଜମି ଏବେ ଜବରଦଖଲକୁ ଚାଲିଗଲାଣି। ଏମାର ମଠର ଏହି ଜାଗାରେ ସିମେଣ୍ଟ ଖୁଣ୍ଟ ପୋତାଯିବା ସହ ରାସ୍ତା ବି ତିଆରି ହେଲାଣି। ଶଙ୍କରପୁର ମୌଜାର ଏହି ଜମିକୁ ଲାଗି ଦୁଇଟି ଜଳାଶୟ ଥିଲା। ଯାହାର ଶାବକ ପ୍ଲଟ୍‌ ନମ୍ବର ହେଉଛି ୨୨୩ ଓ ୨୨୪। ଏହା ଏମାର ମଠ ଜାଗାରେ ରହିଥିଲା। କିନ୍ତୁ ଜମି ମାଫିଆମାନେ ଏହି ଜଳାଶୟକୁ ପୋତି ଦେଇଛନ୍ତି। ମାଟିକୁ ଏପରି ସମତୁଲ କରାଯାଇଛି ଯେ ପୋଖରୀର ଆଉ ଚିହ୍ନବର୍ଣ୍ଣ ନାହିଁ। ଆଉ ଏକ ଛୋଟ ପୋଖରୀ ଏହା ପାଖକୁ ରହିଥିଲା। ଯାହା ପ୍ଲଟ୍‌ ନମ୍ବର ୨୨୫ ଓ ୨୨୧ରେ ରହିଥିଲା। ଏହାର ବି ଚିହ୍ନବର୍ଣ୍ଣ ନାହିଁ। ଏହାକୁ ବି ପୋତି ଦିଆଯାଇଛି। ଏହି ଜାଗାରେ ନୂଆ ବାଲି, ମାଟି ପକାଇ ସମାନ କରି ପ୍ଲଟିଂ ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଇଛି। ପ୍ରଶାସନର ନାକତଳେ ଏତେ ବଡ଼ ଦୁର୍ନୀତି ହେଉଥିଲେ ବି ଏ ଦିଗରେ ସମସ୍ତେ ନିରବ ରହିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି।

The post ପୁରୀ : ଏମାର ମଠ ଜାଗା ପ୍ଲଟିଂ, ଦୁଇଟି ଜଳାଶୟ ଉଭାନ first appeared on Sambad.



from ରାଜ୍ୟ – Sambad https://ift.tt/3eq8a2m

Post a Comment

0 Comments