
ଗୁରୁତର ସତ୍ତ୍ବେ ଡକାୟତଙ୍କ ସହ ଲଢ଼ିଲେ
ଅଟକାଇବାକୁ ଯାଇ ସ୍ଥାନୀୟ ବ୍ୟକ୍ତି ଗୁଳିମାଡ଼ର ଶିକାର
ଥାନାଠାରୁ ୨୦୦ ମିଟର ଦୂରରେ ଘଟିଛି ଘଟଣା
ପୂର୍ବରୁ ପ୍ରାଣ ହରାଇଛନ୍ତି ୨ ସୁନାଦୋକାନୀ
ବଡ଼ଗାଁ : ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବସ୍ଷ୍ଟାଣ୍ଡ୍ ନିକଟ ପୋଷ୍ଟ ଅଫିସ ଛକରେ ସୋମବାର ସକାଳେ ଜଣେ ସୁନା ଦୋକାନୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଲୁଟେରା। ବାଇକ୍ରେ ଆସିଥିବା ତିନିଜଣ ଲୁଟେରା ତାଙ୍କ ଠାରୁ ସୁନା ଥିବା ବ୍ୟାଗ ଲୁଟି ନେଇ ଫେରାର ହୋଇଯାଇଛନ୍ତି। ସେହି ସମୟରେ ରାସ୍ତାରେ ଯାଉଥିବା ଜଣେ ସ୍ଥାନୀୟ ଲୋକ ଦୁର୍ବୃତ୍ତଙ୍କୁ ଅଟକାଇବା ବେଳେ ତାଙ୍କୁ ମଧ୍ୟ ଗୁଳି କରି ଦୁର୍ବୃତ୍ତମାନେ ପଳାଇ ଯାଇଛନ୍ତି। ଗୁଳିମାଡ଼ରେ ସୁନାଦୋକାନୀ ରୋହିତ ବର୍ମା(୨୮)ଙ୍କର ମୃତ୍ୟୁ ହୋଇଥିବା ବେଳେ ସରୋଜ ଦାସ (୬୬) ଗୁରୁତର ଅବସ୍ଥାରେ ରାଉରକେଲା ଜୟପ୍ରକାଶ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଉଲ୍ଲେଖନୀୟ, ଘଟଣାଟି ଘଟିଥିବା ସ୍ଥାନଠାରୁ ଥାନାରେ ଦୂରତା ମାତ୍ର ୨୦୦ ମିଟର। ଜନଗହଳି ଥିବା ସକାଳ ସମୟରେ, ଥାନା ପାଖରେ ଲୁଟେରାମାନଙ୍କ ଏଭଳି କାଣ୍ଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବଡ଼ଗାଁ ପୋଷ୍ଟ ଅଫିସ ଛକସ୍ଥିତ ନୂଆ ମାର୍କେଟ କମ୍ପ୍ଲେକ୍ସରେ ମା’ ମଙ୍ଗଳା ଜୁଏଲରୀ ନାମରେ ଏକ ସୁନା ଦୋକାନ ରହିଛି। କିଛିଦିନ ତଳେ ଏହି ଦୋକାନ ପଛପଟୁ ସିନ୍ଧି କାଟି ଚୋରି ହୋଇଥିଲା। ସେହିଦିନଠାରୁ ରୋହିତ ସବୁଦିନ ଦୋକାନ ବନ୍ଦ ସମୟରେ ମୂଲ୍ୟବାନ ସୁନା ଅଳଙ୍କାରସବୁକୁ ଏକ ହ୍ୟାଣ୍ଡ୍ବ୍ୟାଗରେ ଭରି ଘରକୁ ନେଇ ପୁଣି ସକାଳେ ଦୋକାନଙ୍କୁ ଆଣୁଥିଲେ। ସବୁଦିନ ପରି ଆଜି ସକାଳୁ ଦୋକାନ ଖୋଲିବାକୁ ଆସି ସଟର୍ ଖୋଲୁଥିବାବେଳେ ଆଗରୁ ତାଙ୍କୁ ଛକି ବସିଥିବା ଦୁର୍ବୃତ୍ତମାନେ ତାଙ୍କ ଉପରେ ହଠାତ୍ ଆକ୍ରମଣ କରି ଟଙ୍କା, ସୁନା ଓ ଦୋକାନ ଭିତରେ ଥିବା ଲକର୍ର ଚାବି ଥିବା ବ୍ୟାଗ ତାଙ୍କ ହାତରୁ ଝିଙ୍କି ନେବାକୁ ଉଦ୍ୟମ କରିଥିଲେ। ଏଥିରେ ରୋହିତ ବାଧା ଦେବାରୁ ତାଙ୍କୁ ଗୋଟିଏ ଗୁଳି ମାରିଥିଲେ। ଗୁଳି ତାଙ୍କ ପେଟରେ ବାଜିଥିଲା। ଗୁଳି ଖାଇବା ପରେ ମଧ୍ୟ ରୋହିତ ସେମାନଙ୍କ ସହିତ ଲଢ଼ିଥିଲେ। ତେଣୁ ସେମାନେ ତାଙ୍କ ଉପରକୁ ଆଉ ଗୋଟିଏ ଗୁଳି ଚଳାଇଥିଲେ। ତାପରେ ବ୍ୟାଗ ନେଇ ପଳାଇବା ବେଳେ ସ୍ଥାନୀୟ ପଡ଼ାର ସରୋଜ ଦାସ (୬୬) ଜଣେ ଦୁର୍ବୃତ୍ତକୁ ଧରିବାକୁ ଚେଷ୍ଟା କରିଥିଲେ। ତେଣୁ ତାଙ୍କ ଗୋଡ଼କୁ ଲକ୍ଷ୍ୟକରି ଆଉ ଏକ ଗୁଳି ମାରି ସେଠାରୁ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତମାନେ। ମାତ୍ର ଏଇ ଟଣାଓଟରା ଭିତରେ ଜଣେ ଲୁଟେରା ଧରିଥିବା ମାଉଜର, ଜଣେ ପିନ୍ଧି ଥିବା ଜୋତା ଓ ଏକ ଲାଇଟର୍ ପଡ଼ି ଯାଇଥିଲା। ପଳାଇବା ପୂର୍ବରୁ ସେମାନେ ସେସବୁକୁ ନେବାର ସୁଯୋଗ ପାଇ ନଥିଲେ। ସାଙ୍ଗେ ସାଙ୍ଗେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଆହତ ଦ୍ବୟଙ୍କୁ ପ୍ରଥମେ ବଡ଼ଗାଁ ଓ ପରେ ରାଉରକେଲା ଜୟପ୍ରକାଶ ହସ୍ପିଟାଲକୁ ନିଆଯାଇଥିଲା। ସେଇଠାରେ ଡାକ୍ତର ରୋହିତଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ସରୋଜଙ୍କୁ ଚିକିତ୍ସା କରାଯାଉଛି।

ଘଟଣା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପଡ଼ି ଥିବା ଲୁଟେରାମାନେ ଛାଡ଼ି ପଳାଇଥିବା ଉପରୋକ୍ତ ଜିନିଷଗୁଡ଼ିକ ସହିତ ୨ଟି ଫୁଟା ଗୁଳି ଓ ଗୋଟିଏ ଅଫୁଟା ଗୁଳି ଜବତ କରିଥିଲା। ଘଟଣା ପରେ ସୁନ୍ଦରଗଡ଼ ଏସପି ସାଗରିକା ନାଥଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଓ ସାଇଣ୍ଟିଫିକ ଦଳ ଘଟଣାସ୍ଥଳକୁ ଆସି ସିସିଟିଭି ଫୁଟେଜ୍ ଦେଖିବା ସହିତ ଏହା ପେସାଦାର ଅପରାଧୀଙ୍କ କାମ ଓ ଅପରାଧୀ ଖୁବଶୀଘ୍ର ଧରାପଡ଼ିବେ ବୋଲି କହିଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।
ଉଲ୍ଲେଖନୀୟ ଯେ ନିକଟ ଅତୀତରେ ଦୋକାନକୁ ଯିବାବେଳେ ବା ଦୋକାନରୁ ଫେରିବାବେଳେ ସୁନା ଦୋକାନୀଙ୍କ ଉପରକୁ ଗୁଳିମାଡ଼ କରି ସୁନା ଥିବା ବ୍ୟାଗ୍କୁ ଲୁଟେରାମାନେ ଲୁଟି ନେବାର ଦୁଇଟି ଘଟଣା ରାଉରକେଲାରେ ଘଟିଥିଲା। ସେଥିରେ ୨ଜଣଙ୍କର ମୃତ୍ୟୁ ଘଟି ସାରିଥିଲା। ଆଜିକୁ ମିଶାଇ ଲୁଟେରାଙ୍କ ଗୁଳିରେ ୩ ଜଣ ସୁନା ଦୋକାନୀ ବା ତାଙ୍କର ସଂପର୍କୀୟଙ୍କର ପ୍ରାଣ ଗଲାଣି। ସବୁ ଲୁଟ୍ ପ୍ରାୟତଃ ସମାନ ଶୈଳୀରେ ଘଟିଥିବାରୁ ଏସବୁ ପଛରେ ନିର୍ଦ୍ଦିଷ୍ଟ ଭାବେ ଗୋଟିଏ ଲୁଟେରା ଗ୍ୟାଙ୍ଗର ହାତ ଅଛି ବୋଲି ଚର୍ଚ୍ଚା ହେଉଛି।
The post ଲୁଟ୍ ପାଇଁ ଗୁଳିମାଡ଼ : ବଡ଼ଗାଁରେ ସୁନାଦୋକାନୀଙ୍କୁ ହତ୍ୟା first appeared on Sambad.
from ରାଜ୍ୟ – Sambad https://ift.tt/3dToUz0
0 Comments