ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ବର : ଆଜି ଠାରୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ ଆରମ୍ଭ ହେବ। ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ (ୟୁବିଏଫ୍‌ୟୁ) ଏହି ଧର୍ମଘଟ ଡାକରା ଦେଇଛି। ନଅଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ ଏହାକୁ ସମର୍ଥନ କରୁଛନ୍ତି। ଗତକାଲି (ଶନିବାର) ଠାରୁ ବ୍ୟାଙ୍କଗୁଡ଼ିକ ଛୁଟି ପାଇଁ ବନ୍ଦ ରହିଛି।‌ ସୋମବାର ଓ ମଙ୍ଗଳବାର ଧର୍ମଘଟ ଶେଷ ହେବା ପରେ ବୁଧବାର ଠାରୁ ବ୍ୟାଙ୍କ ସେବା ପୁଣି ସ୍ବାଭାବିକ ହେବ। ଏହି ଅବସରରେ ବ୍ୟାଙ୍କ ଶାଖାରେ ହେଉଥିବା କାରବାର, କ୍ଲିୟରିଂ ଆଦି ଗୁରୁତର ଭାବେ ପ୍ରଭାବିତ ହେବ। ଅନ୍‌ଲାଇନ୍ ଓ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍‌ରେ ସେଭଳି ଅସୁବିଧା ହୋଇନପାରେ। ଏଟିଏମ୍‌ରୁ ଟଙ୍କା ଉଠାଣ ମଧ୍ୟ ପ୍ରଭାବିତ ହେବାର କମ୍ ଆଶଙ୍କା ରହିଛି।

ସର୍ବଭାରତୀୟ ସ୍ତରରେ ଧର୍ମଘଟରେ ପ୍ରାୟ ୧୦ ଲକ୍ଷ କର୍ମଚାରୀ ସାମିଲ ହେବେ। ସେହିଭଳି ଓଡ଼ିଶାରେ ଧର୍ମଘଟ ଯୋଗୁ ୫୫୦୦ରୁ ଅଧିକ ବ୍ୟାଙ୍କ ଶାଖା ବନ୍ଦ ରହିବେ। ଓଡ଼ିଶାରେ ୩୦ ହଜାରରୁ ଅଧିକ କର୍ମଚାରୀ ଓ ଅଧିକାରୀ ଏଥିରେ ସାମିଲ ହେବେ। ସରକାରୀ ବ୍ୟାଙ୍କ ସହିତ ଗ୍ରାମ୍ୟ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କଗୁଡ଼ିକ ଧର୍ମଘଟରେ ସାମିଲ ହେବେ ବୋଲି ଏଆଇବିଓସି ସଭାପତି, ଓଡ଼ିଶା ଦାମୋଦର ନନ୍ଦ କହିଛନ୍ତି। ବ୍ୟାଙ୍କ ଶାଖା ଗୁଡ଼ିକ ସାମ୍ନାରେ ପିକେଟିଂ କରାଯିବ ବୋଲି ୟୁବିଏଫ୍‌ୟୁ ଓଡ଼ିଶା ଶାଖାର ଆବାହକ ରଘୁନାଥ ପ୍ରସାଦ ଦାସ କହିଛନ୍ତି।

କେନ୍ଦ୍ର ସରକାର ଗତ ୪ ବର୍ଷ ମଧ୍ୟରେ ୧୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ କରିବା ସହିତ ଆଇଡିବିଆଇ ବ୍ୟାଙ୍କର ସଂଖ୍ୟାଗରିଷ୍ଠ ଅଂଶଧନକୁ ଏଲ୍‌ଆଇସିକୁ ୨୦୧୯ ମସିହାରେ ବିକ୍ରି କରିଛନ୍ତି। ତେବେ ଘରୋଇକରଣକୁ ବ୍ୟାଙ୍କ ସଂଘଗୁଡ଼ିକ ତୀବ୍ର ବିରୋଧ କରିଆସୁଛନ୍ତି। ମୁଖ୍ୟ ଶ୍ରମ କମିସନରଙ୍କ ସହିତ ସଂଘଗୁଡ଼ିକ ଚଳିତମାସ ୪ ତାରିଖ, ୯ ତାରିଖ ଏବଂ ୧୦ ତାରିଖରେ ତିନିଟି ପର୍ଯ୍ୟାୟ ଆଲୋଚନା କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନାହିଁ। ଏଥିଯୋଗୁ ସଂଘ ଧର୍ମଘଟକୁ ଓହ୍ଲାଇଛି ବୋଲି ଏଆଇବିଇଏର ସାଧାରଣ ସଂପାଦକ ସି ଏଚ ଭେଙ୍କଟଚଳମ କହିଛନ୍ତି।

The post ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ first appeared on Sambad.



from ରାଜ୍ୟ – Sambad https://ift.tt/38W7tuv

Post a Comment

0 Comments